• ପିଲାଙ୍କୁ ଇଣ୍ଟରନେଟ୍ ରୁ ସମ୍ପୂର୍ଣ୍ଣ ନ ଦୂରେଇ ସୋସିଆଲ ମିଡିଆ ଆକାଉଣ୍ଟ ଲାଗି ‘ଚାଇଲ୍ଡ ମୋଡ’ ଭଳି ଉପାୟ କରାଯାଇପାରେ
  • ସମ୍ବିଧାନର ଅନୁଚ୍ଛେଦ ୨୧ ଓ ଅନୁଚ୍ଛେଦ ୧୯(୧)(ଏ) ଅନୁସାରେ ଇଣ୍ଟରନେଟ୍ ପହଞ୍ଚ ଓ ଏହାର ଉପଯୋଗ ପ୍ରତି ବ୍ୟକ୍ତିଙ୍କ ମୌଳିକ ଅଧିକାର
  • ‘ଚାଇଲ୍ଡ ୱିଥ ସ୍ପେଶାଲ ନିଡସ୍’ଙ୍କ ପାଇଁ ଇଣ୍ଟରନେଟ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି ଯେ ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚ ଏକ ମୌଳିକ ଅଧିକାର, ଯାହା ପିଲାଙ୍କ ସମେତ ସମସ୍ତଙ୍କ ପାଇଁ ଲାଗୁ। କୋର୍ଟ ୧୭ ଅକ୍ଟୋବର ଶନିବାର ସମ୍ବିଧାନର ଅନୁଚ୍ଛେଦ ୨୧ ଓ ୧୯(୧)(ଏ)ର ଉଲ୍ଲେଖ କରିଛନ୍ତି। କୋର୍ଟ ଏହା ଅନୁସାରେ ପିଲାଙ୍କ ସମେତ ପ୍ରତି ବ୍ୟକ୍ତିଙ୍କ ଲାଗି ଇଣ୍ଟରନେଟ୍ ପର୍ଯ୍ୟନ୍ତ ପହଞ୍ଚ ଓ ଏହାର ଉପଯୋଗକୁ ମୌଳିକ ଅଧିକାର ଘୋଷଣା କରିଛନ୍ତି। ଶୀର୍ଷ୍ୟ ନ୍ୟାୟାଳୟ କହିଛନ୍ତି ଯେ ଆମ ପିଲାଙ୍କ ସୁରକ୍ଷା ଓ ସେମାନଙ୍କ ସ୍ୱାଧୀନତା ଗୋଟିଏ ଅନ୍ୟଟିର ବିରୋଧୀ ନୁହେଁ।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଜେ.ବି. ପାରଦୀୱାଲା ଓ ଜଷ୍ଟିସ୍ କେ.ବିନୋଦଚନ୍ଦ୍ରନଙ୍କ ବେଞ୍ଚ ପରାମର୍ଶ ଦେଇ କହିଛନ୍ତି ଯେ ପିଲାଙ୍କୁ ଇଣ୍ଟରନେଟ୍ ରୁ ସମ୍ପୂର୍ଣ୍ଣ ନ ଦୂରେଇ ସୋସିଆଲ ମିଡିଆ ଆକାଉଣ୍ଟ ଲାଗି ‘ଚାଇଲ୍ଡ ମୋଡ’ ଭଳି ଉପାୟ କରି ସେମାନଙ୍କ ଅନଲାଇନ ସୁରକ୍ଷାକୁ ମଜଭୁତ କରାଯାଇ ପାରିବ। ‘ଲାଇଭ ଲ’ ରିପୋର୍ଟ ଅନୁସାରେ ବେଞ୍ଚ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ ୨୧ ଓ ଅନୁଚ୍ଛେଦ ୧୯(୧)(ଏ) ଅନୁସାରେ ଇଣ୍ଟରନେଟ୍ ପହଞ୍ଚ ଓ ଏହାର ଉପଯୋଗ ପ୍ରତି ବ୍ୟକ୍ତିଙ୍କ ମୌଳିକ ଅଧିକାର ବୋଲି କହିବାକୁ ଆମକୁ ସଂକଚ ଲାଗୁ ନାହିଁ। କାରଣ ଆମ ପିଲାଙ୍କୁ, ସେମାନଙ୍କ ବୟସ ତେଣିକି ଯାହା ବି ହୋଇଥାଉ ନା କାହିଁକି ସେମାନଙ୍କୁ ଏହି ଅଧିକାର ପ୍ରାପ୍ତ।

ସେମାନଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ସେତିକି ଅବାନ୍ତର ହେବ ଯେପରି କହିବା ଯେ ଏକ ନିର୍ଦ୍ଧିଷ୍ଟ ବୟସରୁ କମ ବୟସର ପିଲାଙ୍କର ନା କୌଣସି ସୁରକ୍ଷା ଚେତନା ଅଛି ନା କୌଣସି ପ୍ରକାରର ସ୍ୱାଧୀନତା ଅଛି ଯାହା ପ୍ରକାଶ କରାଯିବା ଉଚିତ। ଆମ ପିଲାଙ୍କ ସ୍ୱାଧୀନତା ଓ ସୁରକ୍ଷା ପରସ୍ପର ବିରୋଧୀ ନୁହନ୍ତି। ଏଣୁ ଆମ ପିଲାଙ୍କୁ ଏହି ଦୁଇ ଅଧିକାର ମିଳିବା ଦରକାର। ବେଞ୍ଚ ସ୍ୱୀକାର କରିଛନ୍ତି ଯେ ଇଣ୍ଟରନେଟ୍ ଏହାର ବର୍ତ୍ତମାନ ରୂପରେ ପିଲାଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। ଏହା ସତ୍ତ୍ୱେ କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଯେହେତୁ ଅନଲାଇନ ପ୍ଲାଟଫର୍ମଗୁଡିକ କ୍ଷତିକାରକ ବିଷୟବସ୍ତୁ ଚିହ୍ନଟ ଓ ସେଗୁଡିକୁ ହଟାଇବାରେ ବିଫଳ ହୋଇଛନ୍ତି, ତେବେ ପିଲାଙ୍କ ଇଣ୍ଟରନେଟ୍ ପ୍ରତିବନ୍ଧିତ କରିବା ପୀଡ଼ିତମାନଙ୍କୁ ଦାୟି କରିବା ସହ ସମାନ ହେବ।

କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ପିଲାମାନଙ୍କୁ ସେମାନଙ୍କ ସୁରକ୍ଷା ପାଇଁ ଇଣ୍ଟରନେଟ ଓ ସାମାଜିକ ଗଣମାଧ୍ୟମରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ ନୁହେଁ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅନୁଚ୍ଛେଦ ୧୯(୧)(ଏ) ରେ ମିଳୁଥିବା ଅଭିବ୍ୟକ୍ତିର ସ୍ୱାଧୀନତାରେ ସୂଚନା ଓ ବିଚାର ଜାଣିବା, ପ୍ରାପ୍ତ କରିବା ଓ ସେୟାର କରିବା ଅଧିକାର ମଧ୍ୟ ରହିଛି। ଇଣ୍ଟରନେଟ୍ କୁ ଚିନ୍ତାଧାରା, ସୃଜନଶୀଳତାର ପ୍ରକାଶନ ଏବଂ ସୂଚନାର ଏକ ବଜାର ଭାବେ ବର୍ଣ୍ଣନା କରି କୋର୍ଟ କହିଛନ୍ତି ଯେ ଏହାର ଗୁରୁତ୍ୱ କେବଳ ଅନଲାଇନରେ ଉପଲବ୍ଧ ବିଷୟବସ୍ତୁ ପର୍ଯ୍ୟନ୍ତ ସୀମିତ ନୁହେଁ ବରଂ ଏହା ଶିଖିବା, ପାରସ୍ପରିକ କ୍ରିୟା ଓ ସୂଚନା ପାଇବାର ସୁଯୋଗ ମଧ୍ୟ ପ୍ରଦାନ କରେ।

କୋର୍ଟ ଉଲ୍ଲେଖ କରିଛନ୍ତି ଯେ ଅନେକ ପିଲାଙ୍କ ପାଇଁ ବିଶେଷ କରି ଦୁର୍ଗମ ଅଞ୍ଚଳରେ ଏହା ପ୍ରାୟତଃ ଶିକ୍ଷା ଓ ସୂଚନାର ଏକମାତ୍ର ଉତ୍ସ। କୋର୍ଟ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ‘ଚାଇଲ୍ଡ ୱିଥ ସ୍ପେଶାଲ ନିଡସ୍’ଙ୍କ ପାଇଁ ଇଣ୍ଟରନେଟ୍ ଗୁରୁତ୍ୱପୂର୍ଣ୍ଣ ହୋଇପାରେ। କାରଣ ଅନଲାଇନ ପ୍ଲାଟଫର୍ମ ଏକମାତ୍ର ସ୍ଥାନ ଯେଉଁଠି ସେମାନେ ସମାନ ପରିସ୍ଥିତିର ସାମ୍ନା କରୁଥିବା ଅନ୍ୟମାନଙ୍କୁ ପାଇ ପାରିବେ। ଏଥିପାଇଁ ବେଞ୍ଚ ଅନୁରାଧା ଭସିନ ବନାମ ଭାରତ ସଂଘ ମାମଲାର ଉଦାହରଣ ଦେଇଛନ୍ତି। ୨୦୨୦ ମସିହାର ଏହି ନିଷ୍ପତ୍ତିରେ କୁହାଯାଇଥିଲା ଇଣ୍ଟରନେଟ୍ ମାଧ୍ୟମରେ କହିବା ଓ ଅଭିବ୍ୟକ୍ତିର ସ୍ୱାଧୀନତା, କୌଣସି ବ୍ୟବସାୟ ଓ କାରବାର କରିବାର ସ୍ୱାଧୀନତା ସମ୍ବିଧାନର ଅନୁଚ୍ଛେଦ ଅନୁସାରେ ଏକ ମୌଳିକ ଅଧିକାର ରୂପେ ସମ୍ବିଧାନରେ ସଂରକ୍ଷିତ।

ସେହି ରାୟରେ କୋର୍ଟ ଇଣ୍ଟରନେଟ୍ ପହଞ୍ଚର ଅଧିକାର ନିଜକୁ ନିଜେ ଏକ ମୌଳିକ ଅଧିକାର କି ନୁହେଁ ସେ ନେଇ କୌଣସି ସ୍ପଷ୍ଟ ଟିପ୍ପଣୀ କରିନଥିଲେ। ପୀଠ ପ୍ରଜ୍ଞା ପ୍ରସୁନ ଓ ଅନ୍ୟ ବନାମ ଭାରତ ସଂଘ ମାମଲାରେ ୨୦୨୫ର ରାୟ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ କୋର୍ଟ ଡିଜିଟାଲ ପହଞ୍ଚ ଅଧିକାରକୁ ଅନୁଚ୍ଛେଦ ୨୧ ଅନୁସାରେ ଏକ ମୌଳିକ ଅଧିକାର ରୂପେ ମାନ୍ୟତା ଦେଇଥିଲେ।