କଟକ ୮।୩: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ରାୟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କଟକ ସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ତଦନ୍ତ ସମୟରେ ପ୍ରମୋଦ ରାୟଙ୍କ ପାଖରୁ କୋଟି କୋଟି ଟଙ୍କାର ସମ୍ପତ୍ତି ମିଳିଥିବା ବେଳେ ସେ ଏହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ ।

ଏ ଖବର ବି ପଢ଼ନ୍ତୁ:- ସୋମବାର ମହାପ୍ରଭୁଙ୍କ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଏହି ରେଡ୍ ସମୟରେ ତାଙ୍କର ଭୁବନେଶ୍ୱରରେ ପ୍ରାୟ ୮୦୦୦ ବର୍ଗଫୁଟର ଏକ ଚାରି ମହଲା କୋଠା ଏବଂ ଚୌଦ୍ୱାରରେ ୫୨୦୦ ବର୍ଗଫୁଟର ଏକ ଦୁଇ ମହଲା କୋଠା ଠାବ କରାଯାଇଛି । ଏହା ସହିତ ଭୁବନେଶ୍ୱର ଓ ଚୌଦ୍ୱାରରେ ଦୁଇଟି ଦାମୀ ପ୍ଲଟ୍, ନଗଦ ୪.୪୮ ଲକ୍ଷ ଟଙ୍କା ଏବଂ ପ୍ରାୟ ୩୯.୨୧ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଜବତ ହୋଇଛି । ଏହି ସମସ୍ତ ସମ୍ପତ୍ତି ତାଙ୍କର ଜ୍ଞାତ ଆୟଠାରୁ ଯଥେଷ୍ଟ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ଏ ଖବର ବି ପଢ଼ନ୍ତୁ:- ହିନ୍ଦୁ ଯୁବକର ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଲେ, ଜୋର ଜବରଦସ୍ତ କର୍ଣ୍ଣାଟକ ନେଇଯିବା ବେଳେ ଧରାପଡିଗଲେ

ପ୍ରମୋଦ ରାୟ ୧୯୮୮ ମସିହାରେ ମାତ୍ର ୧୫୦୦ ଟଙ୍କା ଦରମାରେ ଜଣେ ଜୁନିୟର ଇଞ୍ଜିନିୟର ଭାବେ ଚାକିରି ଆରମ୍ଭ କରିଥିବା ବେଳେ କିଭଳି ଭାବେ ସେ ଏତେ ପରିମାଣର ସମ୍ପତ୍ତି ଠୁଳ କଲେ, ସେ ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି । ଗିରଫ ଯନ୍ତ୍ରୀ ନିଜ ଆୟ ଠାରୁ ୧୨୯ ପ୍ରତିଶତ ସମ୍ପତ୍ତି ଆୟ ବହିର୍ଭୂତ ଭାବେ ଠୁଳ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଭିଜିଲାନ୍ସ ଏସପି କେ ଭେନୁଗୋପଲ ଆଚାର୍ଯ୍ୟ ।