ଚେନ୍ନାଇ ୨୭।୩: ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମୁନେତ୍ର କଜଗମ (ଏଆଇଏଡିଏମକେ) ଶୁକ୍ରବାର ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଏହି ସୂଚୀରେ ୧୨୭ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏହା ପୂର୍ବରୁ ପାର୍ଟି ୨୩ଟି ଆସନ ନିମନ୍ତେ ପ୍ରଥମ ତାଲିକା ଜାରି କରିଥିଲା। ଦ୍ୱିତୀୟ ପ୍ରାର୍ଥୀ ତାଲିକାକୁ ମିସାଇ ଏ ପର୍ଯ୍ୟନ୍ତ ଏଆଇଏଡିଏମକେ ୧୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଣୁ ବଳକା ଆସନ ନିମନ୍ତେ ଦଳ ପକ୍ଷରୁ ଖୁବ୍ ଶୀଘ୍ର ତୃତୀୟ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି ଅନୁମାନ କରାଯାଉଛି।

ଏନଡିଏ ସହିତ ହୋଇଛି ମେଣ୍ଟ
ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ନିକଟରେ ତାମିଲନାଡୁରେ ସିଟ୍ ଆବଣ୍ଟନ ଯୋଜନାକୁ ଚୂଡ଼ାନ୍ତ ରୂପ ଦେଇଥିଲା। ଏହି ବୁଝାମଣା ଅନୁସାରେ ଏଆଇଏଡିଏମକେ କୁ ସବୁଠୁ ଅଧିକ ସିଟ୍ ମିଳିଛି। ପାର୍ଟି ୧୭୦ରୁ ଅଧିକ ଆସନରେ ନିର୍ବାଚନ ଲଢିବ। ମେଣ୍ଟ ଆସନ ବୁଝାମଣା ଅନୁସାରେ ବିଜେପିକୁ ୨୭ଟି ଆସନ ମିଳିଛି। ସେହିପରି ଅମ୍ବୁମଣି ରାମଦାସଙ୍କ ପାର୍ଟି ପଟ୍ଟାଲୀ ମକ୍କଲ କାଚୀ(ପିଏମକେ)କୁ ୧୮ ଓ ଟି.ଟି.ଭି.ଦିନାକରଣଙ୍କ ଅମ୍ମା ମକ୍କଲ ମୁନେତ୍ର କଜଗମ( ଏଏମଆଇଏମକେ)କୁ ୧୧ଟି ସିଟ୍ ଆବଣ୍ଟିତ ହୋଇଛି। ଏହା ଛଡା ମେଣ୍ଟରେ ସାମିଲ ଅନ୍ୟ ଛୋଟ ଦଳ ମଧ୍ୟ ନିର୍ବାଚନୀ ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ।

ନିର୍ବାଚନ ତାରିଖ
ତାମିଲନାଡୁର ୨୩୪ ସଦସୀୟ ବିଧାନସଭା ନିମନ୍ତେ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ। ଏଠାରେ ଗୋଟିଏ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଭୋଟଗଣନା ମେ ୪ ତାରିଖରେ ହେବ। ଏଣୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜନୈତିକ ହଟଚମଟ ମଧ୍ୟ ଆରମ୍ଭ ହୋଇ ଗଲାଣି। ବିଭିନ୍ନ ରାଜନୈତିକ ଦଳ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଥିବା ବେଳେ ପ୍ରମୁଖ ରାଜନୈତିକ ଦଳଙ୍କ ମଧ୍ୟରେ ଜୋରଦାର ପ୍ରତିଦ୍ୱନ୍ଦ୍ୱୀତା ହେବ ବୋଲି ଆକଳନ କରାଯାଉଛି।