ମୁମ୍ବାଇ: ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସିନେମା, ଶୋ ଓ ବିଜ୍ଞାପନ ମାଧ୍ୟମରୁ ଖୁବ୍ ଆୟ କରନ୍ତି। ଏକଥା ସାରା ଦୁନିଆ ଜାଣିଛି। ହେଲେ ଘର ଭଡା ଦେଇ କେତେ ଟଙ୍କା ରୋଜଗାର କରନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ନିକଟରେ ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଅମିତାଭ ଏକ ବଡ଼ ଡିଲ୍ କରିଛନ୍ତି। ଅନ୍ଧେରୀ ୱେଷ୍ଟର ‘ସିଗ୍ନେଚର’ ବିଲ୍ଡିଂରେ ଥିବା ତାଙ୍କର ୩ଟି ଫ୍ଲୋରକୁ ସେ ୫ ବର୍ଷ ପାଇଁ ଲିଜ୍‌ରେ ଦେଇଥିବା ଜଣାପଡ଼ିଛି। ଏହି ସମ୍ପତ୍ତିରୁ ତାଙ୍କୁ ପ୍ରତିମାସ ପ୍ରାୟ ୩୩ ଲକ୍ଷ ଟଙ୍କା ଭଡ଼ା ମିଳିବ। ପୂରା ୫ ବର୍ଷର ଲିଜ୍ ଅବଧିରେ ତାଙ୍କର ମୋଟ ଆୟ ପ୍ରାୟ ₹୨୧.୮୮ କୋଟି ହେବ ବୋଲି ରିପୋର୍ଟରେ କୁହାଯାଇଛି।

୮,୪୨୮ ବର୍ଗଫୁଟ୍ କାର୍ପେଟ୍ ଏରିଆ, ୯ଟି ପାର୍କିଂ

ପ୍ରପର୍ଟି ଡକ୍ୟୁମେଣ୍ଟ ଅନୁଯାୟୀ, ଅମିତାଭ ବଚ୍ଚନ ଏହି ସ୍ଥାନକୁ ‘ଟ୍ରୁନେଟିଭ୍’ ନାମକ ଏକ ନ୍ୟୁଟ୍ରିସନ୍ କମ୍ପାନୀକୁ ଲିଜ୍ରେ ଦେଇଛନ୍ତି। କମ୍ପାନୀକୁ ପ୍ରାୟ ୮,୪୨୮ ବର୍ଗଫୁଟ୍ କାର୍ପେଟ୍ ଏରିଆ ମିଳିଛି। ଏହା ସହିତ ୯ଟି ଗାଡ଼ି ପାର୍କିଂ ପାଇଁ ମଧ୍ୟ ସ୍ଥାନ ଦିଆଯାଇଛି। ଏହି ଲିଭ୍ ଆଣ୍ଡ ଲାଇସେନ୍ସ ଏଗ୍ରିମେଣ୍ଟରେ ସରକାରୀ ମୋହର ୭ ଅଗଷ୍ଟରେ ଲାଗିଥିଲା। ତେବେ ଭଡ଼ା ଅବଧି ୧୫ ଅଗଷ୍ଟ ୨୦୨୬ରୁ ଆରମ୍ଭ ହୋଇଥିବା ଧରାଯାଇଛି। ଚୁକ୍ତି ଅନୁସାରେ ପ୍ରତିବର୍ଷ ଭଡ଼ାରେ ୫ ପ୍ରତିଶତ ବୃଦ୍ଧି ହେବ।

ୱାର୍ନର ମ୍ୟୁଜିକୁ ମଧ୍ୟ ଦେଇଛନ୍ତି ଅଫିସ୍

ଅମିତାଭ ବଚ୍ଚନଙ୍କ ପାଇଁ ପ୍ରପର୍ଟି ଲିଜ୍ ଦେଇ ଆୟ କରିବା ନୂଆ କଥା ନୁହେଁ। ଏହା ପୂର୍ବରୁ ମୁମ୍ବାଇର ଲୋଟସ୍ ସିଗ୍ନେଚର୍ ବିଲ୍ଡିଂରେ ଥିବା ତାଙ୍କର ୪ଟି ଅଫିସକୁ ୱାର୍ନର ମ୍ୟୁଜିକ୍ ପ୍ରାଇଭେଟ୍ ଲିମିଟେଡକୁ ଭଡ଼ାରେ ଦେଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ଡିଲ୍‌ରେ ପ୍ରତିମାସ ପ୍ରାୟ ₹୧୭.୩୦ ଲକ୍ଷ ଭଡ଼ା ମିଳୁଥିବା ବେଳେ ୧୨ଟି ପାର୍କିଂ ସ୍ପେସ୍ ମଧ୍ୟ ଦିଆଯାଇଥିଲା।

ଅଯୋଧ୍ୟାରେ ମଧ୍ୟ ବଡ଼ ନିବେଶ

ମୁମ୍ବାଇ ବ୍ୟତୀତ ଅମିତାଭ ବଚ୍ଚନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ମଧ୍ୟ ରିଅଲ୍ ଇଷ୍ଟେଟ୍ରେ ବଡ଼ ନିବେଶ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ସେ ପ୍ରାୟ ୨.୬୭ ଏକର ଜମି ₹୩୫ କୋଟିରେ କିଣିଥିବା ଖବର ଆସିଥିଲା। ଏହି ଜମି ‘ଅଭିନନ୍ଦନ ଲୋଧା ଗ୍ରୁପ୍’ର ୭୫ ଏକରର ଲଗଜୁରୀ ପ୍ରୋଜେକ୍ଟ ‘ଦ ସରୟୁ’ ନିକଟରେ ଥିବା ଏବଂ ରାମ ମନ୍ଦିରଠାରୁ ପ୍ରାୟ ୧୫-୨୦ ମିନିଟର ଦୂରତାରେ ଥିବା କୁହାଯାଇଛି।

ଏହା ପୂର୍ବରୁ ଜାନୁଆରୀ ୨୦୨୪ରେ ସେ ତିହୁରା ମାଞ୍ଝା ଅଞ୍ଚଳ ନିକଟରେ ପ୍ରାୟ ୨ ବିଘା(୧.୨୪ ଏକର) ଜମି କିଣିଥିଲେ। ଏହାର ମୂଲ୍ୟ ₹୮୬ ଲକ୍ଷରୁ ଅଧିକ ବୋଲି ଜଣାପଡ଼ିଥିଲା। ୨୦୨୪ରେ ‘ସରୟୁ’ ପ୍ରକଳ୍ପରେ ପ୍ରାୟ ୧୦,୦୦୦ ବର୍ଗଫୁଟର ଏକ ପ୍ଲଟ୍ ₹୧୪.୫ କୋଟିରେ ଏବଂ ୨୦୨୫ ମେ’ରେ ପ୍ରାୟ ୨୫,୦୦୦ ବର୍ଗଫୁଟର ଆଉ ଏକ ପ୍ଲଟ୍ ପ୍ରାୟ ₹୪୦ କୋଟିରେ କିଣିଥିବା ଖବର ମଧ୍ୟ ରହିଛି।

‘କୌନ୍ ବନେଗା କରୋଡପତି’ରେ ଜାରି ରହିଛି ଯାତ୍ରା

ପ୍ରପର୍ଟି ଓ ବ୍ୟବସାୟିକ ନିବେଶ ସହିତ ଅମିତାଭ ବଚ୍ଚନ ଟେଲିଭିଜନରେ ମଧ୍ୟ ସକ୍ରିୟ ଅଛନ୍ତି। ସେ ଲୋକପ୍ରିୟ କ୍ୱିଜ୍ ରିଅଲିଟି ଶୋ’ ‘କୌନ୍ ବନେଗା କରୋଡପତି’ର ୧୮ତମ ସିଜନର ହୋଷ୍ଟ ଭାବେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି।