କାମାକ୍ଷାନଗର ୨।୧୦: ରାସନ ଚାଉଳ ହଡ଼ପ ସାଙ୍ଗକୁ ନୂଆ ରାସନ କାର୍ଡ କରାଇଦେବା ନାଁରେ ଟଙ୍କା ଆଦାୟ ଅଭିଯୋଗ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତର କାଦବସନ୍ତ ଗାଁରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ ।

ଅଭିଯୋଗ ଅନୁଯାୟୀ, ରାସନ ବଣ୍ଟନ ଦାୟିତ୍ୱରେ ଥିବା ଶକ୍ତି ମା' ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ବଣ୍ଟନ କାର୍ଯ୍ୟ କରୁଥିବା ହୃଦାନନ୍ଦ ପରିଡ଼ାଙ୍କ ବିରୋଧରେ ହିତାଧିକାରୀ ମାନେ ଆଣିଛନ୍ତି ଚାଉଳ ହଡ଼ପ ଅଭିଯୋଗ । ଜଣେ ହିତାଧିକାରୀଙ୍କ କହିବା ଅନୁସାରେ, ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ୧୬୦ କିଲୋଗ୍ରାମ ଚାଉଳ ପାଇବା କଥା । କିନ୍ତୁ ତାଙ୍କୁ ମିଳିଛି ମାତ୍ର ୧୧୦ କିଲୋଗ୍ରାମ । ଏଥିସହ ଗାଁର ଗରିବ ଆଦିବାସୀ ପରିବାରଙ୍କ ଚାଉଳ ମଧ୍ୟ ହଡ଼ପ ହୋଇଥିବା ଅଭିଯୋଗ ହୋଇଛି ।

Also Read:- ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଇଣ୍ଟରସିଟି, ଜୀବନ ହରାଇଲେ ଟ୍ରାକ୍ ମ୍ୟାନ୍

ଅନ୍ୟପଟେ ନୂଆ ରାସନ କାର୍ଡ କରାଇଦେବା ପାଇଁ ଜଣ ପିଛା ହଜାରେ ଟଙ୍କା ନିଆଯାଇଥିଲେ ମଧ୍ୟ ଏଯାଏଁ କାର୍ଡ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଘଟଣାକୁ ନେଇ କାମାକ୍ଷାନଗର ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତିଙ୍କ ଦୃଷ୍ଟି ଆକର୍ଷଣ ପରେ ପରଜଙ୍ଗ ବିଡିଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଏବେ ଅପେକ୍ଷା ତଦନ୍ତ ରିପୋର୍ଟକୁ । ଗରିବଙ୍କ ହକ୍‌ର ରାସନ ଚାଉଳ ହଡ଼ପ ଅଭିଯୋଗରେ କେବେ ହେବ କାର୍ଯ୍ୟାନୁଷ୍ଠାନ, ତାହା ଉପରେ ରହିଛି ସମସ୍ତଙ୍କ ନଜର l