ପୁରୀ ୧୮।୭: ଆଜି ମହାପ୍ରଭୁଙ୍କ ଆଡ଼ପ ବିଜେ ନୀତି । ସନ୍ଧ୍ୟାରେ ମହାପ୍ରଭୁ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ଜନ୍ମବେଦୀରେ ଲୀଳା ରଚିବେ କାଳିଆ ସାଆନ୍ତ । ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଶରଧାବାଲିରେ ତିନି ରଥ । ଶରଧାବାଲିରେ ରଥାରୂଢ଼ ତିନି ଠାକୁରଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗିଛି । ପ୍ରବଳ ବର୍ଷା ସତ୍ତ୍ବେ ଶ୍ରୀକ୍ଷେତ୍ରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଧାଡି ଛୁଟିଛି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମନ ପୁରାଇ ଦେଖୁଛନ୍ତି ଶ୍ରଦ୍ଧାଳୁ ।

ବର୍ତ୍ତମାନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଓ ଠିକ୍ ଠାକ୍ ଚାଲିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରିନ୍ଦ ପାଢ଼ୀ । ସେ କହିଛନ୍ତି, ରଥ ଉପରେ ଶ୍ରୀଜିଉ ସାରାରାତି ଦର୍ଶନ ଦେଇଥିଲେ । ରାତିସାରା ଭକ୍ତଙ୍କ ପାଇଁ ଭଗବାନ ରଥରୁ ଦିବ୍ୟ ଦର୍ଶନ ଦେଉଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶନିବାର ଯେହେତୁ ଆଡ଼ପ ବିଜେ ଅଛି ତେଣୁ ସୁରକ୍ଷା ବ୍ୟବସ୍ଥା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଉ କିଛି ସମୟ ପରେ ଚାରମାଳ ଖଞ୍ଜାଯିବ, ଏ ବର୍ଷ ଦୁଇଟି ସେଟ୍ ଚାରମାଳ ପ୍ରସ୍ତୁତ ହୋଇଛି । ଗୋଟିଏ ଶ୍ରୀମନ୍ଦିର ଓ ଅନ୍ୟ ସେଟ୍ ଗୁଣ୍ଡିଚା ମନ୍ଦିରରେ ଅଛି । ସମସ୍ତ ନୀତିକାନ୍ତି ସମାପ୍ତ ହେବା ପରେ ସନ୍ଧ୍ୟା ୭ଟାରୁ ୭ଟା ୩୦ ଭିତରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରାଯିବ ବୋଲି ଅରବିନ୍ଦ ପାଢ଼ୀ କହିଛନ୍ତି ।

Also Read:- ପୁରୀ ରାସ୍ତାରେ ଅସମ୍ଭାଳ ଭିଡ଼, ବର୍ଷା ଯୋଗୁଁ ୨ କି.ମି. ଟ୍ରାଫିକ୍ ଜାମ !

ଶୁକ୍ରବାର ଅପରାହ୍ନ ୩ଟାରେ ତିନି ରଥ ଆଡ଼ପ ମଣ୍ଡପ ସାମ୍ନାରେ ପହଞ୍ଚିଥିଲେ । ଜୟ ଜଗନ୍ନାଥ ଓ ହରିବୋଲ ଧ୍ଵନି ଦେଇ ଶ୍ରଦ୍ଧାଳୁ ମାନେ ରଥ ଟାଣି ନେଇଥିଲେ । ବଡ଼ ଠାକୁରଙ୍କ ତାଳଧ୍ଵଜ ରଥକୁ ମାର୍କେଟ ଛକ ନିକଟରୁ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ମରିଚିକୋଟ ଛକରୁ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ଶ୍ରୀମନ୍ଦିର ସିଂହଦ୍ଵାର ଆଗରୁ ଟଣା ହୋଇଥିଲା । ବାଟରେ ଯିବା ବେଳେ ଭକ୍ତ ନିବେଦିତ ନୈବେଦ୍ୟ ଖାଇଥିଲେ ମହାପ୍ରଭୁ । ପ୍ରାୟ ୫ ଘଣ୍ଟା ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ୩ ରଥ ପହଞ୍ଚିଥିଲା । ତିନି ରଥ ଗୁଣ୍ଡିଚା ଘର ସମ୍ମୁଖରେ ପହଞ୍ଚିଲା ପରେ ରଥରେ ଅନ୍ୟାନ୍ୟ ନୀତିକାନ୍ତି ହୋଇଥିଲା । ଗୁଣ୍ଡିଚାଘର ସିଂହଦ୍ଵାରରେ ତିନି ରଥରେ ଦର୍ଶନ ପାଇଁ ଲାଗିଛି ଭକ୍ତଙ୍କ ଭିଡ଼ । ଶନିବାର ସନ୍ଧ୍ୟାରେ ଶ୍ରୀଜିଉମାନେ ଆଡ଼ପ ମଣ୍ଡପ ରତ୍ନସିଂହାସନକୁ ବିଜେ କରିବେ । ରବିବାର ଠାରୁ ଶ୍ରୀଜିଉ ମାନଙ୍କର ଆଡ଼ପ ଦର୍ଶନ କରିବେ ଶ୍ରଦ୍ଧାଳୁ । ଏହାସହ ଆଡ଼ପ ଅବଢ଼ା ମଧ୍ୟ ମିଳିବ ।