ନୂଆଦିଲ୍ଲୀ, ୦୨/୦୪ : ବାପା ସଚିନ ତେନ୍ଦୁଲକର । କ୍ରିକେଟର ଭଗବାନ । କିନ୍ତୁ ପୁଅ ଅର୍ଜୁନ ତେନ୍ଦୁଲକର ସେତେ ସଫଳ ନୁହେଁ । ଅନେକ ସମୟରେ ବାପାଙ୍କ ଯୋଗୁଁ ତାଙ୍କୁ ସୁଯୋଗ ମିଳୁଥିବା କୁହାଯାଏ । ଏସବୁ ପ୍ରସଙ୍ଗରେ ଏବେ ମୁହଁ ଖୋଲିଛନ୍ତି ଅର୍ଜୁନ । ବାପାଙ୍କ ପାଇଁ ସେ କୋଉଁ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତାହା ମଧ୍ୟ କହିଛନ୍ତି ।

ଆଇପିଏଲ ୨୦୨୬ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଛନ୍ତି ଅର୍ଜୁନ । ତାଙ୍କୁ ଲକ୍ଷ୍ନୌ ମୁମ୍ବାଇଠୁ ୩୦ ଲକ୍ଷ ଟଙ୍କାରେ କିଣିଛି । ନିକଟରେ ତାଙ୍କୁ ସଚିନ ତେନ୍ଦୁଲକରଙ୍କ ପୁଅ ହେଲା ପରେ କଣେ ସବୁ ଚାପ ରହୁଛି ବୋଲି ପଚରା ଯାଇଥିଲା । ଯାହାର ଖୁବ୍ ସରଳ ଉତ୍ତର ଦେଇଛନ୍ତି ଅର୍ଜୁନ ।

କ'ଣ କହିଲେ ଅର୍ଜୁନ

ଅର୍ଜୁନ କହିଛନ୍ତି ଯେ, ସେ ସର୍ବଦା ଖେଳ ଉପରେ ଫୋକସ କରିଥାନ୍ତି । ବାହାରେ କିଏ କଣ କହୁଛି ତାହା ସେ ଶୁଣନ୍ତି ନାହିଁ । ଅନେକ ତାଙ୍କୁ ନେଇ ତୁଳନା କରନ୍ତି ।ଯଦି ନିଜ ନାଁ ସହ କୌଣସି ବଡ ନାଁ ଆସେ ତେବେ ଏହା ଆଶୀର୍ବାଦ । କିନ୍ତୁ ଏଥିରେ ଅନେକ ଚ୍ୟାଲେଞ୍ଜ୍ ରହିଛି । ଏହାକୁ ମାନସିକ ସ୍ତରରେ ଡିଲ୍ କରିବାକୁ ପଡିଥାଏ । ଭଲ ପ୍ରଦର୍ଶନ ପରେ ବି ଲୋକେ ତୁଳନା କରିଥାନ୍ତି ।

ସେ ଆହୁରି କହିଛନ୍ତି ଯେ, ନିଜ ସଉକ ପାଇଁ ସେ କ୍ରିକେଟ୍ ଖେଳନ୍ତି । ଅନ୍ୟମାନଙ୍କୁ ପ୍ରମାଣ ଦେବାର କିଛି ଆବଶ୍ୟକତା ନାହିଁ । କଠିନ ପରିଶ୍ରମ କରିବା ସହ ଖେଳକୁ ଉପଭୋଗ କରନ୍ତି । ସେ ମୁମ୍ବାଇରେ ଥିବା ବେଳେ ଅନେକ ମ୍ୟାଚ୍ ଖେଳୁନଥିଲେ । ବେଞ୍ଚରେ ବସିବାକୁ ଭଲ ଲାଗେନି । କେହି ହେଲେ ଏହା ପସନ୍ଦ କରନ୍ତିନି । ଏହାକୁ ଏଡାଇବା ପାଇଁ ପରିଶ୍ରମ ଦରକାର ଏବଂ ଭଲ ପ୍ରଦର୍ଶନ କଲେ ହିଁ ସୁଯୋଗ ମିଳିବ ବୋଲି ଅର୍ଜୁନ କହିଛନ୍ତି ।