ମୁମ୍ୱାଇ ୨୬।୧୨: ପୁଣି ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି ବଲିଉଡ ଷ୍ଟାର୍ ଅଜୟ ଦେବଗନ। ଫ୍ୟାନ୍ସ ଅଜୟଙ୍କ ସୁପରହିଟ୍ ସସପେନ୍ସ-ଥ୍ରୀଲର ଫିଲ୍ମ 'ଦୃଶ୍ୟମ'ର ତୃତୀୟ କିସ୍ତିକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ନିର୍ମାତାମାନେ ଗତକାଲି ଅଜୟ ଦେବଗନଙ୍କ ଅଭିନୀତ 'ଦୃଶ୍ୟମ ୩' ର ଆନୁଷ୍ଠାନିକ ଘୋଷଣା କରିବା ସହ ଫିଲ୍ମର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି ।

ଇନଷ୍ଟାଗ୍ରାମରେ ନିର୍ମାତା ଫିଲ୍ମର ଘୋଷଣା ଭିଡିଓ ସେୟାର କରିଛନ୍ତି । ଯାହା ୧ ମିନିଟ୍ ୧୩ ସେକେଣ୍ଡର ରହିଛି । ଭିଡିଓରେ ଅଜୟ ଦେବଗନଙ୍କ ଏକ ଭଏସ୍ଓଭର ଦିଆଯାଇଛି । ଏହି ଭଏସ୍ଓଭରରେ, ଅଜୟ ଦେବଗନ ତାଙ୍କ ପରିବାରର ଗୁରୁତ୍ୱ ବିଷୟରେ କଥା ହୋଇଛନ୍ତି । ଏପର୍ଯ୍ୟନ୍ତ କାହାଣୀର ଏକ ଝଲକ ଦେଖିବାକୁ ମିଳିଛି ।ଭଏସ୍ଓଭରରେ, ବିଜୟ ସାଲଗାଓଁକରଙ୍କ ଚରିତ୍ର କହୁଛି, "ମୋର ସତ୍ୟ, ମୋର ଅଧିକାର, କେବଳ ମୋ ପରିବାର ।" ଭିଡିଓର ଶେଷରେ, ବିଜୟ ସାଲଗାଓଁକର କୁହନ୍ତି, "ଗଳ୍ପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଶେଷ ଭାଗ ଏପର୍ଯ୍ୟନ୍ତ ବାକି ଅଛି ।"

"ଦୃଶ୍ୟମ ୩" ଅଭିଷେକ ପାଠକଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଫିଲ୍ମର କଳାକାରଙ୍କ ବିଷୟରେ ଏପର୍ଯ୍ୟନ୍ତ ଅଧିକ ସୂଚନା ପ୍ରକାଶ ପାଇନାହିଁ, ଯାହା ଅକ୍ଟୋବର୨, ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି । ତୃତୀୟ ଭାଗର କାହାଣୀ ପୂର୍ବ ଭାଗରୁ ଯେଉଁଠାରେ ଶେଷ ହୋଇଥିଲା ସେହିଠାରୁ ଜାରି ରହିବ ବୋଲି ଆଶା କରାଯାଉଛି । 'ଦୃଶ୍ୟମ' ହେଉଛି ମାଲାୟଲମ ସିନେମାର ରିମେକ୍ । ଏହି ଦକ୍ଷିଣ ସିନେମାରେ ସୁପରଷ୍ଟାର ମୋହନଲାଲ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ବଲିଉଡରେ ଅଜୟ ଦେବଗନ ସେହି ଭୂମିକାରେ ନଜର ଆସିଛନ୍ତି ।