ଉମରକୋଟ ୧୨।୪: ମୁହଁରେ କଳା କପଡ଼ା ବାନ୍ଧି ସଶସ୍ତ୍ର ଡକାୟତି । ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ୱାର୍ଡ ନମ୍ବର ୮ ସ୍ଥିତ ଜମାଇ କଲୋନୀରେ ବିଳମ୍ବିତ ରାତିରେ ତାରକ ହାଲଦାରଙ୍କ ଘରେ ମୁହଁରେ କଳା କପଡ଼ା ବାନ୍ଧି କିଛି ସଶସ୍ତ୍ର ଡକାୟତ ଘର ଭିତରକୁ ପଶି ଡକାୟତି କରିଛନ୍ତି । ଡକାୟତି ସମୟରେ ତାରକ ହାଲଦାର ସେମାନଙ୍କୁ ରୋକିବାକୁ ଚେଷ୍ଟା କରିବାରୁ, ଦୁର୍ବୃତ୍ତମାନେ ତାଙ୍କୁ ଫାର୍ଶାରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣ ଫଳରେ ତାରକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ଡକାୟତ ମାନେ ଘରୁ ଦୁଇଟି ମୋବାଇଲ, ଦୁଇଟି ସୁନା ଚୁଡ଼ି, ଦୁଇଟି କାନଫୁଲ ସହ କିଛି ଟଙ୍କା ଲୁଟି ନେଇଛନ୍ତି । ଘଟଣା ବିଷୟରେ ପୋଲିସ ଖବର ପାଇ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଆହତ ହୋଇଥିବା ତାରକ ନିଜେ ପ୍ରକାଶ କରିଛନ୍ତି । ଅନ୍ୟପଟେ ଉମରକୋଟ ଅଞ୍ଚଳରେ ଚୋରି ମାମଲା ବଢ଼ିବାରେ ଲାଗିଛି ତେଣୁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।