ନୂଆଦିଲ୍ଲୀ: କାନାଡାରେ ଭାରତୀୟ ଛାତ୍ରୀଙ୍କୁ ଛୁରୀ ଭୁସି ହତ୍ୟା ଅଭିଯୋଗ। ମୃତକ ହେଉଛନ୍ତି ଗୁଜରାଟ ଆନନ୍ଦ ଜିଲ୍ଲା ବୋରସାଦର ବିଧି ମେଘା। ଗତ ମେ ୧୫ ତାରିଖରୁ ବିଧି ନିଖୋଜ ଥିବା ବେଳେ, ଗତକାଲି କାନାଡ଼ା ଆମେରିକା ସୀମା ନାଏଗାରା ଅଞ୍ଚଳରୁ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।

ସୂଚନା ଅନୁସାରେ, ବିଧି କାନାଡାରେ ରହି ଲ’ ପାଠ ପଢ଼ୁଥିଲେ ଏହା ସହ ସେଠାରେ କାମ ମଧ୍ୟ କରୁଥିଲେ। ସେ କାନାଡାର ସ୍ଥାୟୀ ବାସିନ୍ଦା ପାଇଁ ଆବେଦନ କରିବାକୁ ପ୍ରସ୍ତୁତି ମଧ୍ୟ କରୁଥିଲେ। ତେବେ ଗତ ମେ ୧୫ ତାରିଖରୁ ତାଙ୍କର ନିଖୋଜ ହୋଇଯାଇଥିବା ନେଇ ଖବର ଆସିଥିଲା। ଆଉ ତଦନ୍ତକ୍ରମେ ପୋଲିସ ୨୨ ବର୍ଷୀୟ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଛି। ତାଙ୍କ ଶରୀରରେ ଗଭୀର କ୍ଷତ ଥିବାରୁ ତାଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଥିବା ଜଣାପଡ଼ିଛି। ସେପଟେ କାନାଡ଼ା ଅଧିକାରୀ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାରେ ସଂପୃକ୍ତ ଅଭିଯୁକ୍ତର ଖୋଜ ଜାରି ରହିଛି। ଖୁବଶୀଘ୍ର ଅଭିଯୁକ୍ତ ଧରାପଡ଼ିବା ନେଇ କହିଛନ୍ତି ପୋଲିସ ଅଧିକାରୀ। ବିଧିଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଛି।

Also Read: ବସକୁ ଧକ୍କା ଦେଲା ଟ୍ରେନ୍, ଏକାଧିକ ଛାତ୍ରଛାତ୍ରୀ ମୃତ

ତେବେ ବିଧିଙ୍କ ହତ୍ୟା ଖବର ପୁଣି ଥିରେ ବିଦେଶରେ ରହୁଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। କାରଣ ଗତ କିଛି ବର୍ଷ ମଧ୍ୟରେ, ବିଭିନ୍ନ ଦେଶରେ ଭାରତୀୟ ବଂଶୋଦ୍ଭବ ଏବଂ ଛାତ୍ରମାନଙ୍କ ଉପରେ ଆକ୍ରମଣ, ଡକାୟତି ଏବଂ ହିଂସାତ୍ମକ ଅପରାଧ ସହିତ ଜଡିତ ଅନେକ ମାମଲା ସାମ୍ନାକୁ ଆସିଛି।

ଅତୀତରେ ଘଟିଥିବା ହତ୍ୟାକାଣ୍ଡ

ଏହା ପୂର୍ବରୁ ଡିସେମ୍ବର ୨୦୨୫ରେ ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ୨୦ ବର୍ଷୀୟ ଭାରତୀୟ ଡକ୍ଟରେଟ୍ ଛାତ୍ର ଶିବାଙ୍କ ଅବସ୍ଥିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।ପରେ ତାଙ୍କର ମୃତଦେହ ହାଇଲ୍ୟାଣ୍ଡ କ୍ରିକ୍ ଟ୍ରେଲ୍ ନିକଟରେ ମିଳିଥିଲା।

ସେହିଭଳି ୨୦୨୫ ଏପ୍ରିଲରେ, ହାମିଲଟନରେ ୨୧ ବର୍ଷୀୟ ଭାରତୀୟ ଛାତ୍ରୀ ହରସିମରତ ରନ୍ଧାୱାଙ୍କ ମୃତ୍ୟୁ ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳିବିନିମୟ ସମୟରେ ବସ୍ ଷ୍ଟପରେ ଠିଆ ହୋଇଥିବା ହରସିମରତଙ୍କ ଦେହରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିଲା।