ମୁମ୍ବାଇ: ବଲିଉଡର ଲୋକପ୍ରିୟ ହରର୍ ଫ୍ରାଞ୍ଚାଇଜ୍ ‘1920’ ପୁଣିଥରେ ବଡ଼ ପରଦାକୁ ଫେରୁଛି। ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ଆଗାମୀ ହରର ଫିଲ୍ମ ‘1920: Winter Is Coming’କୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ୁଥିବା ବେଳେ ଫିଲ୍ମକୁ ନେଇ ଆସିଛି ଏକ ବଡ଼ ଅପଡେଟ୍। ଅଭିନେତା ଆହାନ ଶେଟ୍ଟି ଏହି ହରର୍ ଫ୍ରାଞ୍ଚାଇଜ୍ରେ ଏଣ୍ଟ୍ରି କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଆକ୍ସନ୍ ଓ ରୋମାନ୍ସ ପରେ ପ୍ରଥମ ଥର ପାଇଁ ହରର୍ ଅବତାରରେ ନଜର ଆସିବାକୁ ଯାଉଥିବା ଆହାନଙ୍କୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ବଢିଛି ।

ନିକଟରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ମୁକ୍ତିଲାଭ କରିଥିବା ହରର୍ ଫିଲ୍ମ ‘Haunted: Ghosts of the Past’ ଦର୍ଶକଙ୍କ ମଧ୍ୟରେ ବେଶ ଚର୍ଚ୍ଚାରେ ରହିଛି । ଫିଲ୍ମର ଭିଜୁଆଲ୍ ଇଫେକ୍ଟକୁ ନେଇ ସମାଲୋଚନା ହୋଇଥିଲେ ମଧ୍ୟ ବକ୍ସ ଅଫିସରେ ଏହା ପ୍ରାୟ ୧୬ କୋଟି ଟଙ୍କାର ବ୍ୟବସାୟ କରି ସଫଳତା ହାସଲ କରିଛି। ଏହି ସଫଳତା ପରେ ବିକ୍ରମ ଭଟ୍ଟ ତାଙ୍କ ଲୋକପ୍ରିୟ ହରର୍ ଫ୍ରାଞ୍ଚାଇଜ୍ ‘1920’ର ପରବର୍ତ୍ତୀ ଅଧ୍ୟାୟ ‘1920: Winter Is Coming’ର ଘୋଷଣା କରିଛନ୍ତି । ଗତ ମାସରେ ସେ ଏକ ମୋସନ୍ ପୋଷ୍ଟର ଜାରି କରି ଫିଲ୍ମର ଘୋଷଣା କରିଥିଲେ। ସେବେଠାରୁ ଫିଲ୍ମଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି।

ଏବେ ଫିଲ୍ମକୁ ନେଇ କିଛି ଅପଡେଟ୍ ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ଅଭିନେତା ଆହାନ ଶେଟ୍ଟି ଏହି ହରର୍ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ । ‘ତଡ଼ପ’ ଫିଲ୍ମ ମାଧ୍ୟମରେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିବା ଆହାନ ଏଥର ଏକ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବେ । ରୋମାଣ୍ଟିକ୍ ଓ ଆକ୍ସନ୍ ଚରିତ୍ର ପରେ ଏବେ ସେ ପ୍ରଥମ ଥର ପାଇଁ ହରର୍ ଫିଲ୍ମରେ ନଜର ଆସିବେ। ଏହା ତାଙ୍କ କ୍ୟାରିୟରର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି। ଯଦିଓ ଫିଲ୍ମର କାହାଣୀ, ଅନ୍ୟ କଳାକାର ଏବଂ ରିଲିଜ ତାରିଖ ସମ୍ପର୍କରେ ନିର୍ମାତାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ, ତଥାପି ଫିଲ୍ମରେ ଆହାନ ଶେଟ୍ଟିଙ୍କ ଏଣ୍ଟ୍ରିକୁ ନେଇ ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି।