LIVE TV

PoK ରେ ବିକ୍ଷୋଭକାରୀଙ୍କ ସହ ହେଲା ବୁଝାମଣା, ଥମିଲା ହିଂସା

NEWS7
POK

ନୂଆଦିଲ୍ଲୀ ୪।୧୦: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଗତ କିଛିଦିନ ହେଲା ଜାରି ହିଂସାତ୍ମକ ବିରୋଧ ଓ ଅଶାନ୍ତି ପରେ ଶନିବାର ବିକ୍ଷୋଭକାରୀ ଓ ପାକିସ୍ତାନ ସରକାରଙ୍କ ମଧ୍ୟରେ ବୁଝାମଣା ହୋଇଯାଇଛି। ଏହି ବୁଝାମଣା ଜମ୍ମୁ-କାଶ୍ମୀର ଜଏଣ୍ଟ ଆବାମୀ ଆକ୍ସନ କମିଟି (ଜେକେଜେଏଏସି) ଦ୍ୱାରା ଉପସ୍ଥାପନ କରାଯାଇଥିବା ୩୮ ସୂତ୍ର ଦାବି ଉପରେ ହୋଇଛି। ଏହା ପୂର୍ବରୁ ସେପ୍ଟେମ୍ବର ୨୯ ତାରିଖରେ ସରକାରୀ ଅଧିକାରୀ ଓ କମିଟି ମଧ୍ୟରେ ଆଲୋଚନା ବିଫଳ ହେବା ପରେ ବିକ୍ଷୋଭ ଉଗ୍ରରୂପ ଧାରଣ କରିଥିଲା।

ଏହି ହିଂସାତ୍ମକ ବିକ୍ଷୋଭରେ ୩ ସୁରକ୍ଷା କର୍ମୀଙ୍କ ସମେତ ୧୦ ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକେ ଆହତ ହୋଇଛନ୍ତି। ଜେକେଜେଏଏସି ପକ୍ଷରୁ ୩୮ ସୂତ୍ରୀୟ ଦାବି ପ୍ରଦାନ କରାଯାଇଥିଲା। କୁହାଯାଇଥିଲା ଏହି ଦାବି ପୂରଣ ନ ହେଲେ ନାଗରିକ ସଡ଼କକୁ ଓହ୍ଲାଇ ବିକ୍ଷୋଭ କରିବେ। ଏଥିରେ ଆଲୋଚନା ବିଫଳ ହେବାରୁ ବିକ୍ଷୋଭ ପ୍ରଦର୍ଶନ ଉଗ୍ର ରୂପ ନେଇଥିଲା। ତେବେ ସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ପାକ୍ ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଗତବୁଧବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କୁ ମୁଜଫରାବାଦ ପଠାଇଥିଲେ।

ଏହି ଟିମ୍ ବିକ୍ଷୋଭକାରୀଙ୍କ ସହ ଲଗାତାର ଆଲୋଚନା କରିବା ପରେ ବୁଝାମଣା ହୋଇଛି। ପାକିସ୍ତାନ ସଂସଦୀୟ ବ୍ୟାପାର ମନ୍ତ୍ରୀ ତାରିକ ଫଜଲ ଚୌଧୁରୀ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ ବାର୍ତ୍ତାକାରମାନେ ଆକ୍ସନ କମିଟି ସହିତ ଆଲୋଚନା କରି ଚୂଡ଼ାନ୍ତ ବୁଝାମଣାରେ ସ୍ୱାକ୍ଷର କରିଛନ୍ତି। ଏଣୁ ବିକ୍ଷୋଭକାରୀ ଏବେ ଘରକୁ ଫେରି ଯାଇଛନ୍ତି। ଏବେ ପିଓକେର ସବୁ ସଡ଼କ ଖୋଲି ଦିଆଯାଇଛି। ଏହି ବୁଝାମଣା ପାଳନ କରିବା ପାଇଁ ଉଚ୍ଚସ୍ତରୀୟ ମନିଟରିଂ ଓ ଇମ୍ପ୍ଲିମେଣ୍ଟେସନ କମିଟି ଗଢା ଯିବ। ଏହା ଉଭୟ ପକ୍ଷଙ୍କ ସହମତିରେ କାମ କରିବ।