ମୁମ୍ଵାଇ ୧୬।୦୭; ଟେଲିଭିଜନ୍ ଦୁନିଆର ବିବାଦୀୟ ରିଅଲିଟି ଶୋ 'ଲକ୍ ଅପ୍'। ଏହି ଶୋ’ରେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛନ୍ତି ଅଭିନେତ୍ରୀ ଆକାଂକ୍ଷା ଚାମୋଲା । ସ୍ୱାମୀ ତଥା ଲୋକପ୍ରିୟ ଟିଭି ଅଭିନେତା ଗୌରବ ଖାନ୍ନାଙ୍କ ସହ ବିବାହ ବିଚ୍ଛେଦ ଖବର ପରେ ଏବେ ତାଙ୍କର ଏକ ନୂଆ ବୟାନ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଶୋ'ର ଏକ ଏପିସୋଡରେ ଅଭିନେତା ରାମ କପୁର ନିଜ ବୈବାହିକ ଜୀବନର ଅନୁଭବ ସେୟାର କରୁଥିଲେ । ସେ କହିଥିଲେ ଯେ ଏକ ସମୟରେ ତାଙ୍କ ପତ୍ନୀ ଗୌତମୀ କପୁରଙ୍କ ପ୍ରଥମ ବିବାହ ଭାଙ୍ଗିବା ପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ଗଭୀର ହୋଇଥିଲା । ଏହି ଆଲୋଚନା ସମୟରେ ଆକାଂକ୍ଷା ହଠାତ୍ କହିଥିଲେ"ମୁଁ ଗୌରବଙ୍କ ଠାରୁ କେବେ ବି ବିବାହ ପରାମର୍ଶ ନେବିନି ।" ତାଙ୍କ ଏହି ମନ୍ତବ୍ୟ ଶୁଣି ସେଠାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏହାର ଅର୍ଥ ଏହା ନୁହେଁ ଯେ ସେ ଗୌରବଙ୍କ ବିରୋଧରେ କୌଣସି ଗୁରୁତର ଅଭିଯୋଗ କରିଛନ୍ତି । ଆକାଂକ୍ଷା ସ୍ପଷ୍ଟ କହିଥିଲେ ଯେ ଗୌରବ କେବେ ତାଙ୍କ ସହ ଖରାପ ବ୍ୟବହାର କରି ନାହାଁନ୍ତି କିନ୍ତୁ ଯେହେତୁ ତାଙ୍କ ବିବାହ ଭାଙ୍ଗିବା ଦିଗକୁ ଯାଇଛି, ସେଥିପାଇଁ ବିବାହ ସମ୍ପର୍କିତ ପରାମର୍ଶ ସେ ତାଙ୍କଠାରୁ ନେବେ ନାହିଁ ବୋଲି କହିଥିଲେ । ଏହା ପୂର୍ବରୁ ମଧ୍ୟ 'ଲକ୍ ଅପ୍'ରେ ଆକାଂକ୍ଷା ଚାମୋଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଖୁଲାସା କରିଥିଲେ । ପରେ ଶୋ'ର ଅନ୍ୟ ଏକ ଏପିସୋଡରେ ଗୌରବ ଖନ୍ନା ମଧ୍ୟ ଆସିଥିଲେ। ସେ ସମୟରେ ଉଭୟ ଭାବପ୍ରବଣ ହୋଇପଡ଼ିଥିଲେ । ଗୌରବ କହିଥିଲେ ଯେ ଯଦିଓ ସେମାନଙ୍କ ସମ୍ପର୍କରେ ଦୂରତା ଆସିଛି, ହେଲେ ସେ ଆକାଂକ୍ଷାଙ୍କ ପ୍ରତି ସମ୍ମାନ ରଖନ୍ତି ଏବଂ ଦୁହେଁ ପରସ୍ପରକୁ ଦୋଷ ଦେବାକୁ ଚାହୁଁନାହାନ୍ତି ।

ଗତ କିଛି ଦିନ ଧରି ଆକାଂକ୍ଷା ଚାମୋଲା ନିଜ ଜୀବନକୁ ନେଇ ଅନେକ ବ୍ୟକ୍ତିଗତ କଥା ମଧ୍ୟ ସେୟାର କରିଛନ୍ତି । ସେ ନିଜର ପରିଚୟ, ସମ୍ପର୍କ ଏବଂ ବିବାହ ପରବର୍ତ୍ତୀ ମାନସିକ ସ୍ଥିତି ବିଷୟରେ ଖୋଲାଖୋଲି କହିଥିଲେ । ଏହି ଖୋଲାସାଗୁଡ଼ିକ ତାଙ୍କୁ ପୁଣି ଥରେ ଚର୍ଚ୍ଚାରେ ଆଣିଛି । ସୋସିଆଲ ମିଡିଆରେ ଆକାଂକ୍ଷାଙ୍କ ଏହି ନୂଆ ବୟାନକୁ ନେଇ ନା ନା କମେଣ୍ଟ ଆସୁଛି। କହିବାକୁ ଗଲେ ଗୌରବ ଓ ଆକାଂକ୍ଷା ୨୦୧୬ରେ ବିବାହ କରିଥିଲେ । ଦୀର୍ଘ ବର୍ଷ ଧରି ଏହି ଦମ୍ପତିଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଜୋଡ଼ି ଭାବେ ଦେଖାଯାଉଥିଲା । କିନ୍ତୁ ଏବେ ଉଭୟଙ୍କ ବିଚ୍ଛେଦ ଖବର ଏବଂ 'ଲକ୍ ଅପ୍'ରେ ହେଉଥିବା ଖୁଲାସା ଦର୍ଶକଙ୍କ ମଧ୍ୟରେ ବେଶ ଆଗ୍ରହ ସୃଷ୍ଟି କରିଛି ।