ପାଟନା: ବିହାରର ମଧୁବନୀ ଜିଲ୍ଲାରେ ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ବିହାର ସରକାରଙ୍କ ଶ୍ରମ ସମ୍ବଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ମନ୍ତ୍ରୀଙ୍କ କାରକେଡରେ ଥିବା ଗାଡ଼ିଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା କଲୁଆହୀ ଥାନା ଅନ୍ତର୍ଗତ ଠାହର ଗ୍ରାମରେ ଘଟିଛି। ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମ ସାରି ଫେରୁଥିବା ସମୟରେ ସ୍ଥାନୀୟ ଲୋକ ତାଙ୍କ ଗାଡ଼ି ଉପରେ ହଠାତ୍ ପଥରମାଡ଼ କରିଥିଲେ।

ଖଜୌଲୀ ଥାନା ଅଧୀନରେ ଥିବା ଠାହର ଗ୍ରାମରେ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ବିଧାୟକ ତଥା ମନ୍ତ୍ରୀ ଅରୁଣ ଶଙ୍କର ପ୍ରସାଦ ସେହି ମୃତ ଯୁବକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବାକୁ ଯାଇଥିବା ବେଳେ ଏହି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁର ଜୁଗେ ଠାକୁରଙ୍କ ପୁଅ କୃଷ୍ଣ କୁମାର ଠାକୁରଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା ଏବଂ ମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେବା ପାଇଁ ସେଠାକୁ ଯାଇଥିଲେ।

କେମିତି ହେଲା ମନ୍ତ୍ରୀଙ୍କ ଉପରେ ଆକ୍ରମଣ ?
ମନ୍ତ୍ରୀଙ୍କ ପ୍ରତିନିଧି ହରିଶ୍ଚନ୍ଦ୍ର ଶର୍ମାଙ୍କ କହିବା ଅନୁଯାୟୀ, ମନ୍ତ୍ରୀ ଗାଁରେ ପହଞ୍ଚିବାର କିଛି ସମୟ ମଧ୍ୟରେ ସେଠାରେ ପ୍ରାୟ ୩୦୦ ରୁ ୪୦୦ ପୁରୁଷ ଓ ମହିଳାଙ୍କର ଏକ ଭିଡ଼ ଜମା ହୋଇଯାଇଥିଲା। ସେ ଅଭିଯୋଗ କରିଛନ୍ତି ଯେ, ଉତ୍ତ୍ୟକ୍ତ ଭିଡ଼ ମଧ୍ୟରେ ଥିବା ଅନେକ ଲୋକଙ୍କ ହାତରେ ଲାଠି ଓ ଅନ୍ୟାନ୍ୟ ମାରାଣସ୍ତ୍ର  ଥିଲା ଏବଂ ସେମାନେ କୌଣସି କାରଣ ନଥାଇ ହଠାତ୍ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଶର୍ମା ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ଉତ୍ତ୍ୟକ୍ତ ଭିଡ଼ରୁ କିଛି ଦୁର୍ବୃତ୍ତ ମନ୍ତ୍ରୀଙ୍କୁ କାବୁ କରିବା ସହ ତାଙ୍କ ବେକ ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅନ୍ୟ କେତେକ ଲୋକ ଲାଠି ସାହାଯ୍ୟରେ ମନ୍ତ୍ରୀଙ୍କୁ ଆଘାତ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ, ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ମନ୍ତ୍ରୀଙ୍କ ସହ ଥିବା ସୁରକ୍ଷାକର୍ମୀ ଏବଂ ତାଙ୍କ ସମର୍ଥକମାନେ ନିଜ ଜୀବନକୁ ବାଜି ଲଗାଇ ମନ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ। ସୁରକ୍ଷାକର୍ମୀମାନେ ଅତ୍ୟନ୍ତ ସତର୍କତାର ସହ ମନ୍ତ୍ରୀଙ୍କୁ ସେହି ସଂଘର୍ଷପୂର୍ଣ୍ଣ ସ୍ଥାନରୁ ସୁରକ୍ଷିତ ଭାବେ ବାହାର କରି ଏକ ନିରାପଦ ସ୍ଥାନକୁ ନେଇଯିବାରେ ସଫଳ ହୋଇଥିଲେ। କିନ୍ତୁ ଏହି ପଥରମାଡ଼ ଓ ଗଣ୍ଡଗୋଳ ଯୋଗୁଁ ମନ୍ତ୍ରୀଙ୍କ ସରକାରୀ ଗାଡ଼ି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ସହ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି ।