ନୂଆଦିଲ୍ଲୀ: ଏଆଇକୁ ନେଇ ବିଭିନ୍ନ ଏକ୍ସପର୍ଟ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚାକିରି ଶେଷ କରିବା ପରିବର୍ତ୍ତେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଏବଂ ପ୍ରଯୁକ୍ତିବିଦ୍ୟା ଅଭିନବତ୍ୱର(ଟେକ୍ନୋଲୋଜୀ ଇନୋଭେସନ)କୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବ। ଭବିଷ୍ୟତରେ ସ୍ଥିତି ଏମିତି ହେବ ଯେ ବେକାରୀ ବଦଳରେ ଶ୍ରମିକଙ୍କ ଅଭାବ (Labour Shortage) ସୃଷ୍ଟି ହେବ। ତେବେ ଏହି ଏଆଇକୁ ନେଇ ସେ ଏକ ବଡ଼ ଚିନ୍ତା ବ୍ୟକ୍ତ କରିଛନ୍ତି। ଭବିଷ୍ୟତରେ ପାଣିର ଅଭାବ ଏଆଇର ଅଗ୍ରଗତିକୁ ମନ୍ଥର କରିପାରେ ବୋଲି ସେ ସତର୍କ କରାଇଛନ୍ତି।

ପ୍ୟାରିସରେ ଆୟୋଜିତ 'ଭିଭାଟେକ୍ ୨୦୨୬' କନଫରେନ୍ସରେ ଜେଫ୍ ବେଜୋସ୍ AI ଏବଂ ନିଯୁକ୍ତିକୁ ନେଇ ଚାଲିଥିବା ବିଶ୍ୱସ୍ତରୀୟ ଚର୍ଚ୍ଚାରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, AI ଜଟିଳ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ଏବଂ ସମାଧାନ କରିବାର ପ୍ରକ୍ରିୟାକୁ ସହଜ କରି ମାନବୀୟ ସୃଜନଶୀଳତାର ପରିସରକୁ ବୃଦ୍ଧି କରିବ। ଏହି ଆଲୋଚନାରେ ବ୍ଲୁ ଅରିଜିନର ଚିଫ୍ ଏକଜିକ୍ୟୁଟିଭ୍ ଦେବ ଲିମ୍ପ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ମଧ୍ୟ ଏନେଇ ତାଙ୍କ ମତ ରଖିଥିଲେ।

ବେଜୋସ୍ ତାଙ୍କର ନୂଆ AI ଷ୍ଟାର୍ଟଅପ୍ 'ପ୍ରୋମିଥିଅସ୍' ବିଷୟରେ ମଧ୍ୟ ସୂଚନା ଦେଇଥିଲେ। ଏହାର ଉଦ୍ଦେଶ୍ୟ ହେଉଛି ଏକ 'ଆର୍ଟିଫିସିଆଲ ଜେନେରାଲ ଇଞ୍ଜିନିୟର' ପ୍ରସ୍ତୁତ କରିବା। ତାଙ୍କର ଆଶା ଯେ ଏହି ଟେକ୍ନଲୋଜୀ ଇନୋଭେସନର ଗତିକୁ ତ୍ୱରାନ୍ୱିତ କରିବ ଏବଂ ଯାହା, କଳ୍ପନା କରାଯାଉ ନଥିଲା, ତାହା ଉପରେ ହିଁ କାମ ସମ୍ଭବ ହୋଇପାରିବ। ବେଜୋସି କହିଛନ୍ତି, ଯଦି ଆମେ 'ଡ୍ରିମ୍-ବିଲ୍ଡ ଲୁପ୍' (ଚିନ୍ତା କରିବା ଏବଂ ନିର୍ମାଣ କରିବାର ଚକ୍ର) କୁ ବଢ଼ାଇ ପାରିବା, ତେବେ ସମସ୍ତ ବିଚାର ସମ୍ଭବ ହେବ। ସେତେବେଳେ ଆମେ କେବଳ ଆମର କ୍ଷମତା ଦ୍ୱାରା ନୁହେଁ, ବରଂ ଆମର କଳ୍ପନା ଦ୍ୱାରା ସୀମିତ ରହିବୁ ବୋଲି ସେ କହିଛନ୍ତି।