ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (AAP)ର ଅଡ଼ୁଆ ବଢ଼ିବାରେ ଲାଗିଛି । ଆପ୍ରୁ ୭ ସାଂସଦ ବାହାରିଯିବା ପରେ ଦଳର ସ୍ଥିତି ଚିନ୍ତାଜନକ ରହିଛି। ଏହାରି ମଧ୍ୟରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ନ୍ୟାୟିକ ଲଢ଼େଇରେ ଫସି ଫସି ଯାଉଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଜ୍ ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ବିରୋଧରେ କେଜ୍ରିଓ୍ବାଲ ‘ସତ୍ୟାଗ୍ରହ’ ଆରମ୍ଭ କରିଥିଲେ । କେଜ୍ରିଓ୍ବାଲଙ୍କ ଏହି ନିଷ୍ପତ୍ତି ତାଙ୍କ ପାଇଁ ବୁମେରାଂ ହୋଇପାରେ । ସେପଟେ କେଜ୍ରିଓ୍ବାଲଙ୍କ ସମର୍ଥନରେ ବାହାରିଛନ୍ତି ମନୀଷ ସିସୋଦିଆ ଏବଂ ଦୁର୍ଗେଶ ପାଠକ । ମଦ ଦୁର୍ନୀତି ମାମଲାରେ ଆଜି ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ସମ୍ମୁଖରେ କେଜ୍ରିଓ୍ବାଲ-ସିସୋଦିଆଙ୍କ ହାଜର ହେବାର ଥିଲା । କିନ୍ତୁ ଦୁଇ ନେତାଙ୍କ ପକ୍ଷରୁ କୌଣସି ଓକିଲ ମଧ୍ୟ, କୋର୍ଟରେ ପହଞ୍ଚିନଥିଲେ ।

ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମା , କେଜ୍ରିଓ୍ବାଲ ଏବଂ ସିସୋଦିଆଙ୍କୁ ‘ଶେଷ ସୁଯୋଗ’ ଦେଇଛନ୍ତି । ହେଲେ ଏହାକୁ ନେଇ ପାଲଟା ଜବାବ ଦେଇଛି ଆମ୍ ଆଦମୀ ପାର୍ଟି । ଆପ୍ର ରାଷ୍ଟ୍ରୀୟ ମିଡିଆ ପ୍ରଭାରୀ ଅନୁରାଗ ଢାଣ୍ଡା କହିଛନ୍ତି, ସତ୍ୟାଗ୍ରହ ପାଇଁ ଯେଉଁ ଦଣ୍ଡ ମିଳିବ ଭୋଗିବା ପାଇଁ ପ୍ରସ୍ତୁତ । ଯେଉଁଠୁ ନ୍ୟାୟ ମିଳିବାର ଆଶା ନାହିଁ ସେଠାକୁ ଯିବାର କୌଣସି ଫାଇଦା ନାହିଁ । ଅନୁରାଗ କହିଛନ୍ତି,‘କେଜ୍ରିଓ୍ବାଲ, ସିସୋଦିଆ ଏବଂ ଦୁର୍ଗେଶ ପାଠକଙ୍କ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ସେମାନେ କୋର୍ଟରେ ହାଜର ହେବେ ନାହିଁ । ଆମ ପାଇଁ ଏଇଟା ହିଁ ସତ୍ୟାଗ୍ରହ ।’

ପରିଣାମ ଭୋଗିବାକୁ ପ୍ରସ୍ତୁତ

ଆପ୍ ନେତା କହିଛନ୍ତି, ନ୍ୟାୟିକ ବିକଳ୍ପ ଉପରେ ଚିନ୍ତା କରାଯିବ । କିନ୍ତୁ ଜଷ୍ଟିସ ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ଖଣ୍ଡପୀଠ ସାମ୍ନାରେ ୩ ନେତା ହାଜର ହେବେ ନାହିଁ । ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି, ଯେଉଁଠି ନ୍ୟାୟ ମିଳିବାର ଆଶା ନାହିଁ, ସେଠାରେ ଉପସ୍ଥିତ ହେବାର କୌଣସି କାରଣ ନାହିଁ। ପରବର୍ତ୍ତୀ ସମୟରେ ଆଇନଗତ ଭାବରେ ଅନ୍ୟ ବିକଳ୍ପ ଆପଣାଇବୁ । କିନ୍ତୁ ଏବେ ସୁଦ୍ଧା ସ୍ପଷ୍ଟ ଯେ, ଆମେ ୩ ନେତା ବ୍ୟକ୍ତିଗତ ଭାବରେ କୋର୍ଟରେ ହାଜର ହେବୁ ନାହିଁ କିମ୍ବା ଓକିଲ ଯିବେ ନାହିଁ ।

ଶେଷ ସୁଯୋଗ ଦେଲେ ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମା

ସେ କହିଛନ୍ତି, ଆମେ ରେକର୍ଡ ମାଗିଛୁ, ସୋମାବାର ଶୁଣାଣି କରିବୁ । ମଦ ଦୁର୍ନୀତି ମାମଲାରେ ଅନ୍ୟ ପକ୍ଷମାନେ ନିଜ ନିଜର ଜବାବ ଦାଖଲ କରିଛନ୍ତି । କିନ୍ତୁ ବାହାରେ ଥିବା କିଛି ଅଭିଯୁକ୍ତ ନିଜର ପକ୍ଷ ରଖିନାହାନ୍ତି। ଜବାବ ଦେବାକୁ ତାଙ୍କୁ ଶେଷ ସୁଯୋଗ ଦିଆଯାଇଛି । ଶନିବାର ସୁଦ୍ଧା (କେଜ୍ରିଓ୍ବାଲଙ୍କୁ) ଜବାବ ଦାଖଲ କରିବାକୁ ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମା କହିଛନ୍ତି ।

ଓହରି ନଥିଲେ ଜଷ୍ଟିସ୍ ଶର୍ମା

ଏପ୍ରିଲ ୨୦ରେ ଜଷ୍ଟିସ ଶର୍ମାଙ୍କୁ ମାମଲାରୁ ହଟାଇବା ପାଇଁ କେଜ୍ରିଓ୍ବାଲ ଏବଂ ସିସୋଦିଆ ଦାବି କରିଥିଲେ । କିନ୍ତୁ ସେମାନଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମା । ଏହା ପରେ ଆପ୍ ନେତା ଘୋଷଣା କରିଥିଲେ, ସେମାନେ ବ୍ୟକ୍ତିଗତ କିମ୍ବା ଓକିଲଙ୍କ ମାଧ୍ୟମରେ ଜଷ୍ଟିସ୍ ସ୍ବର୍ଣ୍ଣକାନ୍ତା ଶର୍ମାଙ୍କ ନିକଟରେ ହାଜର ହେବେ ନାହିଁ ।