ନୂଆଦିଲ୍ଲୀ, ୧୬/୦୨ : ଆରମ୍ଭ ହେବ ଏଆଇ ଇମ୍ପାକ୍ଟ ସମ୍ମିଳନୀ । ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ସୋମବାର ଇଣ୍ଡିଆ ଏଆଇ ଇମ୍ପାକ୍ଟ ଏକ୍ସପୋ-୨୦୨୬ ଉଦଘାଟନ କରିବେ । ଏହା ଫେବ୍ରୁଆରୀ ୧୬ରୁ ଫେବ୍ରୁଆରୀ ୨୦ ଯାଏ ୫ ଦିନ ଧରି ଚାଲିବ ।

ଏଥିରେ ସରକାର, ଷ୍ଟାର୍ଟଅପ୍, ଗ୍ଲୋବାଲ ଟେକ୍ କମ୍ପାନୀ ଏବଂ ରିସର୍ଚ୍ଚ ଅନୁଷ୍ଠାନଗୁଡ଼ିକ ଗୋଟିଏ ମଞ୍ଚରେ ନଜର ଆସିବେ । ୭୦ ହଜାର ବର୍ଗ ମିଟରରୁ ଅଧିକ କ୍ଷେତ୍ରରେ ହେବାକୁ ଥିବା ଏହି ଆୟୋଜନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଶିଳ୍ପପତି, ଷ୍ଟାର୍ଟଅପ୍ ଏବଂ ଅନ୍ତର୍ଜାତୀୟ ପାର୍ଟନର୍ସ ଉପସ୍ଥିତ ରହିବେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କିପରି ସାଧାରଣ ନାଗରିକଙ୍କ ଜୀବନ ସହ ଜଡ଼ିତ ତାହା ଏହି ଆୟୋଜନ ଦ୍ୱାରା ଦେଖିବାକୁ ମିଳିବ ।

ଏହି ଖବରଟି ପଢନ୍ତୁ... ବ୍ୟାଟିଂ ପୂର୍ବରୁ କ'ଣ ଭାବୁଥିଲେ ଇଶାନ ? ଜିତିବା ପରେ କହିଦେଲେ ସିକ୍ରେଟ୍

ଏକ୍ସପୋରେ ୧୩ ଦେଶର ପ୍ୟାଭିଲିଅନ ରହିବ, ଯେଉଁଠାରେ ଅଷ୍ଟ୍ରେଲିଆ, ଜାପାନ, ଫ୍ରାନ୍ସ, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡ୍ସ, ୟୁଏଇ ଭଳି ଦେଶ ନିଜ ନିଜର ଏଆଇ ଦକ୍ଷତା ପ୍ରଦର୍ଶନ କରିବେ । ଏହାର ଉଦ୍ଦେଶ୍ୟ ଅନ୍ତର୍ଜାତୀୟ ସହଯୋଗକୁ ମଜଭୁତ କରିବା ଏବଂ ଭାରତକୁ ଗ୍ଲୋବାଲ ଏଆଇ ନେଟୱର୍କର ଗୁରୁତ୍ୱପୂର୍ଣ୍ଣ ଅଂଶ ବନାଇବା । ଏଆଇ କେବଳ ଟେକ୍ନୋଲୋଜି ନୁହେଁ ବରଂ ଦେଶ ଦେଶ ଭିତରେ ଭାଗିଦାରୀର ମାଧ୍ୟମ ବୋଲି ଏହି ଆୟୋଜନ ଦର୍ଶାଇବ । ଏକ୍ସପୋରେ ୩୦୦ରୁ ଅଧିକ କ୍ୟୁରେଟେଡ୍ ପାଭିଲିଅନ ଏବଂ ଲାଇଭ୍ ଡେମୋ ରହିବ । ୬୦୦ରୁ ଅଧିକ ଷ୍ଟାର୍ଟଅପ୍ ନିଜ ନିଜର ଏଆଇ ସଲ୍ୟୁସନ୍ସ ଦେଖାଇବେ । ତିନି ସୂତ୍ର ପିପୁଲ-ପ୍ଲାନେଟପ୍ରୋଗ୍ରେସ ଥିମ ଆଧାରରେ ଏହି ପ୍ରଦର୍ଶନୀ ହେବ, ଯାହା ଦର୍ଶାଇବ ଯେ ଏଆଇ କିପରି ସ୍ୱାସ୍ଥ୍ୟ, ଶିକ୍ଷା, ପରିବେଶ ଏବଂ ଶାସନରେ ପରିବର୍ତ୍ତନ ଆଣୁଛି । ଏହି କାର୍ଯ୍ୟକ୍ରମରେ ଅଢ଼େଇ ଲକ୍ଷରୁ ଅଧିକ ଦର୍ଶକ ଆସିବାର ଆଶା କରାଯାଇଛି ।