ନୂଆଦିଲ୍ଲୀ: ଗୁଜରାଟରେ ଏସୀୟ ସିଂହ (Asiatic Lion) ମୃତ୍ୟୁକୁ ନେଇ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଗୁଜରାଟ ବିଧାନସଭାରେ ଦାଖଲ ହୋଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ବର୍ଷ ମଧ୍ୟରେ (୩୧ ଜୁଲାଇ ୨୦୨୬ ସୁଦ୍ଧା) ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ମୋଟ ୬୨ଟି ଏସୀୟ ସିଂହଙ୍କର ମୃତ୍ୟୁ ଘଟିଛି।ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ କଂଗ୍ରେସ ବିଧାୟକ ଶୈଳେଶ ପାରମାରଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୁଜରାଟର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅର୍ଜୁନ ମୋଢ଼ବାଡିଆ ଏହି ତଥ୍ୟ ଦେଇଛନ୍ତି।

ମୃତ ସିଂହଙ୍କ ମଧ୍ୟରେ ୧୭ଟି ଅଣ୍ଡିରା , ୧୭ଟି ମାଈ ଏବଂ ୨୮ଟି ସିଂହ ଛୁଆଙ୍କ ମୃତ୍ୟୁ ହୋଇଛି ।  ମୃତ ସିଂହଗୁଡ଼ିକର ପୋଷ୍ଟମୋର୍ଟମ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଭିନ୍ନ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ । ସେପ୍ଟିସେମିଆ (ରକ୍ତ ସଂକ୍ରମଣ), ନିମୋନିଆ ଏବଂ ହେମୋରେଜିକ୍ ନିମୋନିଆ, ଆନେମିଆ,  କିଡ୍‌ନୀ ଓ ଯକୃତ ନଷ୍ଟ,  ଅଙ୍ଗପ୍ରତ୍ୟଙ୍ଗ ଅକାମୀ,  ମାୟୋକାର୍ଡିଆଲ୍ ଇନଫାର୍କସନ୍ ଓ ପାରାଲିସିସ୍ ଭଳି ରୋଗରେ ସେଗୁଡ଼ିକ ଆକ୍ରାନ୍ତ ଥିଲେ । ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ୍, କୃମି , ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ସମସ୍ୟା, ଆର୍ଥ୍ରାଇଟିସ୍ ଏବଂ ବ୍ରୋଙ୍କୋନିମୋନିଆ ସାମିଲ।

ଜଙ୍ଗଲ ବିଭାଗ ଦ୍ୱାରା ନିଆଯାଇଥିବା ସୁରକ୍ଷା ପଦକ୍ଷେପ
ସିଂହଗୁଡ଼ିକୁ ସଂକ୍ରମଣରୁ ରକ୍ଷା କରିବା ଏବଂ ତୁରନ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଗୁଜରାଟ ସରକାର ଏବଂ ଜଙ୍ଗଲ ବିଭାଗ କେତେକ ପଦକ୍ଷେପ ନେଇଛନ୍ତି । ସିଂହ ଶରୀରରୁ ପୋକ/ଜୋକ ଦୂର କରିବା ଏବଂ ଡିୱାର୍ମିଂ କରିବା ସହ ଅଭୟାରଣ୍ୟ ଓ ଆଖପାଖ ଗ୍ରାମର ଗୃହପାଳିତ ପଶୁଙ୍କୁ ଟିକା ଦିଆଯାଉଛି, ଯେପରି ଗୃହପାଳିତ ପଶୁଠାରୁ ସିଂହକୁ ରୋଗ ନ ବ୍ୟାପେ।

ନିୟମିତ ଭାବରେ ସିଂହଗୁଡ଼ିକର ରକ୍ତ ନମୂନା ସଂଗ୍ରହ କରି ଲ୍ୟାବ୍‌କୁ ପରୀକ୍ଷା ପାଇଁ ପଠାଯାଉଛି। ଆହତ ଓ ରୋଗାକ୍ରାନ୍ତ ସିଂହଗୁଡ଼ିକୁ ତୁରନ୍ତ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଶାସଣ , ଜାମୱାଲା, ଯଶୋଧାର , ଜୁନାଗଡ଼ର ସକ୍କରବାଗ ଚିଡ଼ିଆଖାନା, ସାତ୍‌ ଭିରଡ଼ା, କ୍ରାଙ୍କଚ, ବାବରକୋଟ ଏବଂ ଜଞ୍ଜାରଦାଠାରେ ସ୍ୱତନ୍ତ୍ର ବନ୍ୟପ୍ରାଣୀ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇଛି। ସିଂହଗୁଡ଼ିକର ଗତିବିଧି ଓ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବା ପାଇଁ ଟ୍ରାକର ଏବଂ ‘ବନ୍ୟପ୍ରାଣୀ ମିତ୍ର’ ମୁତୟନ କରାଯାଇଛି।

କେତେ ଅଛନ୍ତି ଏସୀୟ ସିଂହ ?
୨୦୨୫ରେ ହୋଇଥିବା ସିଂହ ଗଣନା (Lion Census) ଅନୁଯାୟୀ, ଗୁଜରାଟରେ ମୋଟ ୮୯୧ଟି ଏସୀୟ ସିଂହ ରହିଛନ୍ତି। ସେଗୁଡ଼ିକର ସୁରକ୍ଷା ଓ ରୋଗ ନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପକୁ ଆହୁରି କଡ଼ାକଡ଼ି କରାଯାଉଛି।