ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୬ର ହକି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନରେ ଖେଳା ଯାଇଛି ସେମି ଫାଇନାଲ୍ ମ୍ୟାଚ୍। ଏହି ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନକୁ ୪-୩ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି। ଖେଳ ସରିବାକୁ ମାତ୍ର ୫୦ ସେକେଣ୍ଡ ବାକି ଥିବା ବେଳେ ଅଭିଷେକ ଗୋଲ୍ ଦେଇ ଭାରତକୁ ସ୍ମରଣୀୟ ବିଜୟ ଦେଇଛନ୍ତି। ପାକିସ୍ତାନ ପାଖରେ ଶେଷ ସେକେଣ୍ଡରେ ସୁଯୋଗ ଥିଲା। ମାତ୍ର ହୁଟର ବାଜିବା ମାତ୍ରେ ପାକିସ୍ତାନର ଫାଇନାଲ୍ ଯିବା ଆଶା ଧୂଳିସାତ ହୋଇଛି। ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତିବା ଦଳ ସିଧାସଳଖ ଲସ ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବ।

ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟର ଅର୍ଥାତ୍ ପ୍ରାରମ୍ଭିକ ୧୫ ମିନିଟ୍ ମଧ୍ୟରେ ଟିମ୍ ଇଣ୍ଡିଆ ୨-୦ରେ ଅଗ୍ରଣୀ ହୋଇସାରିଥିଲା। ଅଧିନାୟକ ହରମନପ୍ରୀତ ସିଂହ ୫ମ ମିନିଟରେ ପ୍ରଥମ ଗୋଲ୍ ଦେଇ ଖାତା ଖୋଲିଥିବାବେଳେ, ୧୩ତମ ମିନିଟରେ ଆଉ ଏକ ଜବରଦସ୍ତ ଗୋଲ୍ କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ।

Also Read: Asian Games: ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ଭାରତ, ଗୋଲ୍ଡ ପାଇଁ ମୁହାଁମୁହିଁ ହେବେ ଇଣ୍ଡିଆ-ପାକିସ୍ତାନ

ଏହାପରେ ପାକିସ୍ତାନ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ସ୍କୋର କରିଥିଲେ। ଭାରତ ପାଇଁ ସୁଖଜିତ ସିଂହ ୨୩ତମ ମିନିଟରେ ଗୋଲ୍ ଦେଇଥିବାବେଳେ, ପାକିସ୍ତାନ ପକ୍ଷରୁ ଅବୁ ମହମ୍ମଦ ୩୦ତମ ମିନିଟରେ ଗୋଲ୍ ସୁଝାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୩-୧ ଗୋଲରେ ଆଗରେ ରହିଥିଲା।

ତୃତୀୟ ଓ ଚତୁର୍ଥ କ୍ୱାର୍ଟରରେ ବଢ଼ିଲା ରୋମାଞ୍ଚ

ତୃତୀୟ କ୍ୱାର୍ଟରଟି ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ନାଁରେ ରହିଥିଲା। ଏହି ସମୟରେ ଭାରତ କୌଣସି ଗୋଲ୍ କରିପାରି ନଥିବାବେଳେ ପାକିସ୍ତାନ ଗୋଟିଏ ଗୋଲ୍ ଦେଇ ସ୍କୋର ୩-୨କୁ ଆଣିଥିଲା। ମ୍ୟାଚର ୪୯ତମ ମିନିଟରେ ପାକିସ୍ତାନର ୱାହିଦ ରାଣା ତୃତୀୟ ଗୋଲ୍ ଦେଇ ମ୍ୟାଚକୁ ୩-୩ର ବରାବର ସ୍ଥିତିକୁ ଆଣିଥିଲେ। ମ୍ୟାଚ୍ ସରିବାକୁ ମାତ୍ର କିଛି ମିନିଟ୍ ବାକି ଥିବାରୁ ଏବଂ ପେନାଲ୍ଟି ସୁଟଆଉଟ୍ ଆଡ଼କୁ ମ୍ୟାଚ୍ ଗଡ଼ୁଥିବା ଆଶଙ୍କା ଥିବାରୁ ଉଭୟ ଦଳ ଉପରେ ପ୍ରବଳ ଚାପ ରହିଥିଲା।

Also Read: ତୀରନ୍ଦାଜୀରେ ଭାରତର ପୁଣି ସ୍ୱର୍ଣ୍ଣିମ ସଫଳତା, କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଜିତିଲା ଗୋଲ୍ଡ ମେଡାଲ୍

ଶେଷ ମିନିଟରେ ଅଭିଷେକଙ୍କ ଚମତ୍କାର ଗୋଲ୍

ଠିକ୍ ମ୍ୟାଚର ଶେଷ ମିନିଟ୍ ଅର୍ଥାତ୍ ୬୦ତମ ମିନିଟରେ ଅଭିଷେକ ଏକ ଅବିଶ୍ୱସନୀୟ ଗୋଲ୍ କରି ସମସ୍ତ ସମୀକରଣ ବଦଳାଇ ଦେଇଥିଲେ। ତାଙ୍କର ଏହି ନିର୍ଣ୍ଣାୟକ ଗୋଲ୍ ବଳରେ ଭାରତ ପୁଣି ତରେ ୪-୩ରେ ଅଗ୍ରଣୀ ହୋଇଥିଲା ଏବଂ ହୁଟର ବାଜିବା ମାତ୍ରେ ପାକିସ୍ତାନର ଫାଇନାଲ୍ ଆଶା ଧୂଳିସାତ ହୋଇଯାଇଥିଲା।

ବର୍ତ୍ତମାନ ମାଲେସିଆ ଏବଂ କୋରିଆ ମଧ୍ୟରେ ଅନୁଷ୍ଠିତ ହେବାକୁଥିବା ଦ୍ୱିତୀୟ ସେମିଫାଇନାଲର ବିଜେତା ସହ ଫାଇନାଲରେ ଭାରତର ମୁକାବିଲା ହେବ। ସ୍ୱର୍ଣ୍ଣ ପଦକ ପାଇଁ ହେବାକୁ ଥିବା ଏହି ମହାମୁକାବିଲାରେ କେଉଁ ଦଳ ଭାରତକୁ ଟକ୍କର ଦେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।