ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ଜାରି ସିଜଫାୟାର ବାର୍ତ୍ତାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଧମକଭରା ଚେତାବନୀ ଦେଇଛନ୍ତି। ଟ୍ରମ୍ପ ତାଙ୍କ ଟ୍ରୁଥ ସୋସାଲରେ ଏକ ଏଆଇ ଫଟୋ ସେୟାର କରି କେବଳ ‘ଏଡିୟସ୍’ ଲେଖିଛନ୍ତି। ଏହି ଶବ୍ଦର ଅର୍ଥ ହେଉଛି ‘ଗୁଡବାୟ’। ଫଟୋରେ ଆମେରିକୀୟ ଡ୍ରୋନ ଇରାନୀ ପତକା ଲଗା ନୌକାଗୁଡିକ ଉପରେ ଆକ୍ରମଣ କରୁଥିବା ଦେଖାଯାଉଛି। ଏହି ପୋଷ୍ଟ ଏପରି ସମୟରେ ଆସିଛି ଯେତେବେଳେ ଦୁଇ ଦେଶଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ରଣନୈତିକ ରୂପେ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀକୁ ପୁଣିଥିରେ ଖୋଲିବାକୁ କଥାବାର୍ତ୍ତା ଆରମ୍ଭ ହୋଇଛି।

ଏଆଇ ଛବିରେ ଟ୍ରମ୍ପ ଲଗାତାର ଦେଉଛନ୍ତି ଧମକ
ଇରାନକୁ ନେଇ ଏଆଇ ଆଧାରିତ ଛବି ଉପଯୋଗ କରି ଟ୍ରମ୍ପ ଚେତାବନୀ ଦେବା ନୂଆ କଥା ନୁହେଁ। ଗତ ସପ୍ତାହମାନଙ୍କରେ ସେ ଏପରି ଅନେକ ପୋଷ୍ଟ କରିଛନ୍ତି ଯେଉଁଥିରେ ମିଜାଇଲ ଆକ୍ରମଣ, ଡ୍ରୋନ ଷ୍ଟ୍ରାଇକ, ଇରାନର ନକ୍ସାକୁ ଟାର୍ଗେଟ କରୁଥିବା ଦୃଶ୍ୟ ଓ ସ୍ପେସ୍ ଫୋର୍ସ ଭଳି ଭବିଷ୍ୟତର ଯୁଦ୍ଧ ସମ୍ପର୍କିତ ଚିତ୍ରରେ ଇରାନକୁ ଧମକ ଦେଇଛନ୍ତି। ଏଥିରେ ଟ୍ରମ୍ପ ଏକ ପୋଷ୍ଚରେ ଲେଖିଥିଲେ ‘ଫର ଇରାନ କ୍ଲକ୍ ଇଜ୍ ଟିକିଂ’ ଅର୍ଥାତ ଇରାନ ଲାଗି ସମୟ ସରିଆସୁଛି।

ଟ୍ରମ୍ପଙ୍କ ଏହି ପୋଷ୍ଟ ପରେ ଇରାନ ମଧ୍ୟ କଡ଼ା ପ୍ରତିକ୍ରିୟା ରଖିଛି। ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଇସ୍ମାଇଲ ବକାଇ ସରକାରୀ ଟେଲିଭିଜନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ଗତ ସପ୍ତାହେ ହେଲା ଇରାନ ଓ ଆମେରିକା ଆଭିମୁଖ୍ୟ ନରମ ପଡିଛି। ତେବେ ସେ ଚେତାବନୀ ଦେଇ କହିଛନ୍ତି ଯେ ଏହାର ଅର୍ଥ ନୁହେଁ ମୁଖ୍ୟ ପ୍ରସଙ୍ଗରେ ସହମତି ହୋଇଯାଇଛି। ସେ ଆମେରିକା ଉପରେ ବିରୋଧାଭାଷୀ ବୟାନର ମଧ୍ୟ ଆରୋପ ଲଗାଇଛନ୍ତି। ତେବେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ବୁଝାମଣା ନେଇ ଅଧିକ କିଛି ସୂଚନା ଦେଇ ନାହାନ୍ତି।

ତେବେ ଟ୍ରମ୍ପଙ୍କ ନୂଆ ‘ଏଡିୟସ୍’ ପୋଷ୍ଟକୁ ନେଇ ଏବେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠୁଛି। ଏଥିରୁ ଦୁଇ ପକ୍ଷଙ୍କ ମଧ୍ୟରେ ଜାରି ବାର୍ତ୍ତା ଅଚାନକ ଅଟକି ଯାଇଛି କି, ନା ଏହା ସମ୍ପୂର୍ଣ୍ଣ ବିଫଳ ହୋଇଯାଇଛି? ତେବେ ଏ ନେଇ ୱାସିଂଟନ ଅଥବା ତେହେରାନ ପକ୍ଷରୁ ଏହାର ପୁଷ୍ଟି ଅଥବା ଖଣ୍ଡନ ଖବର ଆସି ନାହିଁ। ହେଲେ ଏ ନେଇ ଏବେବି ଅଙ୍କ କଷା ଚାଲିଛି।