ନୂଆଦିଲ୍ଲୀ ୧୮।୦୯; ଆଜିର ସମୟରେ ଯେତେବେଳେ ସମସ୍ତେ ଆମେରିକା ବା ପାଶ୍ଚାତ୍ୟ ଦେଶରେ ବସବାସ କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି, ଠିକ୍ ସେତେବେଳେ ଆମେରିକାର ଜର୍ଜିଆ ସହରର ଜଣେ ଯୁବତୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଆଟଲାଣ୍ଟାର ସମସ୍ତ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ଛାଡ଼ି ସେ ବାଛିଛନ୍ତି ବିହାରର ଏକ ସାଧାରଣ ଗାଁ। ଆସନ୍ତୁ ଜାଣିବା କିଏ ଏହି ଆମେରିକୀୟ ବଧୂ 'ହୋପ୍ ସିଂହ' ଏବଂ କାହିଁକି ସେ ଆପଣାଇଲେ ବିହାରର ଗାଁର ମାଟି!

ଏ.. ହେଉଛନ୍ତି ହୋପ୍ ସିଂହ। ଯିଏ ମୂଳତଃ ଆମେରିକାର ଆଟଲାଣ୍ଟାର ବାସିନ୍ଦା। ୨୦୨୩ ମସିହାରେ ବିହାରର ଯୁବକ ଅଭିଷେକ ସିଂହଙ୍କୁ ବିବାହ କରିବା ପରେ ତାଙ୍କ ଜୀବନର ଧାରା ସଂପୂର୍ଣ୍ଣ ବଦଳିଗଲା। ବଡ଼ ସହରର କଂକ୍ରିଟ୍ ରାସ୍ତା ଏବଂ ଦ୍ରୁତ ଗତିଶୀଳ ଜୀବନରୁ ଦୂରେଇ, ହୋପ୍ ଚାହୁଁଥିଲେ ଏକ ଶାନ୍ତିପୂର୍ଣ୍ଣ ଏବଂ ପ୍ରକୃତିର ନିକଟତର ଜୀବନ। ଯାହାଫଳରେ ତାଙ୍କ ପୁଅ ସବୁଜିମା ଓ ପାରିବାରିକ ସ୍ନେହ ମଧ୍ୟରେ ବଢ଼ିପାରିବ।

ପାଶ୍ଚାତ୍ୟ ଦେଶର ଚକଚକିଆ ଜୀବନ ସମ୍ପର୍କରେ କଥା ହୋଇ ହୋପ୍ କୁହନ୍ତି ଯେ, ଦୂରରୁ ଯାହା ଆଦର୍ଶ ଦେଖାଯାଏ। ବାସ୍ତବରେ ସେଠାରେ ଜୀବନ ଅତ୍ୟନ୍ତ ମହଙ୍ଗା ଏବଂ ଲୋକମାନେ ପ୍ରକ୍ରିୟାକୃତ ଖାଦ୍ୟ ଉପରେ ନିର୍ଭରଶୀଳ। ମାତ୍ର ବିହାରର ଏହି ଗାଁରେ ମିଳୁଛି ସତେଜ ପରିବା ଏବଂ ଘରେ ପ୍ରସ୍ତୁତ ପୁଷ୍ଟିକର ଖାଦ୍ୟ। ଟଙ୍କା ଦ୍ୱାରା ଭୌତିକ ସୁବିଧା କିଣିହେବ କିନ୍ତୁ ପ୍ରକୃତ ମାନସିକ ଶାନ୍ତି ନୁହେଁ।

ଅବଶ୍ୟ, ଆମେରିକାରୁ ଆସି ବିହାରର ଏହି ଗାଁ’ର ପରିବେଶରେ ଖାପ ଖୁଆଇବା ହୋପ୍ଙ୍କ ପାଇଁ ଆଦୌ ସହଜ ନଥିଲା। ତଳେ ବସି ବାସନ ମାଜିବାଠାରୁ ଆରମ୍ଭ କରି ହାତରେ ସମସ୍ତ କାମ କରିବା—ଏହା ତାଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା। କିନ୍ତୁ ଆଜି ସେ ଗୋଲାକାର ରୁଟି ତିଆରି କରିବାଠାରୁ ଆରମ୍ଭ କରି ଗାଁ ଜୀବନର ପ୍ରତିଟି ମୁହୂର୍ତ୍ତକୁ ବେଶ୍ ଉପଭୋଗ କରୁଛନ୍ତି। ତାଙ୍କ ସ୍ୱାମୀ ଅଭିଷେକଙ୍କ ସମର୍ଥନ ଏବଂ ପରିବାରର ଆପଣାର ଭାବନା ତାଙ୍କୁ ଏଠାରେ ସବୁଠାରୁ ଅଧିକ ଖୁସି ଦେଇଛି।

ବିଳାସପୂର୍ଣ୍ଣ ସହରୀ ଜୀବନ ଛାଡ଼ି ମାଟିର ବାସ୍ନା ଏବଂ ସମ୍ପର୍କର ମୂଲ୍ୟକୁ ବୁଝିଥିବା ହୋପ୍ ସିଂହଙ୍କ ଏହି ଯାତ୍ରା ଆଜି ସୋସିଆଲ୍ ମିଡିଆରେ ଅନେକଙ୍କୁ ପ୍ରେରଣା ଯୋଗାଉଛି। ଏହା ପ୍ରମାଣ କରୁଛି ଯେ ପ୍ରକୃତ ଖୁସି କୌଣସି ଅଟ୍ଟାଳିକାରେ ନୁହେଁ, ବରଂ ଶାନ୍ତି ଏବଂ ଆପଣାର ଲୋକଙ୍କ ସାନ୍ନିଧ୍ୟରେ ହିଁ ମିଳିଥାଏ।