ଲକ୍ଷ୍ନୌ, ୩୦/୦୪ ବିଜେପି ବିଧାୟିକାଙ୍କୁ ଭେଟିଲେ ଅଖିଲେଶ ଯାଦବ । ନିଆଁରେ ପୋଡ଼ି ହୋଇ ଆହତ ହୋଇଥିବା ବିଜେପି ବିଧାୟିକା ଅନୁପମା ଜୟସ୍ୱାଲଙ୍କୁ ହସ୍ପିଟାଲରେ ଅଖିଲେଶ ସାକ୍ଷାତ କରିଛନ୍ତି ।

ରିପୋର୍ଟ ଅନୁସାରେ, ଏବେ ଉତ୍ତର ପ୍ରଦେଶର ସବୁ ଜିଲ୍ଲାରେ ବିଜେପି ମହିଳା ଜନ ଆକ୍ରୋଶ ସମ୍ମିଳନୀର ଆୟୋଜନ କରୁଛି । ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ ନହୋଇପାରିବାରୁ ବିଜେପି ବିରୋଧୀ ଦଳକୁ ଟାର୍ଗେଟ୍ କରୁଛି । ବିଜେପି କର୍ମୀ ୟୁପିର ବିଭିନ୍ନ ଜାଗାରେ କଂଗ୍ରେସ ଏବଂ ସମାଜବାଦୀର ପୋଷ୍ଟର୍ ଜାଳୁଛନ୍ତି ।

ତେବେ ବହରାଇଚରେ ରାଲି ସମୟରେ ସ୍ଥାନୀୟ ବିଧାୟିକା ଅନୁପମାଙ୍କ ନେତୃତ୍ୱରେ ଅଖିଲେଶ ଏବଂ ରାହୁଲ ଗାନ୍ଧୀଙ୍କ କୁଶ ପୁତଳିକା ଦାହ କରାଯାଉଥିଲା । ଏହି ସମୟରେ ନିଆଁରେ ପୋଡି ଯାଇ ନିଜେ ଅନୁପମା ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଲକ୍ଷ୍ନୌସ୍ଥିତ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମଙ୍ଗଳବାର ହସ୍ପିଟାଲରେ ବିଜେପି ବିଧାୟିକା ଅନୁପମାଙ୍କୁ ଅଖିଳେଶ ସାକ୍ଷାତ କରିଛନ୍ତି ।

ସୋସିଆଲ ମିଡିଆ ଏକ୍ସରେ ଅଖିଲେଶ ଲେଖିଛନ୍ତି ଯେ, ସେମାନେ ସମାଜରେ ନିଆଁ ଜଳୁ ବୋଲି ଚାହୁଁ ନାହାଁନ୍ତି । ସମାଜରେ ଭଲ ବାତାବରଣ ସୃଷ୍ଟି କରିବା ସମସ୍ତଙ୍କର କାର୍ଯ୍ୟ । ସକରାତ୍ମକ ରାଜନୀତି ଏହି ସବୁ ପରମ୍ପରା ଶିଖାଇଥାଏ । ତେଣୁ ସେ ବିଜେପି ବିଧାୟିକା ଅନୁପମାଙ୍କୁ ଭେଟିବାକୁ ଯାଇଥିଲେ । ରାଜନୀତି ଅଲଗା ଜାଗାରେ ଏବଂ ମାନବିକତା ଅନ୍ୟ ଜାଗାରେ ବୋଲି ଅଖିଲେଶ କହିଛନ୍ତି । ତେବେ ଅଖିଲେଶଙ୍କ ଏପରି ପଦକ୍ଷେପକୁ ଅନେକ ପ୍ରଶଂସା କରୁଛନ୍ତି ।

ସୂଚନାଯୋଗ୍ୟ, ବିଜେପି ବିଧାୟିକା ଅନୁପମାଙ୍କ ମୁଣ୍ଡ, ଚୁଟି ଏବଂ ମୁହଁରେ କ୍ଷତ ହୋଇଛି । ନିଆଁରେ ଶରୀରର ଅନେକ ସ୍ଥାନ ପୋଡି ଯାଇଛି । ତାଙ୍କୁ ଭେଟିବାକୁ ଅନେକ କର୍ମୀ ଏବଂ ନେତା ହସ୍ପିଟାଲ ଆସୁଛନ୍ତି । ତେବେ ଅଖିଲେଶ ହସ୍ପିଟାଲରେ ପହଁଚିବା ପରେ ଅନୁପମା ତାଙ୍କୁ ଦେଖି ଖୁସି ହେବା ସହ ହସିଥିଲେ । ଏପରିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଅଖିଲେଶ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।