ଚୌଦ୍ୱାର: ଘଞ୍ଚ ପାହାଡ଼ ଓ ଜଙ୍ଗଲ ଘେର ମଧ୍ୟରେ ବର୍ଷ ବର୍ଷ ଧରି ଲୁଚି ରହିଥିବା ଓଡ଼ିଶାର ଅନେକ ପ୍ରାଚୀନ ଐତିହ୍ୟର ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ବଡ଼ ପ୍ରୟାସ ଆରମ୍ଭ ହୋଇଛି । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ଡାଲିଯୋଡ଼ା ଜଙ୍ଗଲ ପରିସରଭୁକ୍ତ ଅମ୍ବିଳିଝରି ଗ୍ରାମରେ ଥିବା ପ୍ରସିଦ୍ଧ 'ଭାଇ ବୋହୂ ଦେଢ଼ଶୁର କୂଅ'ର ପୁନରୁଦ୍ଧାର ପାଇଁ ପ୍ରଶାସନିକ ଟିମ୍ କ୍ଷେତ୍ର ଅନୁଧ୍ୟାନ କରିଛନ୍ତି ।

ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ପେଶାଲ ପ୍ରୋଜେକ୍ଟ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସମେତ ବ୍ଲକ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଏକ ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର ଅମ୍ବିଳିଝରି ଗ୍ରାମରେ ପହଞ୍ଚିଥିଲେ। ସେମାନେ ପ୍ରାଚୀନ କୂଅର ସ୍ଥିତି ଅନୁଧ୍ୟାନ କରିବା ସହ ଏହାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ, ଏହି କୂଅଟି ପ୍ରାୟ ୮୦୦ ବର୍ଷ ପୁରୁଣା । ଏହି କୂଅ ଗଙ୍ଗ ବା କେଶରୀ ବଂଶ ସମୟର ବୋଲି ସ୍ଥାନୀୟ ଲୋକେ ଓ ଗବେଷକମାନେ ଅନୁମାନ କରନ୍ତି। କୂଅର ଗଭୀରତା ପ୍ରାୟ ୩୫ ଫୁଟ ହୋଇଥିବା ବେଳେ ଏଥିରେ ସର୍ବଦା ପ୍ରାୟ ୨୫ ଫୁଟ ପର୍ଯ୍ୟନ୍ତ ପାଣି ମହଜୁଦ୍ ରହିଥାଏ। ଆହୁରି ମଧ୍ୟ କୁହାଯାଏ, ଏହି କୂଅର ପାଣି ବ୍ୟବହାର କଲେ ବିଭିନ୍ନ ପ୍ରକାର ଚର୍ମରୋଗ ଏବଂ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦୂର ହୋଇଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୃଢ଼ ବିଶ୍ୱାସ ରହିଛି।

Also Read: କାର୍ତ୍ତିକ ବ୍ରତ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୩.୩୦ କୋଟି ଟଙ୍କା ଅର୍ଥରାଶି ଅନୁମୋଦନ

ତେବେ ଏହି ଐତିହାସିକ କୂଅଟି ଘଞ୍ଚ ଲତାବୁଦା ଓ ଜଙ୍ଗଲ ମଧ୍ୟରେ ଆଚ୍ଛାଦିତ ହୋଇ ରହିଥିଲା । କିଛି ବର୍ଷ ତଳେ ସ୍ଥାନୀୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଏହାକୁ ପ୍ରଥମେ ଲୋକଲୋଚନକୁ ଅଣାଯାଇଥିଲା। ଏହାର ସ୍ଥାପତ୍ୟ ଏବଂ ଗଠନଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବାରୁ ପ୍ରସିଦ୍ଧ ଐତିହ୍ୟ ସଂରକ୍ଷଣ ସଂସ୍ଥା 'ଇନଟାକ୍' (INTACH)ର ଏକ ୪ ଜଣିଆ ବିଶେଷଜ୍ଞ ଟିମ୍ ମଧ୍ୟ ଏଠାରେ ପହଞ୍ଚି ଅନୁଧ୍ୟାନ ଜାରି ରଖିଥିଲେ । ସରକାରଙ୍କ ଏହି ପୁନରୁଦ୍ଧାର ନିଷ୍ପତ୍ତି ଫଳରେ ଡାଲିଯୋଡ଼ା ଜଙ୍ଗଲର ଏହି ପ୍ରାଚୀନ କୀର୍ତ୍ତିରାଜି ନିଜର ହରାଇଥିବା ଗୌରବ ଫେରିପାଇବା ସହ ଆଗାମୀ ଦିନରେ ଏହା ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ଗଢ଼ିଉଠିବ ବୋଲି ଆଶା କରାଯାଉଛି।