ଭୁବନେଶ୍ୱର : AI ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ... ବଦଳୁଛି ଯୁବପିଢ଼ିଙ୍କ ଜୀବନ ! ନୂଆ ଟେକ୍ନୋଲୋଜି ଆଣୁଛି ନୂଆ ସୁଯୋଗ ଆଉ କିଛି ଜାଗାରେ ଆଣୁଛି ନୂଆ ବିପର୍ଯ୍ୟୟ | ଟେକ୍ନୋଲୋଜିର ଦୁନିଆରେ ପ୍ରତିଦିନ ଆସୁଛି ନୂଆ ପରିବର୍ତ୍ତନ। ଆଜି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କେବଳ ଏକ ଶବ୍ଦ ନୁହେଁ, ବରଂ ଲୋକଙ୍କ କାମ, ପଢ଼ା ଏବଂ ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟିଛି । ଯୁବପିଢ଼ି କିପରି ଏହି ନୂଆ ଟେକ୍ନୋଲୋଜିକୁ ଆପଣାଉଛନ୍ତି? ଆଉ ଏହା ତାଙ୍କ ଭବିଷ୍ୟତକୁ କେମିତି ବଦଳାଇବ ସେନେଇ ବି ଅନେକ ସମୟରେ ଚାଲିଥାଏ ଆଲୋଚନା | ଦିନ ଥିଲା କମ୍ପ୍ୟୁଟର ମଣିଷର କାମକୁ ସହଜ କରୁଥିଲା। ଆଉ ଏବେ AI ମଣିଷର ଚିନ୍ତାଧାରା ସହ ମିଶି କାମ କରୁଛି । ଲେଖାଠାରୁ ଆରମ୍ଭ କରି ଡିଜାଇନ୍, ଶିକ୍ଷାଠାରୁ ଚିକିତ୍ସା ପର୍ଯ୍ୟନ୍ତ... ପ୍ରତ୍ୟେକ କ୍ଷେତ୍ରରେ ଏବେ AIର ପ୍ରଭାବ ଦେଖିବାକୁ ମିଳୁଛି।

କିଛି ବର୍ଷ ପୂର୍ବରୁ ଯେଉଁ ଟେକ୍ନୋଲୋଜି କେବଳ କଳ୍ପନା ଥିଲା, ଆଜି ତାହା ବାସ୍ତବତାରେ ପରିଣତ । AI ଏବେ ଛାତ୍ରଛାତ୍ରୀଙ୍କ ପଢ଼ାଠାରୁ ଆରମ୍ଭ କରି ଚାକିରି କ୍ଷେତ୍ର ପର୍ଯ୍ୟନ୍ତ ବଡ଼ ପରିବର୍ତ୍ତନ ଆଣୁଛି। ଲେଖା ତିଆରି କରିବା, ଭିଡିଓ ତିଆରି କରିବା, ଫଟୋ ଏଡିଟ୍ କରିବା, ଭାଷା ଅନୁବାଦ କରିବା କିମ୍ବା ନୂଆ ଆଇଡିଆ ଖୋଜିବା... ସବୁ କ୍ଷେତ୍ରରେ ଲୋକେ ଏବେ AI ର ସହାୟତା ନେଉଛନ୍ତି। ବିଶେଷ କରି ଯୁବପିଢ଼ି ଏହି ଟେକ୍ନୋଲୋଜିକୁ ନିଜର କ୍ୟାରିୟର ଓ ସୃଜନଶୀଳତା ପାଇଁ ବ୍ୟବହାର କରୁଛନ୍ତି। ଅନେକ ଯୁବକ-ଯୁବତୀ AI ମାଧ୍ୟମରେ ନୂଆ ଦକ୍ଷତା ଶିଖୁଛନ୍ତି ଏବଂ ନୂଆ ସୁଯୋଗ ଖୋଜୁଛନ୍ତି। କାର୍ଯ୍ୟକ୍ଷେତ୍ରରେ ମଧ୍ୟ AI ଆଣିଛି ବଡ଼ ପରିବର୍ତ୍ତନ। ଡାଟା ଆନାଲିଷ୍ଟ , କଷ୍ଟମର ସର୍ଭିସ , କଣ୍ଟେଣ୍ଟ ମେକିଙ୍ଗ ଏବଂ ଅନେକ ଅଫିସ୍ କାମକୁ ଏହା ସହଜ କରୁଛି। ଛୋଟ ବ୍ୟବସାୟୀମାନେ ମଧ୍ୟ AI ମାଧ୍ୟମରେ ମାର୍କେଟିଂ, ଡିଜାଇନ୍ ଓ ଗ୍ରାହକଙ୍କ ସହ ଯୋଗାଯୋଗକୁ ସହଜ କରୁଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ AIର ଭୂମିକା ବଢ଼ୁଛି। ରୋଗ ଚିହ୍ନଟ, ମେଡିକାଲ ରିପୋର୍ଟ ବିଶ୍ଳେଷଣ ଏବଂ ଗବେଷଣା କ୍ଷେତ୍ରରେ AI ଡାକ୍ତରମାନଙ୍କୁ ସହଯୋଗ କରୁଛି। ତେବେ AIର ବଢ଼ୁଥିବା ବ୍ୟବହାରକୁ ନେଇ କିଛି ଚିନ୍ତା ମଧ୍ୟ ରହିଛି। କିଛି ଲୋକଙ୍କ ମତରେ, ଅତ୍ୟଧିକ ନିର୍ଭରଶୀଳତା ମଣିଷର ସୃଜନଶୀଳତା ଓ କିଛି ପାରମ୍ପରିକ ଚାକିରି ଉପରେ ପ୍ରଭାବ ପକାଇପାରେ ବୋଲି ଚର୍ଚ୍ଚା ହୁଏ ।

ବିଶେଷଜ୍ଞମାନଙ୍କ ମତରେ, AIକୁ ଭୟ କରିବା ଆବଶ୍ୟକ ନୁହେଁ, ବରଂ ଏହାକୁ ଠିକ୍ ଭାବରେ ଶିଖି ଏହାର ଉଚିତ ବ୍ୟବହାର କରିବା ଆବଶ୍ୟକ। ଆଗାମୀ ଦିନରେ ଯେଉଁମାନେ ନୂଆ ଟେକ୍ନୋଲୋଜି ସହ ନିଜକୁ ଅପଡେଟ୍ ରଖିବେ, ସେମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ। ତେବେ ଏହା ସହ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଟେକ୍ନୋଲୋଜିର ସଠିକ୍ ବ୍ୟବହାର, ତଥ୍ୟର ସୁରକ୍ଷା ଏବଂ ମାନବୀୟ କୌଶଳକୁ ଜୀବନ୍ତ ରଖିବା ଏବେ ଏକ ବଡ଼ ପ୍ରଶ୍ନ | ଦୁନିଆ ବଦଳୁଛି, ଟେକ୍ନୋଲୋଜି ବି ବଦଳୁଛି । AI ଏବେ କେବଳ ଏକ ଟେକ୍ନୋଲୋଜି ନୁହେଁ, ବରଂ ଆସନ୍ତା ଦିନର ଏକ ବଡ଼ ପରିବର୍ତ୍ତନ । ଏହା ମଣିଷର କାମକୁ ବଦଳାଇବ କି ନୂଆ ସୁଯୋଗ ଆଣିବ, ତାହା ଆଗାମୀ ସମୟ ହିଁ କହିବ।