ନୂଆଦିଲ୍ଲୀ: କୁହାଯାଏ, ପ୍ରତିଦିନ ଗୋଟିଏ ସେଓ ଖାଇଲେ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିବନି । କିନ୍ତୁ ଡାକ୍ତରଙ୍କ ପାଖରୁ ଦୂରେଇ ରହିବାକୁ ଆଉ ବଜାରରେ ସେଓ ମିଳିବନି ବୋଲି ଆଶଙ୍କା ପ୍ରକାଶ ପାଇଛି । ଲଗାତାର ହ୍ରାସ ପାଉଛି ସେଓ ଉତ୍ପାଦନ  । ହୁଏତ ଆଗକୁ ବଜାରରେ ସେଓ ଗାୟବ ହୋଇଯାଇପାରେ, କିମ୍ବା ଏହାର ମୂଲ୍ୟ ଆଶାତୀତ ବୃଦ୍ଧି ହୋଇପାରେ । ସେଓ ଉତ୍ପାଦନ ହ୍ରାସ ଫଳରେ ହିମାଚଳ ପ୍ରଦେଶର ପ୍ରାୟ ୫,୦୦୦ କୋଟି ଟଙ୍କାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ଯାଉଛି । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି ରାଜ୍ୟ । ଅଦିନିଆ ବର୍ଷା, କୁଆପଥର ମାଡ଼ ଏବଂ ପାଣିପାଗର ଅନିଶ୍ଚିତତା ହେତୁ ରାଜ୍ୟରେ ସେଓ ଉତ୍ପାଦନ ପ୍ରାୟ ୪୦ ପ୍ରତିଶତ ହ୍ରାସ ପାଇବାକୁ ଯାଉଛି।

ଉଦ୍ୟାନ କୃଷି ବିଭାଗର ସୂଚନା ଅନୁଯାୟୀ, ଗତ ୨୦୨୫ ବର୍ଷରେ ରାଜ୍ୟରେ ୬.୯୯ ଲକ୍ଷ ମେଟ୍ରିକ୍ ଟନ୍ ସେଓ ଉତ୍ପାଦନ ହୋଇଥିଲା। କିନ୍ତୁ ୨୦୨୬ରେ ଏହା ୨.୬୩ ଲକ୍ଷ ମେଟ୍ରିକ୍ ଟନ୍ (ପ୍ରାୟ ୨.୧୫ କୋଟି ବାକ୍ସ) କମିଯାଇ ମାତ୍ର ୪.୩୬ ଲକ୍ଷ ମେଟ୍ରିକ୍ ଟନ୍‌ରେ ସୀମିତ ରହିବ ବୋଲି ଅନୁମାନ କରାଯାଉଛି।

ଚାଷ ଉପରେ ପ୍ରତିକୂଳ ପାଣିପାଗର ପ୍ରଭାବ
ରାଜ୍ୟର ୮ଟି ଜିଲ୍ଲାର କୃଷି ଅର୍ଥନୀତି ପାଇଁ ସେଓ ଚାଷର ଭୂମିକା ଅଧିକ । ତେବେ ଚଳିତ ଥର ଶୀତଦିନେ ଆବଶ୍ୟକ ମୁତାବକ ବରଫପାତ ନହେବା, ବସନ୍ତ ଋତୁରେ ଅଦିନିଆ ବର୍ଷା ଏବଂ ତାପମାତ୍ରାରେ ଅସ୍ଥିରତା ଯୋଗୁଁ ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ସତୀଶ କୁମାରଙ୍କ କହିବା ଅନୁସାରେ, ରାଜ୍ୟର ସମୁଦାୟ ଫଳ ଚାଷ ଜମି (୨.୩୭ ଲକ୍ଷ ହେକ୍ଟର) ମଧ୍ୟରୁ ପ୍ରାୟ ୪୯% ଅର୍ଥାତ୍ ୧.୧୬ ଲକ୍ଷ ହେକ୍ଟର ଜମିରେ କେବଳ ସେଓ ଚାଷ କରାଯାଏ। ଉତ୍ପାଦନ କମିବା ଦ୍ୱାରା ଏହା ସହିତ ଜଡ଼ିତ ପ୍ରାୟ ୨.୫ ଲକ୍ଷ ପରିବାର ପ୍ରଭାବିତ ହେବେ।

ବଢ଼ୁଛି ଚାଷ ଖର୍ଚ୍ଚ
ଉତ୍ପାଦନ ହ୍ରାସ ପାଇବା ସହ କୀଟନାଶକ, ଔଷଧ ଏବଂ ଚାଷ ଯନ୍ତ୍ରପାତିର ଦାମ୍ ବଢ଼ି ଚାଲିଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଚାଷୀଙ୍କ କହିବା ଅନୁଯାୟୀ, ଉପଯୁକ୍ତ ଜଳସେଚନ ବ୍ୟବସ୍ଥା ନଥିବାରୁ ସେମାନେ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭରଶୀଳ। ବିଶ୍ୱ ତାପନ ଯୋଗୁଁ ତାପମାତ୍ରା ୧ ରୁ ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି, ଯାହା ଚାଷ ପାଇଁ ବହୁତ କ୍ଷତିକାରକ।

ଫଳ ଓ ପନିପରିବା ଚାଷୀ ସଂଘର ସଭାପତି ହରିଶ ଚୌହାନ ଜଣାଇଛନ୍ତି ଯେ, ପାରମ୍ପରିକ ସେଓ ପ୍ରଜାତି ପାଇଁ ୭ ଡିଗ୍ରୀ ସେଲସିୟସରୁ କମ୍ ତାପମାତ୍ରାରେ ପ୍ରାୟ ୧,୨୦୦ ରୁ ୧,୬୦୦ 'ଚିଲିଂ ଆୱାର୍ସ' ଆବଶ୍ୟକ ହୋଇଥାଏ, ଯାହା ଚଳିତ ବର୍ଷ ମିଳିପାରି ନାହିଁ। ସେଓ ବ୍ୟତୀତ ଚେରୀ, ଏବଂ ପ୍ଲମ୍ ଚାଷ ମଧ୍ୟ ପ୍ରଭାବିତ ହୋଇଛି। ଏହାର ଉତ୍ପାଦନ ଗତବର୍ଷର ୨୪,୬୨୨ ମେଟ୍ରିକ୍ ଟନ୍‌ରୁ ହ୍ରାସ ପାଇ ଚଳିତ ବର୍ଷ ୨୩,୦୦୦ ମେଟ୍ରିକ୍ ଟନ୍ ହେବାକୁ ଯାଉଛି।