ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ଏକ୍ସପ୍ରେସ୍  ପଶ୍ଚିମ ଏସିଆର ବିଭିନ୍ନ ସହରକୁ ପୁଣି ଥର ବିମାନ ସେବା ଆରମ୍ଭ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ  କାରଣରୁ ଏହି ବିମାନ ସେବାକୁ ସାମୟିକ ଭାବେ ବନ୍ଦ କରାଯାଇଥିଲା। ଏବେ ସ୍ଥିତି ସୁଧୁରିବା ପରେ ଓମାନର ସଲାଲାହ ଏବଂ କୁଏତକୁ ବିମାନ ଚଳାଚଳ ପୁନର୍ବାର ଆରମ୍ଭ ହୋଇଛି। ଏୟାରଲାଇନ୍ସ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଆଗାମୀ ଦିନରେ ପର୍ଯ୍ୟାୟକ୍ରମେ ବିମାନ ସଂଖ୍ୟା ବୃଦ୍ଧି କରାଯିବ। 

କୋଝିକୋଡ୍ - ସଲାଲାହ: ଏହି ରୁଟରେ ଜୁଲାଇ ୨ ରୁ ବିମାନ ସେବା ପୁନଃ ଆରମ୍ଭ ହୋଇଛି। ଏହି ରୁଟରେ ସପ୍ତାହକୁ ଦୁଇ ଦିନ ବିମାନ ଚଳାଚଳ କରିବ।

କୋଝିକୋଡ୍ - କୁଏତ: ଏହି ରୁଟ୍‌ରେ ଜୁଲାଇ ୩ ରୁ ସେବା ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ ସପ୍ତାହକୁ ଗୋଟି ବିମାନ ଚାଲିବାକୁ ଥିବାବେଳେ, ଜୁଲାଇ ୫ ରୁ ଏହାକୁ ସପ୍ତାହକୁ ୩ଟି ବିମାନକୁ ବୃଦ୍ଧି କରାଯିବ।

ବେଙ୍ଗାଲୁରୁ - କୁଏତ : କର୍ଣ୍ଣାଟକର ବେଙ୍ଗାଲୁରୁରୁ କୁଏତକୁ ଜୁଲାଇ ୪ ରୁ ବିମାନ ଉଡ଼ାଣ ଆରମ୍ଭ ହେବ। ପ୍ରଥମେ ସପ୍ତାହକୁ ଗୋଟିଏ ବିମାନ ଚାଲିବ ଏବଂ ଜୁଲାଇ ୭ ରୁ ସପ୍ତାହକୁ ୩ଟି ବିମାନ ଉଡ଼ାଣ ଭରିବ ।

ଏହି ସେବା ପୁନଃ ଆରମ୍ଭ ହେବା ପରେ, ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏବେ ଓମାନର ଦୁଇଟି ପ୍ରମୁଖ ବିମାନବନ୍ଦର ମସ୍କାଟ୍ ଆନ୍ତର୍ଜାତୀୟ ବିମାନବନ୍ଦର ଏବଂ ସଲାଲାହ ଆନ୍ତର୍ଜାତୀୟ ବିମାନବନ୍ଦରକୁ ବିମାନ ସେବା ଆରମ୍ଭ କରିଛି । ଏହା ବ୍ୟତୀତ, ଜୁଲାଇ ୩ ରୁ ମସ୍କାଟ୍ ଏବଂ କର୍ଣ୍ଣାଟକର ମାଙ୍ଗାଲୁରୁ ମଧ୍ୟରେ ମଧ୍ୟ ବିମାନ ସେବା ପୁନଃ ଆରମ୍ଭ ହେଉଛି । ସୂଚନାଯୋଗ୍ୟ ଯେ, ଏୟାରଲାଇନ୍ସ ବର୍ତ୍ତମାନ ମସ୍କାଟରୁ ଭାରତର ୭ଟି ଭିନ୍ନ ସହରକୁ ସପ୍ତାହକୁ ପ୍ରାୟ ୪୦ଟି ବିମାନ ପରିଚାଳନା କରୁଛି।

ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା
କୁଏତ ଯାଉଥିବା କିମ୍ବା ସେଠାରୁ ଆସୁଥିବା ସମସ୍ତ ବିମାନ କୁଏତ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୪ରୁ ପରିଚାଳିତ ହେବ। ଯାତ୍ରୀମାନେ ଏୟାରଲାଇନ୍ସର ଅଫିସିଆଲ୍ ୱେବସାଇଟ୍ (airindiaexpress.com), ମୋବାଇଲ୍ ଆପ୍ କିମ୍ବା ଅନ୍ୟାନ୍ୟ ପ୍ରମୁଖ ବୁକିଂ ଚ୍ୟାନେଲ୍ ମାଧ୍ୟମରେ ନିଜର ଟିକେଟ୍ ବୁକ୍ କରିପାରିବେ। ତେବେ ଆମେରିକା ଏବଂ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ହୋଇଥିବା ଆକ୍ରମଣ ଏକ ପୂର୍ଣ୍ଣକାଳୀନ ଯୁଦ୍ଧର ରୂପ ନେଇଥିଲା, ଯେଉଁଥିରେ ଉଭୟ ପକ୍ଷ ଡ୍ରୋନ୍ ଓ ମିସାଇଲ୍ ମାଡ଼ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ସାରା ବିଶ୍ୱର ବିମାନ ସେବା ସୀମିତ କିମ୍ବା ବନ୍ଦ ହୋଇଥିଲା । ବର୍ତ୍ତମାନ ପରିସ୍ଥିତି ସୁଧୁରିବା ପରେ ଏହି ସେବାକୁ ପୁଣି ଥରେ ଆରମ୍ଭ କରାଯାଇଛି।