ନୂଆଦିଲ୍ଲୀ ୨୭।୦୯; ବଡ଼ଧରଣର ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ପଡ଼ୋଶୀ ଦେଶ ନେପାଳ। ପଶ୍ଚିମ ନେପାଳର ତିବ୍ଦତ ସୀମା ନିକଟରେ ଥିବା ପ୍ରସିଦ୍ଧ 'ହିମଲୁଙ୍ଗ ହିମାଲ' ବେସ୍ କ୍ୟାମ୍ପରେ ମାଡ଼ ହୋଇଛି ଏକ ଭୟଙ୍କର ବରଫ ଝଡ଼ । ଏହି ଦୁର୍ଘଟଣାରେ ଅତିକମରେ ୧୦ ଜଣ ଲୋକ ନିଖୋଜ ଥିବା ନେଇ ସ୍ପଷ୍ଟ ହୋଇଛି।"

ପାଳର ମାନାଙ୍ଗ ଜିଲ୍ଲାସ୍ଥିତ ୭,୧୨୬ ମିଟର ଉଚ୍ଚ 'ହିମଲୁଙ୍ଗ ହିମାଲ' ବେସ୍ କ୍ୟାମ୍ପ। ରବିବାର ସକାଳେ ହଠାତ୍ ଆସିଥିଲା ଏହି ବରଫ ଝଡ଼। ଅତିକମରେ ୧୦ ଜଣ ନିଖୋଜ ଥିବା ନେଇ ସୂଚନା ମିଳିଛି। ଯେଉଁଥିରେ ପର୍ବତାରୋହୀ ଅଭିଯାନର ରୋଷେଇ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। ହେଲିକପ୍ଟର ଉଡ଼ାଣ ପାଇଁ ସ୍ୱତନ୍ତ୍ର ଅନୁମତିର ଆବଶ୍ୟକତା ଥିବାରୁ ଉଦ୍ଧାର କାର୍ଯ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ପାଣିପାଗ ପ୍ରଣାଳୀ ପ୍ରଭାବରେ ନେପାଳର ପର୍ବତମାଳାରେ ପ୍ରବଳ ହିମପାତ ଏବଂ ସମତଳ ଅଞ୍ଚଳରେ ଅବିରତ ବର୍ଷା ଜାରି ରହିଛି। ଶୁକ୍ରବାର ଠାରୁ ପାଗ ଅତି ଖରାପ ରହିଥିବାବେଳେ, ରବିବାର ସକାଳେ ହିମଲୁଙ୍ଗ ହିମାଲ ଶୃଙ୍ଗରେ ପରିସ୍ଥିତି ଭୟବହ ରୂପ ନେଇଥିଲା। ପୂର୍ବରୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଥିବାରୁ ଅଧିକାଂଶ ପର୍ବତାରୋହୀ ତଳକୁ ଓହ୍ଲାଇ ଆସିଥିଲେ, କିନ୍ତୁ କିଛି ବ୍ୟକ୍ତି ସେଠାରେ ରହିଯିବାରୁ ଏହି ଅଘଟଣ ଘଟିଛି।

ପ୍ରଶାସନର କଟକଣା:

ପ୍ରବଳ ବର୍ଷା ଓ ହିମପାତ ଯୋଗୁଁ ରାସ୍ତାଘାଟ ନଷ୍ଟ ହୋଇଯାଇଥିବାରୁ ସ୍ଥାନୀୟ ପ୍ରଶାସନ ଅନେକ ସ୍ଥାନରେ ଯାତାୟାତ ବନ୍ଦ କରିଛି। ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ଅଧିକାରୀମାନେ ସମସ୍ତ ଟ୍ରେକିଂ ଏବଂ ପର୍ବତାରୋହଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଦୃଢ଼ ପରାମର୍ଶ ଦେଇଛନ୍ତି। ଉଦ୍ଧାରକାରୀ ଟିମ୍ ନିଖୋଜ ବ୍ୟକ୍ତିଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଛନ୍ତି।