ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସ ନେତାମାନଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗଗୁଡ଼ିକ ତାଙ୍କ ଭାବମୂର୍ତ୍ତିକୁ ଖରାପ କରୁଛି । ହିମନ୍ତ ବିଶ୍ବଶର୍ମା କଂଗ୍ରେସ ନେତା ଗୌରବ ଗୋଗୋଇ ଏବଂ ଅନ୍ୟ ଦୁଇଜଣଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସ ନେତାମାନେ କୌଣସି ପ୍ରମାଣ ବିନା ଗମ୍ଭୀର ଅଭିଯୋଗ ଆଣିଛନ୍ତି । ଏସବୁ ମିଛ ଅଭିଯୋଗ ତାଙ୍କ ବ୍ୟକ୍ତିଗତ ଏବଂ ରାଜନୈତିକ ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇଛି।

ହିମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, ଆଇନର ଆଶ୍ରୟ ନେଇ ସେମାନଙ୍କୁ ଜବାବ ଦେବେ। ରାଜନୀତିରେ ମତଭେଦ ଥାଇପାରେ, କିନ୍ତୁ ମିଥ୍ୟା ଅଭିଯୋଗ ଆଣିବା ଭୁଲ। ତେଣୁ, ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ଆସାମ କଂଗ୍ରେସ ଶାସକ ବିଜେପି ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରିଛି। କଂଗ୍ରେସ ବିଧାୟକ ଶିବମଣି ବୋରା ଏବଂ ଦିଗନ୍ତ ବର୍ମନ ଗୌହାଟୀର ଦିସପୁର ପୋଲିସ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ର୍ମାଙ୍କ ହାତରେ ରାଇଫଲ୍ ଧରିଥିବା ଏକ ଭିଡିଓ ସମ୍ପର୍କରେ ଅଭିଯୋଗ ଦାଖଲ କରିଛନ୍ତି। ଭିଡିଓଟି ସେୟାର ହେବା ମାତ୍ରେ ବିବାଦ ସୃଷ୍ଟି ହୋଇଥିଲା। କିନ୍ତୁ ବିବାଦ ବଢ଼ିବା ପରେ ଭିଡିଓଟିକୁ ଡିଲିଟ କରିଦିଆଯାଇଥିଲା।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର ଦିନ କହିଛନ୍ତି ଯେ, କଂଗ୍ରେସ ନେତା ଗୌରବ ଗୋଗୋଇ, ଜିତେନ୍ଦ୍ର ସିଂହ ଏବଂ ଭୂପେଶ ବାଘେଲଙ୍କ ବିରୋଧରେ ୫୦୦ କୋଟି ଟଙ୍କାର ମାନହାନି ମାମଲା ଦାୟର କରିଛନ୍ତି । ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଏହି ମାମଲା ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଦେଇଥିବା ମନ୍ତବ୍ୟ ପରେ ହୋଇଛି। ସେ ଲେଖିଛନ୍ତି, ‘ଆଜି, ମୁଁ କଂଗ୍ରେସ ନେତା ଜିତେନ୍ଦ୍ର ସିଂହ, ଭୂପେଶ ବଘେଲ ଏବଂ ଗୌରବ ଗୋଗୋଇଙ୍କ ବିରୋଧରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ମୋ ବିରୁଦ୍ଧରେ ମିଥ୍ୟା, ଦୂଷିତ ଏବଂ ମାନହାନିମୂଳକ ଅଭିଯୋଗ ବିରୋଧରେ ୫୦୦ କୋଟି ଟଙ୍କାର କ୍ଷତି ପୂରଣ ଦାବି କରି ମାନହାନି ମାମଲା ଦାୟର କରିଛି।’

​​​​​​​

ହିମନ୍ତ ବିଶ୍ବଶର୍ମା ଆହୁରି କହିଛନ୍ତି, ‘ହିଟ୍-ଆଣ୍ଡ-ରନ୍ ରାଜନୀତିର ଯୁଗ ଶେଷ ହୋଇଛି। ଯଦି ସେମାନଙ୍କ ପାଖରେ ଟିକେ ବି ସାହସ କିମ୍ବା ପ୍ରମାଣ ଅଛି, ତେବେ ସେମାନେ ପ୍ରତ୍ୟେକ ଅଭିଯୋଗକୁ ଅଦାଲତ ସମ୍ମୁଖରେ ପ୍ରମାଣ କରନ୍ତୁ । ମୁଁ ଗାନ୍ଧୀ ପରିବାରର ତଥାକଥିତ ଦାସମାନଙ୍କ ପ୍ରଚାର, ସମନ୍ୱିତ ଅପବାଦ କିମ୍ବା ରାଜନୈତିକ ନାଟକ ଦ୍ୱାରା ଭୟଭୀତ ହେବି ନାହିଁ ।’