ନୂଆଦିଲ୍ଲୀ: ୨୦୦୯ ମସିହାରେ ଆସାମର ଗୋଟିଏ ପରିବାର ଏକ ଅନାଥ ଶାଳିଆପତନି ଛୁଆକୁ ଉଦ୍ଧାର କରି ପାଳିଥିଲେ । ପରିବାରର ଏହି ସେବାଭାବର ଅଦ୍ଭୁତ କାହାଣୀ ଏବେ ଏନସିଇଆରଟି ଦଶମ ଶ୍ରେଣୀ ଇଂରାଜୀ ବହିରେ ସ୍ଥାନ ପାଇଛି । ଅଞ୍ଜଳି ସାଇକିଆ ସେହି ପଶୁ ଛୁଆ (ଭକତ)କୁ ନିଜ ଛୋଟ ପୁଅ ସହିତ ସ୍ତନ୍ୟପାନ କରାଇ ବଢ଼ାଇଥିଲେ । ସେହି ଦିନଠାରୁ ପଶୁଟି ପରିବାରର ଏକ ସଦସ୍ୟ ପାଲଟିଯାଇଥିଲା ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ୧୭ ବର୍ଷ ପୂର୍ବେ ପାଳିଥିବା ଶାଳିଆପତନି ଛୁଆ 'ଭକତ'ର କାହାଣୀ ଦଶମ ଶ୍ରେଣୀର ଇଂରାଜୀ ୱର୍କବୁକରେ ପଢ଼ାଯାଉଛି ଜାଣି ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସାନପୁଅ ଗିବନ ସାଇକିଆ ନବୋଦୟ ବିଦ୍ୟାଳୟରୁ ବୋର୍ଡ ପରୀକ୍ଷା ସାରି ଘରକୁ ବହି ଧରି ଫେରିବା ପରେ ଧରଣୀ ସାଇକିଆ ଏବଂ ତାଙ୍କ ପତ୍ନୀ ଅଞ୍ଜଳି ଏହି କଥା ଜଣିଥିଲେ ।

ପରିବାରକୁ କିପରି ମିଳିଥିଲା ଶାଳିଆପତନି ଛୁଆ ?

ଆସାମର ନଗାଓଁ ଜିଲ୍ଲା ତେତେଲିସରା ଗାଁର ଏହି କାହାଣୀ । ଦିନେ ଏକ ୧୫ ଦିନର ଶାଳିଆପତନି ଛୁଆ ନଡ଼ିଆ ଗଛରୁ ତଳେ ଖସି ପଡ଼ିଥିଲା । ସେ ଏତେ ଛୋଟ ଥିଲା ଯେ ବଞ୍ଚିବା ତା’ ପାଇଁ ସମ୍ଭବ ନଥିଲା । ଗ୍ରାମବାସୀ ତାକୁ ପାଇ ପଶୁପ୍ରମେୀ ଭାବେ ଅଞ୍ଚଳରେ ଜଣାଶୁଣା ଧରଣୀଙ୍କୁ ଦେଇଥିଲେ । ବନ୍ୟପ୍ରାଣୀ ଉଦ୍ଧାର କେନ୍ଦ୍ର ପରାମର୍ଶ ଦେଇଥିଲା ଯେ ଯଦି ଏହି ପଶୁ ଛୁଆକୁ ମା’ କ୍ଷୀର ମିଳିବ, ତେବେ ସେ ବଞ୍ଚିଯାଇପାରେ ।

ପଶୁ ଛୁଆକୁ ସ୍ତନ୍ୟପାନ କରାଇଲେ ଅଞ୍ଜଳି

ଅଞ୍ଜଳି କୁହନ୍ତି, "ଯେତେବେଳେ ମୋ ସ୍ୱାମୀ ଓ ବଡ଼ ପୁଅ ସେହି ଛୁଆକୁ ଘରକୁ ଆଣିଲେ, ତାକୁ କ୍ଷୀରର ଦରକାର ଥିଲା ।" ସେହି ସମୟରେ ଅଞ୍ଜଳିଙ୍କ ସାନପୁଅ ଗିବନକୁ ମାତ୍ର ୬ ମାସ ହୋଇଥିଲା । ତେଣୁ ଅଞ୍ଜଳି ନିଜ ପୁଅ ସହିତ ସେହି ଅସହାୟ ପଶୁ ଛୁଆକୁ ମଧ୍ୟ ସ୍ତନ୍ୟପାନ କରାଇବାକୁ ନିଷ୍ପତ୍ତି ନେଲେ । ସେ ପ୍ରାୟ ୩ ମାସ ପର୍ଯ୍ୟନ୍ତ ‘ଭକତ’କୁ ନିଜ ସ୍ତନରୁ କ୍ଷୀର ଖୁଆଇଥିଲେ, ଯାହାପରେ ସେ ବଞ୍ଚିଗଲା ।

ପରିବାରର ପୁଅ ପାଲଟିଗଲା 'ଭକତ'

ଧୀରେ ଧୀରେ ଭକତ ସେହି ପରିବାର ସଦସ୍ୟ ହୋଇଗଲା । ତାକୁ ପଞ୍ଜୁରୀରେ ନ ରଖି ଖୋଲାରେ ଛଡ଼ାଯାଉଥିଲା । ସେ ମଣିଷଙ୍କ ଭଳି ବିସ୍କୁଟ ଓ ଅନ୍ୟାନ୍ୟ ଖାଦ୍ୟ ଖାଉଥିଲା । ପରିବାରର ଦୁଇ ପୁଅଙ୍କ ସହ ସେ ଶୋଉଥିଲା । ଏହିପରି ଭାବେ ମଣିଷ ଓ ପଶୁ ମଧ୍ୟରେ ଏକ ଅନାବିଳ ପ୍ରେମ ସୃଷ୍ଟି ହୋଇଥିଲା ।

ବହିରେ କେମିତି ସ୍ଥାନ ପାଇଲା ଏହି କାହାଣୀ ?