କୋଲକାତା,୩୧ /୦୩ବିଧାନସଭା ନିର୍ବାଚନକୁ ନେଇ ପଶ୍ଚିମବଙ୍ଗ ରାଜନୀତି ସରଗରମ ରହିଛି । ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ନେତା ଏବଂ କର୍ମୀ ଦଳ ବଦଳ କରୁଛନ୍ତି । କେହି କେହି ରାଜନୈତିକ କ୍ୟାରିଅର ଆରମ୍ଭ କରୁଛନ୍ତି । ଏଠାରେ ବିଜେପି ଏବଂ ତୂଣମୂଳ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ମୁକାବିଲା ହେଉଥିବାରୁ ରାଜନୀତି ରୋଚକ ସ୍ଥିତିରେ ପହଁଚିଛି ।

ତେବେ ନିର୍ବାଚନ ପୂର୍ବରୁ ଭାରତର ପୂର୍ବତନ ଟେନିସ୍ ତାରକା ତଥା ମହାନ ଖେଳାଳି ଲିଆଣ୍ଡର ପେସ୍ ପଦ୍ମ ଧରିଛନ୍ତି । ସେ ମଙ୍ଗଳବାର ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ ଏବଂ ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ସେ ଭାରତୀୟ ଜନତା ପାର୍ଟିର ସଦସ୍ୟତା ଗ୍ରହଣ କରିଛନ୍ତି ।

​​​​​​​Also Read :-‘ଭାରତ ଆଜି ନିଜ ଇଚ୍ଛାରେ ତେଲ କିଣି ପାରୁନି, ପିଏମ ପୂରା କମ୍ପ୍ରୋମାଇଜଡ ହୋଇ ଯାଇଛନ୍ତି’

ଗତ କିଛି ଦିନ ତଳେ ଲିଆଣ୍ଡର କୋଲକାତାରେ ବିଜେପିର ଅନେକ ଟପ୍ ନେତାଙ୍କୁ ଭେଟିଥିଲେ । ଏହାସହ ସେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ ଏବଂ ପଶ୍ଚିମବଙ୍ଗ ବିଜେପି ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ଏହାପରେ ସେ ପଦ୍ମ ଧରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ସୂଚନାଯୋଗ୍ୟ, ଲିଆଣ୍ଡର ରାଜନୀତିରେ ନୂଆ ନୁହେଁ । ୨୦୨୧ରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଥିଲେ ।୨୦୨୨ ଗୋଆ ନିର୍ବାଚନରେ ତାଙ୍କୁ ଟିଏମସି ପକ୍ଷରୁ ପ୍ରଭାରୀ କରାଯାଇଥିଲା । ତେବେ ସେ ନିଜେ କୌଣସି ନିର୍ବାଚନ ଲଢିନଥିଲେ । ଏବେ ବିଜେପିରେ ସେମାଲି ହେଲା ପରେ ତାଙ୍କୁ ଦଳୀୟ ଟିକେଟ୍ ମିଳିବା ନେଇ ଚର୍ଚ୍ଚା ହେଉଛି । ତାଙ୍କୁ କୌଣସି ବିଧାନସଭା ଆସନରୁ ଲଢିବାକୁ ଦଳ କହିପାରେ ।