ବାରିପଦା: ଦୀର୍ଘ ୧୫ ଘଣ୍ଟାର ପ୍ରୟାସ ପରେ ଧରା ହୋଇଥିଲା ମହାବଳ ବାଘ ଛୁଆ । ହେଲେ ଅସୁସ୍ଥ ଥିବାରୁ ରେଞ୍ଜ ଅଫିସରେ ରଖି ଚିକିତ୍ସା କରାଯାଉଥିଲା। ଏବେ ସୁସ୍ଥ ହେବାପରେ ବାଘ ଛୁଆକୁ ବଡ଼ ଏନାକ୍ଲୋଜରରେ ଛଡ଼ା ଯାଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୪ ତାରିଖ ସନ୍ଧ୍ୟାରେ ଠାକୁରମୁଣ୍ଡା ବନଖଣ୍ଡ ଖପରଖାଇ ଗାଆଁରେ ପଶିଥିଲା ମହାବଳ। ଜଣଙ୍କ ଘରେ ପଶି ଯିବାରୁ ସାହସ କରି ଗାଆଁ ଲୋକେ ବାହାରପଟୁ କବାଟ ବନ୍ଦ କରି ବନ ବିଭାଗକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଗତରାତିରୁ ଦୀର୍ଘ ୧୫ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଶେଷରେ ମହାବଳଟିକୁ ଉଦ୍ଧାର କରି ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ୍ ଅଫିସକୁ ନେଇଥିଲେ।

Also Read: ରାଜଧାନୀରେ ନାବାଳକ ଗାଡ଼ି ଚାଳନା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ଆରମ୍ଭ ହେଲା ସ୍ପେଶାଲ୍ ଡ୍ରାଇଭ୍

ଚିକିତ୍ସା ପରେ ଫେରିଲା ବଳ

ଏବେ ୭ ଦିନର ଚିକିତ୍ସା ପରେ ବାଘଟି ଦେହରେ ବଳ ଫେରିଛି। ଏବେ ସ୍ୱାଭାବିକ ଭାବରେ ଖାଇବା ପିଇବା ସହିତ ସମ୍ପୂର୍ଣ୍ଣ ସୁସ୍ଥ ହେଲାଣି। ତେଣୁ ଗତକାଲି ବାଘ ଛୁଆଟିକୁ ଯମୁନା ରହୁଥିବା ବଡ଼ ଏନାକ୍ଲୋଜରରେ ଛଡ଼ାଯାଇଛି। ଏହା ପୂର୍ବରୁ ଉଦ୍ଧାର ପରେ ସ୍ୱତନ୍ତ୍ର ପିଞ୍ଜରା ମଧ୍ୟରେ ବାଘଟିକୁ ଠାକୁରମୁଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅଫିସକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ଓ ନିରୀକ୍ଷଣ ପରେ ଜଣା ପଡ଼ିଛି ଯେ ବାଘଟିର ବୟସ ମାତ୍ର ୭ ରୁ ୮ ମାସ ମଧ୍ୟରେ ହେବ ଏବଂ ସେ ଅସୁସ୍ଥ ରହିଛି।

ଭଲକରି ଶିକାର ଶିଖି ନଥିବାରୁ ସହଜ ଶିକାର ଲାଗି ବାଘଟି ଗାଁକୁ ପଶି ଆସିଥିଲା। ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏବଂ ସେଠାରେ ଶିକାର କରିବା ଶିଖିବା ପରେ ଖୋଲା ଜଙ୍ଗଲରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ୍ ଗୋଗୀନେନୀ।