ନୂଆଦିଲ୍ଲୀ: ଜଣେ ମହିଳା ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଶବକୁ ଘରର ବାଥରୁମ୍ ଭିତରେ ପୋତି ଦେବା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ମହିଳା  ହତ୍ୟା କରିବା ପୂର୍ବରୁ ସ୍ୱାମୀଙ୍କୁ ପ୍ରାୟ ୧୫ ରୁ ୨୦ଟି ନିଦ ବଟିକା ଖାଇବାକୁ ଦେଇଥିଲା । ଉତ୍ତର ପ୍ରଦେଶର ଆଗ୍ରାରୁ ଏହି ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁସାରେ, ମୃତ ସୁରେନ୍ଦ୍ର ଶର୍ମାଙ୍କ ପତ୍ନୀ ରୁବି ଶର୍ମା ନିଜ ଅପରାଧ ସ୍ୱୀକାର କରିଛି । ସେ ପୋଲିସକୁ ଜଣାଇଛି ଯେ, ପ୍ରଥମେ ସେ ସ୍ୱାମୀଙ୍କ ଖାଦ୍ୟରେ ଅତ୍ୟଧିକ ପରିମାଣର ନିଦ ବଟିକା ମିଶାଇ ଦେଇଥିଲା। ସୁରେନ୍ଦ୍ର ଗଭୀର ନିଦରେ ଶୋଇପଡ଼ିବା ପରେ ତାଙ୍କୁ ହତ୍ୟା କରିଥିଲା ରୁବି ।

ହତ୍ୟାକାଣ୍ଡ ପଛର କାରଣ ସମ୍ପର୍କରେ ରୁବି କହିଛି ଯେ, ସୁରେନ୍ଦ୍ର ଭରତପୁରରେ ମଦ୍ୟପାନ କରି ନିଜ ଆତ୍ମୀୟସ୍ବଜନଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହାକୁ ନେଇ କୋର୍ଟ-କଚେରୀ ଏବଂ ଆଇନଗତ ମାମଲାରେ ଫସିଯିବା ଭୟରେ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିଲା । ପୋଲିସ ତଦନ୍ତରୁ ରୁବିର ଅତି ଚତୁରତାର ସହ ପ୍ରମାଣ ନଷ୍ଟ କରିବାର ଯୋଜନା ସାମ୍ନାକୁ ଆସିଛି । ହତ୍ୟା କରିବା ପରେ ରୁବି ସ୍ୱାମୀଙ୍କ ଶବକୁ ଘରର ବାଥରୁମ୍‌କୁ ଟାଣି ନେଇଥିଲା । ସେ ସେଠାରେ ଗାତ ଖୋଳି ଶବକୁ ପୋତି ଦେଇଥିଲା।

ପରଦିନ ହିଁ ସେ ଜଣେ ଶ୍ରମିକଙ୍କୁ ଡାକି ବାଥରୁମରେ ବାହାରୁ ମାଟି ଆଣି ପକାଇଥିଲା ଏବଂ ଜଣେ  ସେହି ସ୍ଥାନକୁ କଂକ୍ରିଟ୍ କରାଇ ଦେଇଥିଲା। ହତ୍ୟାର ଦିନେ କିମ୍ବା ଦୁଇ ଦିନ ଭିତରେ ବାଥରୁମର ମରାମତି ଏବଂ ସିମେଣ୍ଟ କାମ ହୋଇଯାଇଥିବାରୁ, କାମ କରୁଥିବା ଶ୍ରମିକ କିମ୍ବା ଆଖପାଖର ଲୋକେ ଶବ ପଚିବା ଗନ୍ଧ ବାରିପାରି ନଥିଲେ। ସୁରେନ୍ଦ୍ର ପ୍ରାୟ ୪୫ ଦିନ ହେବ ନିଖୋଜ ଥିଲେ। ମେ ୨୬ ତାରିଖରେ ରୁବି ଏବଂ ତା ଦେଢ଼ଶୂର ଅନିଲ ମିଶି ପୋଲିସରେ ଅଭିଯୋଗ କରିଥିଲେ ଯେ, ମେ ୧୮ ରୁ ସୁରେନ୍ଦ୍ର ନିଖୋଜ ଅଛନ୍ତି।

ଏହି ସମୟ ମଧ୍ୟରେ ରୁବି ସମ୍ପୂର୍ଣ୍ଣ ସ୍ୱାଭାବିକ ଅଭିନୟ କରୁଥିଲା । ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ପଚାରିଲେ ସେ କହୁଥିଲା ଯେ, ସୁରେନ୍ଦ୍ର ବାହାରକୁ ଯାଇଛନ୍ତି ଏବଂ ଶୀଘ୍ର ଫେରିବେ। ସେ ପଡ଼ୋଶୀଙ୍କ ସାମ୍ନାରେ କାନ୍ଦି କାନ୍ଦି ନିଜକୁ ଭାଙ୍ଗିପଡ଼ିଥିବା ଦେଖାଉଥିଲା ଏବଂ ପୋଲିସ ସହ ମିଶି ସ୍ୱାମୀଙ୍କୁ ଖୋଜିବାର ନାଟକ ମଧ୍ୟ କରୁଥିଲା । କିନ୍ତୁ ସୁରେନ୍ଦ୍ରଙ୍କ ପରିବାର ଲୋକଙ୍କର ରୁବିଙ୍କ କଥା ଉପରେ ସନ୍ଦେହ ହେବାରୁ ପୋଲିସ ତାକୁ କଡ଼ାକଡ଼ି ଜେରା କରିଥିଲା । ଏହା ପରେ ସମସ୍ତ ସତ୍ୟ ସାମ୍ନାକୁ ଆସିଥିଲା। ପୋଲିସ ବାଥରୁମ୍‌ର କଂକ୍ରିଟ୍ ଚଟାଣ ଖୋଳି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ହତ୍ୟାକାଣ୍ଡରେ ରୁବିକୁ ଅନ୍ୟ କେହି ସାହାଯ୍ୟ କରିଛନ୍ତି କି ନାହିଁ, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।