ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ (Pema Khandu) ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ନାମରେ ଆସିଥିବା ବ୍ୟାପକ ଦୁର୍ନୀତି ଏବଂ ସ୍ୱଜନପ୍ରୀତି ଅଭିଯୋଗକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୋମବାର (ଏପ୍ରିଲ୍ ୬, ୨୦୨୬) ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ସିବିଆଇ (CBI) ର ଏକ ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ରହିଛି ଯେ, ଖାଣ୍ଡୁ ନିଜ କ୍ଷମତାର ଅପବ୍ୟବହାର କରି ନିଜ ପରିବାର ଓ ସମ୍ପର୍କୀୟଙ୍କୁ ବିନା ଖୋଲା ଟେଣ୍ଡରରେ ପ୍ରାୟ ୧,୨୭୦ କୋଟି ଟଙ୍କାର ସରକାରୀ ଠିକା ପ୍ରଦାନ କରିଛନ୍ତି।

ଅଭିଯୋଗ କ'ଣ ରହିଛି?

ଏନଜିଓ (NGO) 'ଭୋଲୁଣ୍ଟାରୀ ଅରୁଣାଚଳ ସେନା' ଏବଂ 'ସେଭ୍ ମୋନ୍ ରିଜିଅନ୍ ଫେଡେରେସନ୍' ପକ୍ଷରୁ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଓ ନେହା ରାଠୀ ଏହି ଆବେଦନ କରିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଜାନୁଆରୀ ୨୦୧୫ ରୁ ଡିସେମ୍ବର ୩୧, ୨୦୨୫ (ଦୀର୍ଘ ୧୦ ବର୍ଷ) ମଧ୍ୟରେ ରାଜ୍ୟରେ ସ୍ୱଚ୍ଛ ତଥା ଖୋଲା ଟେଣ୍ଡର (Open tender) ବ୍ୟବସ୍ଥାକୁ ଉଲ୍ଲଂଘନ କରାଯାଇ ଖୋଲାଖୋଲି ଭାବେ ବ୍ୟାପକ ଦୁର୍ନୀତି ଏବଂ ସ୍ୱଜନପ୍ରୀତି କରାଯାଇଛି।

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ସିବିଆଇକୁ ନିମ୍ନଲିଖିତ ନିର୍ଦ୍ଦେଶ ଦେଇଛନ୍ତି:

  •  ଆସନ୍ତା ୨ ସପ୍ତାହ ମଧ୍ୟରେ ସିବିଆଇ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିବ।
  •  ଆସନ୍ତା ୧୬ ସପ୍ତାହ ମଧ୍ୟରେ ସିବିଆଇକୁ ନିଜର ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ହେବ।
  •  ବିଶେଷ କରି ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ତାଙ୍କ ଭାଇ ସେରିଙ୍ଗ୍ ତାଶି (Tsering Tashi) ଏବଂ ସାବତ ମା' ରିଞ୍ଚିନ୍ ଡ୍ରେମା (Rinchin Drema) ତଥା ସେମାନଙ୍କ ସହ ଜଡ଼ିତ ବ୍ୟକ୍ତିବିଶେଷ ଓ ସଂସ୍ଥାଗୁଡ଼ିକୁ ମିଳିଥିବା ସରକାରୀ ଠିକାର ସ୍ୱତନ୍ତ୍ର ଯାଞ୍ଚ କରିବାକୁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରାଥମିକ ତଦନ୍ତ କେବଳ ଅଭିଯୋଗର ସତ୍ୟତା ଜାଣିବା ପାଇଁ ଉଦ୍ଦିଷ୍ଟ।

ସିବିଆଇର ତଦନ୍ତ ପରିସର

ଏହି ୧୦ ବର୍ଷ ମଧ୍ୟରେ କିପରି ସରକାରୀ ଠିକା ପ୍ରଦାନ କରାଯାଇଥିଲା, ଖୋଲା ଟେଣ୍ଡର ବ୍ୟବସ୍ଥାକୁ କାହିଁକି ବାଦ୍ ଦିଆଯାଇଥିଲା, ସରକାରୀ ନିୟମ ପାଳନ ହୋଇଛି କି ନାହିଁ ଏବଂ ପାଣ୍ଠି କେଉଁଠିକି ଯାଇଛି, ସେସବୁର ଖୋଳତାଡ଼ ସିବିଆଇ କରିବ। ଆବଶ୍ୟକ ପଡ଼ିଲେ ବେଆଇନ କାରବାରର ମୂଳ ତଥା ହିତାଧିକାରୀଙ୍କ ସମ୍ପର୍କ ଖୋଜିବା ପାଇଁ ସିବିଆଇ ୨୦୧୫ ପୂର୍ବର ତଥ୍ୟ ମଧ୍ୟ ଯାଞ୍ଚ କରିପାରିବ ବୋଲି ରାୟରେ ଉଲ୍ଲେଖ ରହିଛି।

ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ତାଗିଦ୍

  • ଅରୁଣାଚଳ ପ୍ରଦେଶ ସରକାର ଏବଂ ଏହାର ସମସ୍ତ ବିଭାଗ ସିବିଆଇକୁ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
  •  ୪ ସପ୍ତାହ ମଧ୍ୟରେ ସିବିଆଇକୁ ସମସ୍ତ ପ୍ରଶାସନିକ ଅନୁମୋଦନ, ଟେଣ୍ଡର କାଗଜପତ୍ର, ୱାର୍କ ଅର୍ଡର, ବିଲ୍, ଭାଉଚର୍, ବ୍ୟବହାର ପ୍ରମାଣପତ୍ର ଏବଂ ଇ-ପ୍ରୋକ୍ୟୁରମେଣ୍ଟ୍ ସମ୍ପର୍କିତ ଡାଟା ପ୍ରଦାନ କରିବାକୁ କୁହାଯାଇଛି।
  •  ସିବିଆଇ ସହ ସମନ୍ୱୟ ରକ୍ଷା କରିବା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ଜଣେ 'ନୋଡାଲ୍ ଅଫିସର' ନିଯୁକ୍ତ କରିବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ବିଭାଗଗୁଡ଼ିକ ମଧ୍ୟ ସିବିଆଇକୁ ସମସ୍ତ ରେକର୍ଡ ଦେବା ପାଇଁ ନିଜର ନୋଡାଲ୍ ଅଫିସର ନିଯୁକ୍ତ କରିବେ।