ମୁମ୍ବାଇ:  ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ପୁଣି ଥରେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ କମ୍ ସକ୍ରିୟ ରହୁଥିବା ଐଶ୍ୱର୍ଯ୍ୟା ଦୀର୍ଘ ସମୟ ପରେ ଏକ ଖାସ ପୋଷ୍ଟ ସେୟାର କରିଛନ୍ତି, ଯାହା ଏବେ ତାଙ୍କ ଫ୍ୟାନସ୍ ଙ୍କ ଧ୍ୟାନ ଆକର୍ଷଣ କରୁଛି। ଅଭିନେତ୍ରୀ ତାଙ୍କ ପୋଷ୍ଟ ମାଧ୍ୟମରେ ଏକ ଖାସ ଉପଲବ୍ଧି ସମ୍ପର୍କରେ ସୂଚନା ଦେଇଛନ୍ତି ଓ କହିଛନ୍ତି ତାଙ୍କୁ ଲଗଜରୀ ହୋଟେଲ ବ୍ରାଣ୍ଡ ଜେଡବ୍ଲୁ ମ୍ୟାରିୟଟ୍ ପ୍ରଥମ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଇଂଷ୍ଟାଗ୍ରାମ ପୋଷ୍ଟରେ ଏହି ସୂଚନା ଦେଇଥିବା ବେଳେ ଏକ ଭାବୁକ ବାର୍ତ୍ତା ମଧ୍ୟ ଦେଇଛନ୍ତି।

ଅଭିନେତ୍ରୀ ତାଙ୍କର ଏହି ନୂଆ ଦାୟିତ୍ୱକୁ ଏକ ସମ୍ମାନର କଥା ବୋଲି କହିଥିବା ବେଳେ ସେ ହୋଟେଲ ଗ୍ରୁପର ବ୍ରାଣ୍ଡ ଆମ୍ବାସଡର ହୋଇ ନିଜକୁ ଗୌରବାନ୍ୱିତ ମନେ କରୁଥିବା ଉଲ୍ଲେଖ କରିଛନ୍ତି। ଯଦିଓ ଐଶ୍ୱର୍ଯ୍ୟାଙ୍କ ଏହି ପୋଷ୍ଟରେ ତାଙ୍କ ନୂଆ ଉପଲବ୍ଧିର ଚର୍ଚ୍ଚା ଥିଲା ତେବେ ଫ୍ୟାନସଙ୍କ ଧ୍ୟାନ ତାଙ୍କ କାନସ୍ ଫେଷ୍ଟିଭାଲର ଛବି ଉପରେ ରହିଛି। ଫ୍ୟାନସ ତାଙ୍କୁ ଫିଲ୍ମ ଫେଷ୍ଟିଭାଲର ରେଡକାର୍ପେଟ୍ ଛବି ସେୟାର କରିବାକୁ ନିବେଦନ କରିଛନ୍ତି। ତାଙ୍କ ଫ୍ୟାନ୍ସ ଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ସାଉଁଣ୍ଟୁଛି।

 

ନିକଟରେ ଐଶ୍ୱର୍ଯ୍ୟା କାନସ୍ ଫିଲ୍ମ ଫେଷ୍ଟିଭାଲର କ୍ଲୋଜିଂ ସେଲିବ୍ରେସନରେ ଅଂଶଗ୍ରହଣ କରିଥିଲେ। ରେଡ କାର୍ପେଟରେ ତାଙ୍କର ଅନ୍ଦାଜ ଲୋକଙ୍କୁ ବେଶ୍ ପସନ୍ଦ ଆସିଥିଲା। ପ୍ରଥମ ଦିନ ସେ ଆକର୍ଷକ ନିଳ ରଙ୍ଗର ଗାଉନରେ ଦେଖା ଯାଇଥିଲେ। ଏହା ଫ୍ୟାସନ ପ୍ରେମୀ ଓ ମିଡିଆର ଧ୍ୟାନ ଆକର୍ଷଣ କରିଥିଲା। ତାଙ୍କ ଛବି ଓ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଭାଇରାଲ ହୋଇଥିଲା। ଫ୍ୟାନସ ତାଙ୍କ ଲୁକକୁ ବେଶ୍ ତାରିଫ କରିଥିଲେ।   

ଜେଡବ୍ଲୁ ମ୍ୟାରିୟଟର ପ୍ରଥମ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ହେବା ଐଶ୍ୱର୍ଯ୍ୟା ରାୟଙ୍କ କ୍ୟାରିୟରର ଏକ ବଡ଼ ଉପଲବ୍ଧି। କାନସ୍ ରେ ନିଜ ପ୍ରଭାବଶାଳୀ ଉପସ୍ଥିତି ଓ ଏବେ ଏହି ଅନ୍ତର୍ଜାତୀୟ ପାର୍ଟନରସିପ୍ ସହିତ ଅଭିନେତ୍ରୀ ଲଗାତାର ବୈଶ୍ୱିକ ସ୍ତରରେ ଭାରତର ପ୍ରତିନିଧିତ୍ୱ କରିଆସୁଛନ୍ତି। ଏବେ ତାଙ୍କ ଫ୍ୟାନସ୍ ଆଶା କରୁଛନ୍ତି ଶେ ଖୁବ୍ ଶୀଘ୍ର କାନସ୍ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ଖାସ ଛବି ସେୟାର କରିବେ।