ନୂଆଦିଲ୍ଲୀ: ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ଓ ଯୁଦ୍ଧ ଭଳି ପରିସ୍ଥିତି ମଧ୍ୟରେ ବିଦେଶ ମନ୍ତ୍ରାଳୟ (ଏମଇଏ) ଭାରତୀୟ ନାଗରିକଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ୨୪X୭ ନିୟନ୍ତ୍ରଣ ରୁମ ସକ୍ରିୟ କରିଛି। ସରକାର କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଇରାନରୁ ୨,୫୪୯ ଜଣ ଭାରତୀୟଙ୍କୁ ସୁରକ୍ଷିତ ବାହାର କରି ଅଣାଯାଇଛି। ଏମାନଙ୍କୁ ଭୂ ଭାଗରେ ସୀମା ପାର କରି ଅଣାଯାଇଛି। ବୈଦେଶିକ ମନ୍ତ୍ରାଳୟ ଅତିରିକ୍ତ ସଚିବ ଅସୀମ ଆର.ମହାଜନ କହିଛନ୍ତି ଯେ ମନ୍ତ୍ରାଳୟ ଲଗାତାର ପରିସ୍ଥିତି ଉପରେ ନର ରଖି ରହିଛି।

ମହାଜନ କହିଛନ୍ତି ଯେ ଏବେ ଇରାନର ଏୟାରସ୍ପେସ୍ ଖୋଲା ଅଛି। ସାଉଦୀ ଆରବ ଏବଂ ଓମାନରୁ ଉଡାଣ ଜାରି ରହିଛି। ତେବେ କତାର ତାର ଏୟାରସ୍ପେସ୍ କୁ ଆଂଶିକ ଖୋଲିଛି। କ୍ୱେତ ଓ ବାହାରିନରୁ ବିମାନ ସେବା ସ୍ୱଭାବିକ ଅଛି। ଇରାନ ଏୟାରସ୍ପେସ୍ ଯୁଦ୍ଧବିରାମ ପରେ ଖୋଲିଥିଲେ ବି ସୀମିତ ଖୋଲା ଅଛି। ତେବେ ଭାରତୀୟଙ୍କୁ ଇରାନ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି ଯେ ଭାରତ ସରକାର ପରିସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି ଓ ଆବଶ୍ୟକ ପଡିଲେ ନୂଆ ନିର୍ଦ୍ଦେଶ ଜାରି କରାଯିବ।

ସେହିପରି ବନ୍ଦର, ନୌପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ କହିଛନ୍ତି ଯେ ଗତ ୩ ଦିନରେ କୌଣସି ଭାରତୀୟ ଜାହାଜ ଅଥବା ନାବିକଙ୍କ ସହ ସେଭଳି କୌଣସି ବଡ଼ ଘଟଣା ଘଟି ନାହିଁ। ଏ ପର୍ଯ୍ୟନ୍ତ ୩,୦୯୬ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଫେରସ୍ତ ଅଣାଯାଇ ପାରିଛି। ସରକାରଙ୍କ ଅନୁସାରେ ଏପର୍ଯ୍ୟନ୍ତ ହେଲପଲାଇନ ଓ କଣ୍ଟ୍ରୋଲ ରୁମ ହଜାର ହଜାର ଇ-ମେଲ ଓ ଫୋନ କଲ ଆସିଛି। ଭାରତୀୟ ଦୂତାବାସ ଓ ବାଣିଜ୍ୟ ଦୂତାବାସ ଲଗାତାର ଲୋକଙ୍କୁ ସହାୟତା କରୁଛନ୍ତି। ଏହି ପୁରା କାର୍ଯ୍ୟକ୍ରମ ଏପରି ସମୟରେ ହେଉଛି ଯେତେବେଳେ ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଲାଗି ରହିଛି ଓ ହର୍ମୁଜ ପ୍ରଣାଳୀକୁ ନେଇ ବୈଶ୍ୱିକ ଚିନ୍ତା ଲାଗି ରହିଛି।