ସୁନ୍ଦରଗଡ଼: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୌରପାଳିକା କର୍ମଚାରୀ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY-Urban)ର ବକେୟା ଅର୍ଥ ରିଲିଜ୍ କରିବା ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ଧରିଛି ଭିଜିଲାନ୍ସ।

ଧରାପଡ଼ିଥିବା କର୍ମଚାରୀ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ମନୁ ରାଉତ। ଅଭିଯୋଗ ଅନୁସାରେ, ଜଣେ ହିତାଧିକାରୀଙ୍କୁ PMAY-Urban ଯୋଜନାରେ ମୋଟ ୨.୫ ଲକ୍ଷ ଟଙ୍କା ମିଳିବାର ଥିଲା। ଏଥିମଧ୍ୟରୁ ୧.୩୦ ଲକ୍ଷ ଟଙ୍କା ବକେୟା ରହିଥିଲା। ଏହି ଅର୍ଥ ରିଲିଜ୍ କରାଇଦେବା ପାଇଁ ମନୁ ରାଉତ ୩୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଅଭିଯୋଗ ପରେ ରାଉରକେଲା ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଆଜି ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ମନୁ ରାଉତଙ୍କୁ ଧରିଥିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ କେସ୍ ନମ୍ବର ୧୪/୨୦୨୬ରେ ମାମଲା ରୁଜୁ କରାଯାଇଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।