ନୂଆଦିଲ୍ଲୀ, ୦୧/୦୪ : ଚାଲିଛି ଆଇପିଏଲ-୨୦୨୬ । ସିଜିନ୍ ଆରମ୍ଭରୁ ଖୁବ୍ ରୋମାଞ୍ଚକର ହେବାରେ ଲାଗିଛି । ବ୍ୟାଟରଙ୍କ ବ୍ୟାଟରୁ ବଡ୍ ସ୍କୋର ବାହାରୁଛି । କମ୍ ରନ୍ କଲେ ମଧ୍ୟ ବୋଲର ଶେଷ ଓଭର ଯାଏଁ ମ୍ୟାଚ୍ ନେବାରେ ସକ୍ଷମ ହେଉଛନ୍ତି । ତେବେ ମଙ୍ଗଳବାର ଆଇପିଏଲର ଚତୁର୍ଥ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ପଞ୍ଜାବ୍ କିଙ୍ଗସ୍ ଏବଂ ଗୁଜରାଟ ଟାଇଟନ୍ସ୍ । ମ୍ୟାଚରେ ପଞ୍ଜାବ୍ ଜବରଦସ୍ତ ବିଜୟ ହାସଲ କରିଛି । ଦଳକୁ ଜିତିବା ପାଇଁ ୧୬୩ ରନ୍ ଦରକାର ଥିଲା । ପାଞ୍ଚୋଟି ବଲ୍ ବାକି ଥାଇ ଦଳ ମ୍ୟାଚ୍ ଜିତି ନେଇଛି ।

Also Read :- IPL 2026: କୁପର କଲୋନିଙ୍କ ମ୍ୟାଚ୍ ବିଜୟୀ ଇନିଂସ, GTକୁ ୩ ଓ୍ଵିକେଟରେ ହରାଇଲା PBKS

ବିଜୟ ହିରୋ କୁପର

ପଞ୍ଜାବର ବିଜୟ ସହଜ ନଥିଲା । ଦଳ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ତେବେ ବିଜୟର ହିରୋ ଥିଲେ ଅଷ୍ଟ୍ରେଲିଆ ଖେଳାଳି କୁପର କୋନୋଲି । ସେ ୫ଟି ଛକା ଏବଂ ୫ ଚଉକା ସହ ୪୪ ବଲ୍ ଖେଳି ୭୨ ରନ୍ କରିଥିଲେ । ଅଲରାଉଣ୍ଡର କୁପରଙ୍କର ଏହା ପଦାର୍ପଣ ମ୍ୟାଚ୍ ଥିଲା । ପ୍ରଥମ ମ୍ୟାଚ୍ ରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଟ୍ରଫି ହାତେଇଛନ୍ତି ।

ଶ୍ରେୟସ ଆୟରଙ୍କୁ ଫାଇନ୍

ପଞ୍ଜାବ ଜିତିଥିଲେ ମଧ୍ୟ ଶ୍ରେୟସ ଆୟରଙ୍କୁ ଫାଇନ୍ ଲାଗିଛି । ପିବିକେଏସ୍ କ୍ୟାପ୍ଟେନ୍ ଶ୍ରେୟସ ଧିମା ଓଭର କାରଣରୁ ଦଣ୍ଡିତ ହୋଇଛନ୍ତି । ପଞ୍ଜାବ ମ୍ୟାଚରେ ନିର୍ଧାରିତ ସମୟ ମଧ୍ୟରେ ନିଜର ଓଭର ପୂରା କରିପାରିନଥିଲା । ଯାହା ଆଇପିଏଲର ଆଚାର ସଂହିତାକୁ ଉଲ୍ଲଙ୍ଘନ କରୁଛି । ତେଣୁ ଶ୍ରେୟସଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଫାଇନ୍ ଲାଗିଛି ।

ହେବେ କି ବ୍ୟାନ୍ ?

ଯଦି ଦ୍ୱିତୀୟ ଥର ପଞ୍ଜାବ କିଙ୍ଗସ୍ ସ୍କୋ ବୋଲିଂ କରେ ତେବେ ଶ୍ରେୟସଙ୍କ ଉପରେ ୨୪ ଲକ୍ଷର ଫାଇନ୍ ଲାଗିବ । ଏହାସହ ଅନ୍ୟ ସଦସ୍ୟଙ୍କୁ ୬ ଲକ୍ଷର ଫାଇନ୍ ଦେବାକୁ ହେବ । କିମ୍ବା ମ୍ୟାଚ୍ ଫି’ର ୨୫ ପ୍ରତିଶତ କଟିପାରେ । କିନ୍ତୁ ତୃତୀୟ ଥର ପାଇଁ ଭୁଲ ହେଲେ ମାମଲା ଗମ୍ଭୀର ହୋଇଯିବ । ଏହି ପରିପ୍ରେକ୍ଷୀରେ ଶ୍ରେୟସ ଗୋଟିଏ ମ୍ୟାଚ୍ ରୁ ବ୍ୟାନ୍ ହୋଇପାରନ୍ତି ।