ଅମୃତସର: ଡେରା ସଚ୍ଚା ସୌଦା ପ୍ରମୁଖ ଗୁରମିତ୍ ରାମ ରହିମଙ୍କୁ ବାରମ୍ବାର ପାରୋଲ ମିଳିବାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । ସେପଟେ ପାରୋଲ ଓ ମୁକ୍ତି ଅପେକ୍ଷାରେ ଥିବା ଶିଖ କଏଦୀମାନଙ୍କ ପ୍ରତି ହେଉଥିବା ଭେଦଭାବକୁ ନେଇ ଅକାଳ ତଖ୍‌ତର କାର୍ଯ୍ୟକାରୀ ଜାଥେଦାର ଜ୍ଞାନୀ କୁଲଦୀପ ସିଂହ ଗର୍ଜାଜ ଏବଂ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ସଭାପତି ହରଜିନ୍ଦର ସିଂହ ଧାମୀ ପ୍ରଶ୍ନ ଉଠାଇଛନ୍ତି ।

ମଙ୍ଗଳବାର ଜ୍ଞାନୀ କୁଲଦୀପ ସିଂହ ଗର୍ଜାଜ, ରାମ ରହିମଙ୍କୁ ବାରମ୍ବାର ଦିଆଯାଉଥିବା ପାରୋଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଶିଖ କଏଦୀମାନଙ୍କ କ୍ଷେତ୍ରରେ ସରକାର "ଦୋମୁହାଁ ନୀତି" ଆପଣାଉଥିବା ପରି ମନେହେଉଛି । ସେ କହିଛନ୍ତି ଯେ ଜେଲରେ ଥିବା ଜଗତାର ସିଂହ ହୱାରାଙ୍କୁ ତାଙ୍କର ବୃଦ୍ଧା ମାଆଙ୍କୁ ସାକ୍ଷାତ କରିବା ପାଇଁ ପାରୋଲ ଦିଆଯିବା ଉଚିତ । ସେ ରାମ ରହିମଙ୍କୁ ମିଳିଥିବା ପାରୋଲକୁ ଦୃଢ଼ ବିରୋଧ କରିଛନ୍ତି । ସେ କହିଛନ୍ତି ଯେ ଏହି ନିଷ୍ପତ୍ତି ସରକାରଙ୍କର "ଦୋମୁହାଁ ଏବଂ ପକ୍ଷପାତପୂର୍ଣ୍ଣ ଆଭିମୁଖ୍ୟ"କୁ ଦର୍ଶାଉଛି ।

ଧାମୀ କହିଛନ୍ତି ଯେ ଗୋଟିଏ ପଟେ ରାମ ରହିମଙ୍କୁ ବାରମ୍ବାର ପାରୋଲ ଦିଆଯାଉଛି । ଅନ୍ୟପଟେ ଦଶନ୍ଧି ଦଶନ୍ଧି ଧରି ଭିନ୍ନ ଭିନ୍ନ ଜେଲରେ ରହିଥିବା ବନ୍ଦୀ ଶିଖମାନଙ୍କୁ ତାଙ୍କର ଅସୁସ୍ଥ ପରିବାର ଲୋକଙ୍କୁ ଭେଟିବା ପାଇଁ ଅସ୍ଥାୟୀ ମୁକ୍ତି ମଧ୍ୟ ଦିଆଯାଉ ନାହିଁ । ସେ ଆହୁରି କହିଛନ୍ତି ଯେ ଅନେକ କଏଦୀ ସେମାନଙ୍କର ଆଇନଗତ ସଜା ଅବଧି ଶେଷ କରିସାରିଛନ୍ତି, ତଥାପି ସେମାନଙ୍କର ମୁକ୍ତି ଦେଉ ନାହାନ୍ତି ।

ଧାମୀ ଅଭିଯୋଗ କରିଛନ୍ତି ଯେ ରାଜନୈତିକ ଫାଇଦା ପାଇଁ ରାମ ରହିମଙ୍କୁ ବାରମ୍ବାର ପାରୋଲ ଦିଆଯାଉଥିବା ବେଳେ ଶିଖ କଏଦୀମାନଙ୍କ ପ୍ରତି ଭିନ୍ନ ଆଭିମୁଖ୍ୟ ଆପଣାଯାଉଛି, ଯାହାକି ଆଇନ ଏବଂ ନ୍ୟାୟର ସମାନ ପ୍ରୟୋଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସେ ଚେତାବନୀ ଦେଇଛନ୍ତି ଯେ ଏହିପରି ଦୋମୁହାଁ ନୀତି ଶିଖ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ଓ ବିଚ୍ଛିନ୍ନତାବାଦକୁ ଆହୁରି ଗଭୀର କରିପାରେ । ସେ ସରକାରଙ୍କୁ ଆଇନ ଅଧୀନରେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର ନିଶ୍ଚିତ କରିବାକୁ ନିବେଦନ କରିଛନ୍ତି ।