ନୂଆଦିଲ୍ଲୀ: ବିଜେପି ସାଂସଦ ନିଶିକାନ୍ତ ଦୁବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କୁ ଦଳମତ ନିର୍ବିଶେଷରେ ଚାରିଆଡ଼ୁ ସମାଲେଚନାର ଶିକାର ହେବାକୁ ପଡ଼ିଲା। ଆଉ ଶେଷରେ ବୁଧବାର ସଂସଦରେ କ୍ଷମା ମାଗିଛନ୍ତି ନିଶିକାନ୍ତ ଦୁବେ। କିନ୍ତୁ ତାଙ୍କ ଟିପ୍ପଣୀ ଦୀର୍ଘ ବର୍ଷ ପରେ ବିଜୁ ବାବୁଙ୍କୁ ଜାତୀୟ ରାଜନୀତିର କେନ୍ଦ୍ର ବିନ୍ଦୁକୁ ନେଇ ଆସିଲା। ଯେଉଁ ବିଜୁ ବାବୁ କେବଳ ଓଡ଼ିଶା ନୁହେଁ ପୂରା ଭାରତ ବର୍ଷରେ ନିଜର ବହୁମୁଖୀ ବ୍ୟକ୍ତିତ୍ଵ ପାଇଁ ସ୍ଵତନ୍ତ୍ର ସ୍ଥାନ ହାସଲ କରିଥିଲେ, ସେହି ବିଜୁ ବାବୁ ଯେ କେତେ ବଡ଼ ମଣିଷ ଥିଲେ ତାହା ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣା ପଡ଼େ।

ସେ ଦିନ ଥିଲା ୧୯୯୭ ମସିହା ଏପ୍ରିଲ ୨୧ ତାରିଖ। ସ୍ଥାନ ସଂସଦର ଲୋକସଭା ଗୃହ। ଲୋକସଭାରେ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଲୋଚନା ସମୟରେ ବିରୋଧୀ ଦଳ ନେତା ଅଟଳ ବିହାରୀ ବାଜପେୟୀଙ୍କ ଭାଷଣ ସଭାକୁ ଭାବବିହ୍ୱଳ କରିଥିଲା। ସେ ନିଜ ବକ୍ତବ୍ୟରେ ବିଜୁ ବାବୁଙ୍କୁ କେବଳ ଏକ ନେତା ନୁହେଁ, ଏକ ଯୁଗର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ।

ଏହି କ୍ଷତି ପୂରଣ ଅସମ୍ଭବ

ବାଜପେୟୀ ସ୍ପଷ୍ଟ ଶବ୍ଦରେ କହିଥିଲେ ଯେ, “କୌଣସି ପଦ ଖାଲି ହେଲେ ସେଥିରେ ଅନ୍ୟ ଜଣେ ଆସିପାରନ୍ତି, କିନ୍ତୁ ବିଜୁ ପଟ୍ଟନାୟକଙ୍କ ବିୟୋଗରେ ଦେଶ ଯେଉଁ କ୍ଷତି ସହିଛି, ତାହା କେବେ ପୂରଣ ହେବ ନାହିଁ।” ବାଜପେୟୀ କହିଥିଲେ, ଗତ କିଛି ଦିନ ଆଗରୁ ବିଜୁ ବାବୁ ସଭାରେ ସହଯୋଗୀମାନଙ୍କ ସହ ବସୁଥିଲେ, କିନ୍ତୁ ଆଜି ସେଇ ସ୍ଥାନ ଖାଲି ରହିଛିଯାହା ଏକ ଗଭୀର ଶୂନ୍ୟତାର ଅନୁଭବ ଦେଉଛି।

ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ବିଜୁ ବାବୁ

ବାଜପେୟୀ ବିଜୁ ପଟ୍ଟନାୟକଙ୍କୁ “ଟାୱରିଂ ପର୍ସନାଲିଟି” ବୋଲି କହି, ତାଙ୍କର ଅନେକ ଗୁଣକୁ ସ୍ମରଣ କରିଥିଲେ। ସେ କହିଥିଲେ ବିଜୁ ବାବୁ ଥିଲେ ଜଣେ ସାହସୀ ବିମାନ ଚାଳକ। ସ୍ୱାଧୀନତା ସଂଗ୍ରାମୀ। ଦୃଢ଼ ରାଜନୀତିଜ୍ଞ, ଓଡ଼ିଶାର ଶିଳ୍ପାୟନର ମୂଳ ଶକ୍ତି। ସେ କହିଥିଲେ ଯେ ବିଜୁ ବାବୁ ଜୀବନକୁ ସାହସର ସହିତ ଜିଇଁଥିଲେ। ସେ ଆଗୁନ ସହ ଖେଳିବାକୁ ଓ ଆକାଶରେ ଉଡ଼ିବାକୁ ଭଲପାଉଥିଲେ, କିନ୍ତୁ ସେ ଏକ ଦାୟିତ୍ୱଶୀଳ ନେତା ଥିଲେ।

ଜେଲ୍ ଜୀବନର ସ୍ମୃତି

ବାଜପେୟୀ ଏମର୍ଜେନ୍ସି ସମୟର ଜେଲ୍ ଜୀବନକୁ ସ୍ମରଣ କରି କହିଥିଲେ ଯେ, ବିଜୁ ବାବୁ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ମଧ୍ୟ ଧୈର୍ଯ୍ୟ ଓ ସାହସ ହାରିନଥିଲେ। ଜେଲ୍ରେ ସେ ସହଯୋଗୀମାନଙ୍କୁ ଉତ୍ସାହ ଦେଉଥିଲେ ଓ ସମସ୍ତଙ୍କ ପାଇଁ ଏକ ଆଶାର ପ୍ରତୀକ ଥିଲେ। ଏହି ସମୟରେ ତାଙ୍କର ସତ୍ୟ ସ୍ୱଭାବ ପ୍ରକାଶ ପାଇଥିଲା।

ନିର୍ଲୋଭ ଓ ନିଷ୍ପକ୍ଷ ନେତୃତ୍ୱ

ବାଜପେୟୀ ଉଲ୍ଲେଖ କରିଥିଲେ ଯେ, ବିଜୁ ପଟ୍ଟନାୟକ କେବେ ନିଜ ପରିବାରକୁ ରାଜନୀତିରେ ଆଗକୁ ଆଣିବାର ଚେଷ୍ଟା କରିନଥିଲେ। ସେ ସଦା ସରଳ ଓ ସ୍ପଷ୍ଟବକ୍ତା ଥିଲେ। ସତ କହିବାରେ କେବେ ଭୟ କରୁ ନଥିଲେ। ବିଜୁ ବାବୁଙ୍କ ଏହି ଗୁଣ ଆଜିର ରାଜନୀତିରେ ଅତ୍ୟନ୍ତ ଦୁର୍ଲଭ।

ଆଧୁନିକ ଓଡ଼ିଶାର ନିର୍ମାତା

ବାଜପେୟୀ ସ୍ପଷ୍ଟ କରିଥିଲେ, ବିଜୁ ପଟ୍ଟନାୟକ ହେଲେ ଆଧୁନିକ ଓଡ଼ିଶାର ସ୍ଥାପତ୍ୟକାର। ତାଙ୍କ ଦୂରଦୃଷ୍ଟି ଓ ପ୍ରୟାସ ଫଳରେ ଓଡ଼ିଶା ଶିଳ୍ପ କ୍ଷେତ୍ରରେ ଆଗକୁ ବଢ଼ିଥିଲା ଓ ଦେଶର ଶିଳ୍ପ ମାନଚିତ୍ରରେ ନିଜ ସ୍ଥାନ ସୃଷ୍ଟି କରିଥିଲା।

ଏକ ଯୁଗର ଅନ୍ତ

ସେ ତାଙ୍କ ଭାଷଣର ଶେଷରେ କହିଥିଲେ, ବିଜୁ ପଟ୍ଟନାୟକଙ୍କ ବିୟୋଗ ସହିତ ଏକ ଯୁଗର ଅନ୍ତ ଘଟିଛି। ଏହି ଉକ୍ତି ସଭାରେ ଗଭୀର ପ୍ରଭାବ ପକାଇଥିଲା ଏବଂ ସମସ୍ତ ସଦସ୍ୟ ତାଙ୍କ ସହ ସମ୍ମତି ପ୍ରକାଶ କରିଥିଲେ।

ଅଟଳ ବିହାରୀ ବାଜପେୟୀଙ୍କ ଏହି ଭାଷଣ କେବଳ ଏକ ଶ୍ରଦ୍ଧାଞ୍ଜଳି ନୁହେଁ, ବରଂ ବିଜୁ ପଟ୍ଟନାୟକଙ୍କ ବିଶାଳ ବ୍ୟକ୍ତିତ୍ୱ ଓ ଅବଦାନର ଏକ ସଜୀବ ଚିତ୍ରଣ ଥିଲା। ତାଙ୍କ କଥାରେ ସ୍ପଷ୍ଟ ହୋଇଥିଲା ଯେ ବିଜୁ ବାବୁ କେବଳ ଓଡ଼ିଶାର ନୁହେଁ, ସମଗ୍ର ଭାରତର ଏକ ଅମୂଲ୍ୟ ସମ୍ପଦ ଥିଲେ—ଯାହାର ଅଭାବ ସଦା ଅନୁଭବ କରାଯିବ।

ନିଜ କ୍ଷମାରେ କଣ କହିଲେ ନିଶିକାନ୍ତ

ସୂଚନାଯୋଗ୍ୟ, ନିଶିକାନ୍ତ ଦୁବେ କ୍ଷମା ମାଗି କହିଛନ୍ତି, ଗତ ସପ୍ତାହରେ ସେ ଗଣମାଧ୍ୟମରେ ନେହେରୁ-ଗାନ୍ଧୀ ପରିବାରର କାରନାମା ଉପରେ କିଛି କହିଥିଲେ । ଏହି ବୟାନ ଦେଲା ବେଳେ ସେ ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆଦରଣୀୟ ବିଜୁ ପଟ୍ଟନାୟକଙ୍କ ଉପରେ କିଛି ଟିପ୍ପଣୀ କରିହିଥିଲେ । ତେବେ ତାଙ୍କ ବୟାନର ଭୁଲ ଅର୍ଥ ବାହାର କରାଯାଇଥିଲା । ସେ ଯାହା କହିଛନ୍ତି ଏହା ତାଙ୍କର ବ୍ୟକ୍ତିଗତ ଟିପ୍ପଣୀ । ନେହେରୁଙ୍କ ଉପରେ ସେ ଯାହା କହିଥିଲେ ତାକୁ ବିଜୁ ବାବୁଙ୍କ ପ୍ରତି କୁହାଯାଇଥିବା ଅନେକ ଭାବିଥିଲେ । ବିଜୁ ବାବୁ ସର୍ବଦା ଉପରେ ରହିବେ । ସେ ଜଣେ ଚମତ୍କାର ବ୍ୟକ୍ତିବିଶେଷ ଥିଲେ । ତାଙ୍କ ଅବଦାନ ଅତୁଳନୀୟ । ଯଦି ତାଙ୍କ ବକ୍ତବ୍ୟ କାହା ଭାବନାକୁ ଆଘାତ ଦେଇଛି ତେବେ ସେଥିପାଇଁ ସେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛନ୍ତି ।