କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଉଭୟ ନେତାଙ୍କ ବିପକ୍ଷରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେଇଥିବା ଅଭିଯୋଗରେ ମାମଲା ଦାୟର ହୋଇଛି । ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ କୋଲକାତାର ଭବାନୀପୁର ପୁଲିସ ଷ୍ଟେସନରେ ଏକ ନୂତନ ମାମଲା ରୁଜୁ କରାଯାଇଛି। ଭବାନୀପୁରର ବାସିନ୍ଦା ଅର୍ଣ୍ଣବକାନ୍ତି ଦାସ ନାମକ ଜଣେ ବ୍ୟକ୍ତିଙ୍କ ଏଫ୍ଆଇଆର୍ ଆଧାରରେ ଏହି ମାମଲା ରୁଜ ହୋଇଥିବା ଜଣାପଡ଼ିଛି ।

ଅଭିଷେକ ବାନାର୍ଜୀ ନିଜ କ୍ଷମତାର ଅପବ୍ୟବହାର କରିବା ସହ ସୋସିଆଲ ମିଡିଆରେ ଉତ୍ତେଜନପୂର୍ଣ୍ଣ ଭାଷଣ ଦେଇଥିବା ନେଇ ଅଭିଯୋଗ ହୋଇଛି । ଅର୍ଣ୍ଣବକାନ୍ତି ଏଫ୍ଆଇଆର୍ ସହିତ ସେହି ବିବାଦୀୟ ପୋଷ୍ଟ ମଧ୍ୟ ସଂଲଗ୍ନ କରିଛନ୍ତି। ଗତ ମେ’ ୨ ତାରିଖରେ ଅଭିଷେକ ବାନାର୍ଜୀ ନିଜ 'X' (ଟ୍ୱିଟର) ହ୍ୟାଣ୍ଡେଲରେ ଲେଖିଥିଲେ, ‘ତୁମେ ଯଦି ୧୦ ଥର ମଧ୍ୟ ଜନ୍ମ ହେବ, ତଥାପି ତୁମର ବାଂଲା-ବିରୋଧୀ ଗୁଜରାଟୀ ଗ୍ୟାଙ୍ଗ ମୋର ଡାଇମଣ୍ଡ ହାର୍ବର ମଡେଲର ସାମାନ୍ୟତମ କ୍ଷତି କରିପାରିବ ନାହିଁ।’ ଏହି ବୟାନକୁ ନେଇ ବର୍ତ୍ତମାନ ବିବାଦ ତୀବ୍ର ହୋଇଛି।

ଅଭିଷେକ ବାନାର୍ଜୀଙ୍କ ଉପରେ ଏହା ପ୍ରଥମ ମାମଲା ନୁହେଁ, ନିର୍ବାଚନ ପ୍ରଚାର ସମୟରେ ମଧ୍ୟ ତାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା। କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅମିତ ଶାହଙ୍କୁ ଧମକ ଦେଇଥିବା ଅଭିଯୋଗରେ ବିଧାନନଗର ସାଇବର କ୍ରାଇମ ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ରାଜୀବ ସରକାର ନାମକ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗ ଆଧାରରେ ବିଏନଏସ୍ ବଂ ଜନପ୍ରତିନିଧି ଅଧିନିୟମର ପ୍ରାୟ ୬ଟି ଗୁରୁତ୍ୱପୂର୍ଣ୍ଣ ଧାରା ଅନୁଯାୟୀ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ।

ମମତା ବାନାର୍ଜୀଙ୍କ ବିରୋଧରେ ଅଭିଯୋଗ

ଅନ୍ୟପଟେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ନାମରେ ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ମଙ୍ଗଳବାର ଦିନ ଆଡଭୋକେଟ୍ ରିଙ୍କି ସିଂ ଚାଟାର୍ଜୀ ସିଲିଗୁଡ଼ି ସାଇବର କ୍ରାଇମ ପୁଲିସ ଷ୍ଟେସନରେ ମମତାଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ୨୦୨୫ ମସିହାରେ ମମତା ବାନାର୍ଜୀ ଏକ ନିର୍ଦ୍ଦିଷ୍ଟ ସମୁଦାୟ ଓ ଧର୍ମକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଧର୍ମକୁ ‘ଅଳିଆ ଆବର୍ଜନା’ ବୋଲି କହିଥିଲେ । ଏହି କାରଣରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ପଶ୍ଚିମବଙ୍ଗ ନିର୍ବାଚନରେ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ କ୍ଷମତାଚ୍ୟୁତ ହୋଇଥିବା ଟିଏମସି ପାଇଁ ଏହି ଆଇନଗତ ମାମଲାଗୁଡ଼ିକ ଏକ ବଡ଼ ଝଟକା । ଗୋଟିଏ ପଟେ ନିର୍ବାଚନ ହାରିବାର ନିରାଶା ଏବଂ ଅନ୍ୟପଟେ ଶୀର୍ଷ ନେତୃତ୍ୱଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନ ଦଳର ଭାବମୂର୍ତ୍ତିକୁ ଆହୁରି ଦୁର୍ବଳ କରୁଛି। ସେପଟେ ଏହା ଅହଙ୍କାରର ପରିଣାମ ବୋଲି ଟିଏମସିକୁ କଟାକ୍ଷ କରି କହୁଛନ୍ତି ବିରୋଧୀ ।