ଉଦଳା: ୫ ବର୍ଷ ପୂର୍ବରୁ ଚର୍ଚ୍ଚାରେ ରହି ଆସିଥିବା ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏବେ ବି ଚର୍ଚ୍ଚାରେ। ଆଉ ଏବେ ଚର୍ଚ୍ଚାରେ ଅଧିକ ରହିଛନ୍ତି ସୌମ୍ୟରଞ୍ଜନ ଙ୍କ ପତ୍ନୀ ବିଦ୍ୟା ଭାରତୀ ପଣ୍ଡା। ଯିଏ କି ଗିରଫ ହେବା ପୂର୍ବରୁ ଯେତିକି ଚର୍ଚ୍ଚାରେ ଥିଲେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥାଇ ସେତିକି ଚର୍ଚ୍ଚାରେ। କାହିଁକି ବିଦ୍ୟା ଭାରତୀ ଗିରଫ ହେବାର ୨୦ ଦିନ ପରେ ମଧ୍ୟ ତାଙ୍କ ଉପରେ ବିଭାଗୀୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅର୍ଥାତ ପଶୁଧନ ନିରୀକ୍ଷକ ଭାବେ ଚାକିରୀ କରିଥିବା ବିଦ୍ୟା ଭାରତୀ ପଣ୍ଡାଙ୍କ ବିରୋଧରେ ଏବେ ସୁଦ୍ଧା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଶୂନ।

ସରକାରୀ ଅଧିକାରୀ ବିଚାର ବିଭାଗୀୟ ହାଜତରେ ରହିବାର ୪୮ ଘଣ୍ଟା ବିତିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ ବିଦ୍ୟାଭାରତୀଙ୍କ ପାଇଁ କଣ ନୂଆ ନିୟମ, ନା ସେ ନିୟମରୁ ଉର୍ଦ୍ଧରେ। ଗତ ୨ ତାରିଖ ଆତ୍ମସମର୍ପଣ ପରେ ଗିରଫ ହେବା ଏବଂ ବେଲ ଆବେଦନ ଖାରଜ ହୋଇ ଜେଲ ଯିବାକୁ ୨୦ ଦିନ ବିତିଥିଲେ ସୁଦ୍ଧା ସେ ଏବେ ବି ଚାକିରୀରେ ଅଛନ୍ତି। ସ୍ୱାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ୫ ମାସ ପରେ ୨୦୨୨ ମସିହା ଜାନୁଆରୀ ୧୦ ତାରିଖରେ ବାରିପଦା ନୂଆଗାଁ ପଶୁଧନ ସହାୟକ କେନ୍ଦ୍ରରେ ପଶୁ ଧନ ନିରୀକ୍ଷକ ଭାବେ ନିଯୁକ୍ତି ପାଇଥିଲେ ବିଦ୍ୟା ଭାରତୀ।

ତା ପରେ ୨୦୨୫ ମସିହା ଜୁନ ୧୬ ତାରିଖରେ ତାଙ୍କର ବଦଳି ଅର୍ଡର ଆସିବା ପରେ ଜୁଲାଇ ୧୩ ତାରିଖରେ ସେ କପ୍ତିପଦା ଶାଳଚୁଆ ପଶୁଧନ ସହାୟକ କେନ୍ଦ୍ରରେ ଏଲଆଇ ଭାବେ ବଦଳି ହୋଇ ଆସିଲେ। ଯାହାକି ବିଦ୍ୟା ଭାରତୀଙ୍କ ଘର ଠାରୁ ମାତ୍ର ୬ କିଲୋମିଟର ଦୂର। ଶାଳଚୁଆରେ କାର୍ଯ୍ୟରତ ଥିବା ବିଦ୍ୟା ଭାରତୀ ଘରୋଇ କାରଣ ଦର୍ଶାଇ ଗତ ନଭେମ୍ବର ୨ ଏବଂ ୩ ତାରିଖ ଛୁଟି ନେଇଥିଲେ। ହେଲେ ୩ ତାରିଖ ପରେ ମଧ୍ୟ କାର୍ଯ୍ୟରେ ଯୋଗ ଦେଇ ନ ଥିଲେ।

ସେପଟେ ଏ ନେଇ କପ୍ତିପଦା ବ୍ଲକ ଭେଟନାରୀ ଅଫିସର ଉପଖଣ୍ଡ ଅଧିକାରୀଙ୍କୁ ଜଣାଇବା ପରେ ଗତ ୧୦ ତାରିଖରେ ବିଦ୍ୟା ଭାରତୀଙ୍କ ଘରକୁ ଏକ ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା, ଯାହା ବିଦ୍ୟା ଭାରତୀଙ୍କ ମାଆ ଗ୍ରହଣ କରିଥିଲେ। ଏ ସବୁ ଭିତରେ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ବିଦ୍ୟା ଭାରତୀଙ୍କ କେଶ ଷ୍ଟାଟସ ବାବଦରେ ସୂଚନା ମାଗିଥିଲେ ଉପଖଣ୍ଡ ଭେଟନାରୀ ଅଧିକାରୀ।

ପାରଳାଖେମୁଣ୍ଡି ଆଇଆଇସି ବିଦ୍ୟା ଭାରତୀ ଆତ୍ମସମର୍ପଣ ଏବଂ ବିଚାର ବିଭାଗୀୟ ହାଜତ କୁ ଯାଇଥିବା ଜଣାଇଥିଲେ ଆଇଆଇସି। ଏହା ପରେ ଗତ ୧୩ ତାରିଖରେ ଘଟଣା ବାବଦରେ ଡାଇରେକ୍ଟର ଙ୍କୁ ଉପଖଣ୍ଡ ଅଧିକାରୀ ଚିଠି ମାଧ୍ୟମରେ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଦ୍ୟା ଭାରତୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ବାବଦରେ ଉଠିଛି ବଡ଼ ପ୍ରଶ୍ନ।

ତେବେ କେଉଁଠି ରହୁଛି କେଁ, ଯେତେବେଳେ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ଙ୍କ ମୃତ୍ୟୁ ଘଟଣାରେ ଓଏଏସ ପୁରୁଷ ବନ୍ଧୁ ଭୀମସେନ ଟୁଡୁ ଗିରଫ ହୋଇ ଜେଲ ଯିବାର ୪୮ ଘଣ୍ଟା ପରେ ତାଙ୍କୁ ଚାକିରୀ ରୁ ବହିଷ୍କାର କରାଯାଇ ପାରିଲା ଏପରିକି ସରକାରୀ ଚାକିରୀ ପାଇଁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରିଲା ସେତେବେଳେ ବିଦ୍ୟା ଭାରତୀଙ୍କ ପାଇଁ ସେହି ନିୟମ କଣ ପାଇଁ ଲାଗୁ ନୁହେଁ, ତାହା ଏବେ ସନ୍ଦେହରେ।