ନୂଆଦିଲ୍ଲୀ: ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ହ୍ରାସ ହେବାର ବର୍ତ୍ତମାନ କୌଣସି ସଂକେତ ମିଳୁ ନାହିଁ । ଏହାରି ଭିତରେ ହର୍ମୁଜ ପ୍ରଣାଳୀ ନିକଟ ଓମାନ ଉପକୂଳରେ ଏକ ବାଣିଜ୍ୟିକ ଜାହାଜ ଉପରେ ଡ୍ରୋନ ଆକ୍ରମଣ ହୋଇଛି । ଏହି ଜାହାଜରେ ଅତିକମରେ ୨୪ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ ବୋଲି ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ପାଲାଉର ପତାକା ତଳେ ଯାଉଥିବା ଏହି ଜାହାଜଟି ଓମାନ ଉପକୂଳରୁ ପ୍ରାୟ ୧୫ ନଟିକାଲ ମାଇଲ ଦୂରରେ ଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଜାହାଜର ଇଞ୍ଜିନ ରୁମରେ ଡ୍ରୋନ ମାଡ଼ ହେବା ପରେ ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହା ଜାହାଜରେ ଥିବା ସଦସ୍ୟମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇ ଦେଇଥିଲା ।

ଜାହାଜ ଚଳାଚଳ ମନ୍ତ୍ରଣାଳୟର ସିପିଂ ଡିଭିଜନର ନିର୍ଦ୍ଦେଶକ ଓପେଶ କୁମାର ଶର୍ମା କହିଛନ୍ତି, "ଆଜି ପ୍ରାୟ ୧ଟା ୩୦ ମିନିଟ ସମୟରେ ଏକ ଜାହାଜ 'ଏମଟି ମାରିଭେକ୍ସ'ରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଏଥିରେ ୨୪ ଜଣ ଭାରତୀୟ ନାବିକ ଥିଲେ ।" ଆଶ୍ୱସ୍ତିକର ବିଷୟର ହେଉଛି ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି ।

ଶର୍ମା ଆଶ୍ୱାସନା ଦେଇ କହିଛନ୍ତି ଯେ ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି । ସେ କହିଛନ୍ତି, ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ବିଦେଶରେ ଥିବା ଆମର ଭାରତୀୟ ମିଶନ, ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ସମନ୍ୱୟ ରକ୍ଷା କରାଯାଉଛି ।

ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଜାହାଜର ଇଞ୍ଜିନ ରୁମ୍ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଜାହାଜ ଭିତରକୁ ପାଣି ପଶିଯାଇଛି ଏବଂ ଏହାର ସନ୍ତୁଳନ ବିଗିଡ଼ିଯାଇଛି । ପରିସ୍ଥିତି ଗମ୍ଭୀର ହେବାରୁ କ୍ରୁ ସଦସ୍ୟମାନେ ତୁରନ୍ତ ସାହାଯ୍ୟ ପାଇଁ ଜରୁରୀକାଳୀନ ସଙ୍କେତ ପଠାଇଥିଲେ । ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣା ସମୟରେ ଜାହାଜର ଲାଇଫ୍ ବୋଟଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି, ଯାହା ଫଳରେ ଉଦ୍ଧାର ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଛି ।