ୱାଶିଂଟନ୍ / ନୂଆଦିଲ୍ଲୀ: ନାସାର ଐତିହାସିକ 'ଆର୍ଟେମିସ୍ ୨' ମିଶନ ଏବେ ଉତକ୍ଷେପଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରାୟ ୬୦ ବର୍ଷ ପରେ ୪ ଜଣ ମହାକାଶଚାରୀ ଚନ୍ଦ୍ର ଅଭିମୁଖେ ଯାତ୍ରା କରି ଇତିହାସ ରଚିବାକୁ ଯାଉଛନ୍ତି। ଏହି ଟିମରେ ଅଛନ୍ତି ମିଶନ୍ କମାଣ୍ଡର ରିଡ୍ ୱାଇଜମ୍ୟାନ୍, ପାଇଲଟ୍ ଭିକ୍ଟର୍ ଗ୍ଲୋଭର୍, ମିଶନ୍ ସ୍ପେଶାଲିଷ୍ଟ ଖ୍ରୀଷ୍ଟିନା କୋଚ୍ ଏବଂ କାନାଡା ସ୍ପେସ୍ ଏଜେନ୍ସିର ମହାକାଶଚାରୀ ଜେରେମି ହାନସେନ୍। ତେବେ ଏହି ଐତିହାସିକ ଯାତ୍ରା ପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ଏଥିରେ ଥିବା ବିପଦ ସମ୍ପର୍କରେ ମଧ୍ୟ ସେମାନେ ଭଲଭାବେ ଅବଗତ ଅଛନ୍ତି। ମିଶନ୍ କମାଣ୍ଡର ତଥା ସିଙ୍ଗଲ୍ ଫାଦର ରିଡ୍ ୱାଇଜମ୍ୟାନ୍ ନିଜର ଦୁଇ ଝିଅଙ୍କୁ ଏଥିରେ ତାଙ୍କର ମୃତ୍ୟୁ ହେଲେ କ'ଣ କରିବାକୁ ହେବ, ସେନେଇ ପୂର୍ବରୁ ସବୁକିଛି ବୁଝାଇ ସାରିଛନ୍ତି।

Also Read: Artemis 2 Launch Delay Risk: ପୃଥିବୀ ଆଡ଼କୁ ମାଡ଼ି ଆସୁଛି ସୌରଝଡ଼, ଟେନସନରେ NASA ବୈଜ୍ଞାନିକ

"ମୃତ୍ୟୁ ହେଲେ କ'ଣ ହେବ?"ଝିଅଙ୍କୁ ବୁଝାଇଲେ ୱାଇଜମ୍ୟାନ୍

୫୦ ବର୍ଷୀୟ ରିଡ୍ ୱାଇଜମ୍ୟାନ୍ ହେଉଛନ୍ତି ଦୁଇ କିଶୋରୀ ଝିଅ ଏଲି ଏବଂ କ୍ୟାଥରିନଙ୍କ ସିଙ୍ଗଲ୍ ଫାଦର୍ । ୨୦୨୦ ମସିହାରେ କ୍ୟାନ୍ସର କାରଣରୁ ତାଙ୍କ ପତ୍ନୀଙ୍କର ମାତ୍ର ୪୬ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ଏହାପରେ ସେ ଏକାକୀ ନିଜ ଝିଅମାନଙ୍କୁ ପାଳିଛନ୍ତି। ମହାକାଶ ଯାତ୍ରା ସମୟରେ ଯଦି ତାଙ୍କ ମୃତ୍ୟୁ ହୁଏ ତେବେ ଝିଅମାନଙ୍କର କ'ଣ ହେବ, ସେନେଇ ସେ ସେମାନଙ୍କୁ ସବୁକିଛି ବୁଝାଇଛନ୍ତି। ୱାଇଜମ୍ୟାନ୍ କହିଛନ୍ତି, "ମୁଁ ସେମାନଙ୍କୁ କହିଦେଇଛି ଯେ ଆମର ଇଚ୍ଛାପତ୍ର (Will) ଏବଂ ଟ୍ରଷ୍ଟ୍ ଡକ୍ୟୁମେଣ୍ଟ୍ କେଉଁଠି ଅଛି। ଯଦି ମୋର କିଛି ହୋଇଯାଏ, ତେବେ ଆଗକୁ ସେମାନଙ୍କ ସହ କ'ଣ ହେବ ତାହା ମଧ୍ୟ ସ୍ପଷ୍ଟ କରିଦେଇଛି।"

ୱାଇଜମ୍ୟାନ୍ ବିଶ୍ୱାସ କରନ୍ତି ଯେ ମୃତ୍ୟୁ ବିଷୟରେ କଥା ହେବାକୁ ଲୋକେ ଭୟ କରୁଥିଲେ ମଧ୍ୟ ସମସ୍ତେ ନିଜ ପରିବାର ସହ ଏମିତି ଆଲୋଚନା କରିବା ଉଚିତ୍। ସେ କହିଛନ୍ତି, "ମୁଁ ଚାହେଁ ସାଧାରଣ ଲୋକେ ମଧ୍ୟ ନିଜ ପରିବାର ସହ ଏହି ପ୍ରସଙ୍ଗରେ କଥା ହୁଅନ୍ତୁ, କାରଣ ଆସନ୍ତାକାଲି କ'ଣ ହେବ ତାହା କେହି ଜାଣିନାହାଁନ୍ତି।" ତାଙ୍କ ଝିଅମାନେ ମଧ୍ୟ ଏହି ମିଶନ୍ର ବିପଦକୁ ବୁଝନ୍ତି, କିନ୍ତୁ ମାନବ ସଭ୍ୟତା ପାଇଁ ଏହି ମହାକାଶ ଅନୁସନ୍ଧାନ କେତେ ଜରୁରୀ, ସେକଥା ମଧ୍ୟ ସେମାନେ ଜାଣିଛନ୍ତି।

Also Read: IPL-2026 : ବ୍ୟାନ୍ ହେବେ ଶ୍ରେୟସ ଆୟର ! ଏବେ ଫାଇନ୍, ପୁଣି ଭୁଲ କଲେ ଖେଳିପାରିବେନି ମ୍ୟାଚ୍

ନାସାର 'ଆର୍ଟେମିସ୍ ୨' ମିଶନ କ'ଣ?

* ଏହି ମିଶନ୍ ମାଧ୍ୟମରେ ମହାକାଶଚାରୀମାନେ ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ (SLS) ରକେଟ୍ ଉପରେ ଥିବା 'ଓରିଅନ୍ କ୍ୟାପସୁଲ୍'ରେ ବସି ଯାତ୍ରା କରିବେ। ଏହି ରକେଟ୍ ୪ ବର୍ଷ ତଳେ ଏକ ମାନବବିହୀନ ଉଡ଼ାଣ କରିଥିଲା।

* ୧୯୭୨ ମସିହାରେ ଆପୋଲୋ ୧୭ (Apollo 17) ମିଶନ୍ ପରେ ମଣିଷ ପୁଣିଥରେ ଚନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା।

* ଆର୍ଟେମିସ୍ ୨ ହେଉଛି ଏକ 'ଟେଷ୍ଟ୍ ଡ୍ରାଇଭ୍'। ଏହା ଆଗକୁ ହେବାକୁ ଥିବା ଆର୍ଟେମିସ୍ ୩ ଏବଂ ଆର୍ଟେମିସ୍ ୪ ମିଶନ୍ ପାଇଁ ସମସ୍ତ ପ୍ରଯୁକ୍ତିବିଦ୍ୟା ଓ ବ୍ୟବସ୍ଥାର ଯାଞ୍ଚ କରିବ, ଯେଉଁଥିରେ ମଣିଷ ପୁଣିଥରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ।

ଏପ୍ରିଲ୍ ୧ ରେ ଲଞ୍ଚ୍ ନହେଲେ କ'ଣ ହେବ?

ଯଦି କୌଣସି କାରଣବଶତଃ ଏପ୍ରିଲ୍ ୧ ତାରିଖରେ 'ଆର୍ଟେମିସ୍ ୨' ର ଉତକ୍ଷେପଣ ହୋଇନପାରେ, ତେବେ ନାସା ଏଥିପାଇଁ ଅନ୍ୟ ତାରିଖ ମଧ୍ୟ ସ୍ଥିର କରିଛି। ବ୍ୟାକ୍ଅପ୍ ଲଞ୍ଚ୍ ୱିଣ୍ଡୋ ଭାବରେ ଏପ୍ରିଲ୍ ୨ ରୁ ୬ ତାରିଖ ଏବଂ ଏପ୍ରିଲ୍ ୩୦ ତାରିଖକୁ ରଖାଯାଇଛି। ଏହି ପ୍ରତ୍ୟେକ ଦିନରେ ଉତକ୍ଷେପଣ ପାଇଁ ୨ ଘଣ୍ଟାର ସମୟ (Launch window) ବ୍ୟବଧାନ ରହିବ।