ଗୋଆ: ‘ତହଲକା’ ମ୍ୟାଗଜିନର ପୂର୍ବତନ ସମ୍ପାଦକ ତଋଣ ତେଜପାଲ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ୨୦୧୩ ମସିହା ଗୋଆ ଯୌନ ଉତ୍ପୀଡ଼ନ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ପାଇଁ ହାଇକୋର୍ଟ ବେଞ୍ଚ ୨୦୨୧ ମସିହାର ଦୌରାଜଜ କୋର୍ଟଙ୍କ ରାୟକୁ ପଲଟେଇ ଦେଇଛନ୍ତି। ତେଜପାଲଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଜେଲଦଣ୍ଡାଦେଶ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ ପୀଡ଼ିତାଙ୍କ ମା ଆଶ୍ୱସ୍ତି ପ୍ରକାଶ କରିଛନ୍ତି। କହିଛନ୍ତି ଏହି ବର୍ଷଟି ଯନ୍ତ୍ରଣା ଦାୟକ, ଏତେ ବର୍ଷ ପର୍ଯ୍ୟନ୍ତ ସାହସ କରି ରହିବା ଲାଗି ବହୁତ ଶକ୍ତି ଦରକାର।

ପୀଡ଼ିତାଙ୍କ ମା କହିଛନ୍ତି ଯେ ଦୀର୍ଘ ବର୍ଷ ଧରି କୋର୍ଟରେ ଲଢେଇ ପରେ ଆସିଥିବା ଏହି ରାୟ ତାଙ୍କ ମନର ବୋଝକୁ ହାଲୁକା କରିଛି। ଏଥି ପାଇଁ ସେ ଗୋଆ ସରକାରଙ୍କ ଓକିଲଙ୍କୁ ଧନ୍ୟବାଦ ଜଣାଇଛନ୍ତି। କହିଛନ୍ତି ଯେ ସେମାନେ ମୋ ଉପରେ ଭରସା କଲେ ଓ ନ୍ୟାୟ ଲାଗି ଲଢିଲେ। ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ଗୁରୁବାର ୬୨ ବର୍ଷ ବୟଷ୍କ ତେଜପାଲଙ୍କୁ ୨୦୧୩ରେ ତାଙ୍କ ମହିଳା ସହଯୋଗୀଙ୍କ ପ୍ରତି ଦୁଷ୍କର୍ମ ଲାଗି ଦୋଷୀ ସାବ୍ୟସ୍ତ କରିଛନ୍ତି। ଏଥି ପାଇଁ କୋର୍ଟ ଗୋଆ ସେସନସ୍ କୋର୍ଟଙ୍କ ୨୦୨୧ ରାୟକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ତେଜପାଲଙ୍କୁ ନିର୍ଦ୍ଦୋଷରେ ମୁକ୍ତ କରି ଦିଆଯାଇଥିଲା।

ତେବେ ତଋଣ ତେଜପାଲ କହିଛନ୍ତି ଯେ ବମ୍ବେ ହାଇକୋର୍ଟଙ୍କ ରାୟ ବିରୋଧରେ ସେ ସୁପ୍ରିମକୋର୍ଟକୁ ଯିବେ ଓ କୋର୍ଟଙ୍କ ରାୟ ତ୍ରୁଟିପୂର୍ଣ୍ଣ। କୋର୍ଟରେ ରାୟ ଶୁଣାଣି କାଳରେ ତେଜପାଲ କହିଥିଲେ ଯେ ମୋତେ ଲାଗୁଛି ମୁଁ ନିଜେ ‘ପୀଡ଼ିତ’ ଓ ନିଜ ଲାଗି କୋହଳ ହେବା ପାଇଁ ନିବେଦନ କରିଥିଲେ। ସେପଟେ ପୀଡ଼ିତା କହିଛନ୍ତି ଯେ ତେଜପାଲ ୭ ଓ ୮ ନଭେମ୍ବର ୨୦୧୩ରେ ମ୍ୟାଗଜିନ ଦ୍ୱାରା ଆୟୋଜନ କରାଯାଇଥିବା ବାର୍ଷିକ କାର୍ଯ୍ୟକ୍ରମ ‘ଥିଙ୍କ ଫେଷ୍ଟ’ କାଳରେ ହୋଟେଲ ଲିଫ୍ଟରେ ତାଙ୍କ ସହ ୨ ଥର ଦୁର୍ବ୍ୟବହାର କରିଥିଲେ। ସେହି ବର୍ଷ ନଭେମ୍ବର ୩୦ ତାରିଖରେ ତେଜପାଲଙ୍କୁ ଗିରଫ କରାଯାଇଥିଲା।

ଆରମ୍ଭରେ ତେଜପାଲ ଏହି ଘଟଣାରେ ଅବଶୋଷ ପ୍ରକାଶ କରି କହିଥିଲେ ଯେ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭୁଲ ବୁଝିବା ଯୋଗୁ ହୋଇଛି। ତେବେ ପରେ ଅଭିଯୋଗ ପ୍ରମାଣିତ ହେବା ପରେ କହିଥିଲେ ଯେ ସେ ରାଜନୈତିକ ପ୍ରତିଶୋଧ ଭାବନାର ଶିକାର ହୋଇଛନ୍ତି। ତେବେ ଗୋଆ ସରକାରଙ୍କ ପକ୍ଷରୁ କୋର୍ଟରେ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ତର୍କ ରଖିଥିଲେ ଯେ ‘ପୀଡ଼ିତା ତାଙ୍କ ଝିଅ ବୟସର ଥିଲେ, ତା ସତ୍ୱେ ସେ ଅପରାଧ କରିଥିଲେ। ସେ ପିତା ତୁଲ୍ୟ ଥିଲେ ତାଙ୍କୁ ଏଭଳି କରିବାର ନଥିଲା। ଏହା ଏକ ଉଦାହରଣ ହେବା ଉଚିତ’।

ସୋଲିସିଟର ଜେନେରାଲ କହିଛନ୍ତି ଯେ ପୀଡ଼ିତା ମନା କରିଥିଲେ ହେଲେ ପରବର୍ତ୍ତି ୨ ଦିନ ଧରି ସେ ଆଗକୁ ବଢିଥିଲେ। ଏଣୁ କୋର୍ଟ ସମାଜକୁ ଏକ ସ୍ପଷ୍ଟ ବାର୍ତ୍ତା ଦିଅନ୍ତୁ, ଯେବେ କୌଣସି ଯୁବତୀ ମନା କରୁଛି ତେବେ ତାହାର ଅର୍ଥ ‘ନା’ ହିଁ ଅଟେ। ଅର୍ଥାତ ନାର ଅର୍ଥ ନା ବୋଲି ତୋଷାର ମେହେଟ୍ଟା କହିଛନ୍ତି।