ହାଇଦ୍ରାବାଦ: ଅଯୋଧ୍ୟା ରାମ ମନ୍ଦିରର କଥିତ ଦାନ ରାଶି ହଡପ ଓ ରାଜନୈତିକ ପ୍ରଚାରରେ ହିନ୍ଦୁ ଦେବାଦେବୀଙ୍କ ଉପଯୋଗ ଉପରେ ପ୍ରଶ୍ନ କରିବାରୁ ତେଲେଙ୍ଗାନାର ଜଣେ ଦକ୍ଷିଣପନ୍ଥୀ ନେତା ଲାଇଭ ଟିଭି କାର୍ଯ୍ୟକ୍ରମରେ ହିନ୍ଦୁ ସାମାଜିକ କାର୍ଯ୍ୟକର୍ତ୍ତା ଟି.ଭି.ରମନ୍ନା ମୂର୍ତ୍ତିଙ୍କୁ ଚପଲରେ ମାଡ଼ ମାରିଛନ୍ତି। ଏହି ଘଟଣା ଚଳିତ ସପ୍ତାହରେ ଏକ ୟୁଟ୍ୟୁବ ଲାଇଭ କାର୍ଯ୍ୟକ୍ରମ ବେଳେ ଘଟିଛି, ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ହିନ୍ଦୁ ଫର ପ୍ଲୁରାଲିଟି ଆଣ୍ଡ ଇକ୍ୱାଲିଟି(ଏଚପିଇ)ର ସମ୍ପାଦକ ତଥା ଜୟ ଭାରତ ପବ୍ଲିକେସନର ଜାତୀୟ ସାଧାରଣ ସମ୍ପାଦକ ରମନ୍ନା ମୂର୍ତ୍ତି ତେଲଗୁ ୟୁଟ୍ୟୁବ ଚ୍ୟାନେଲ ‘ବିଆରକେ ନ୍ୟୁଜ୍’ରେ ‘ଧର୍ମ ନା ରାଜନୀତି’ ଶୀର୍ଷକ ବିତର୍କରେ ଅଂଶଗ୍ରହଣ କରିଥିଲେ। ତାଙ୍କ ଉପରେ ଚରମପନ୍ଥୀ ସମୂହ ହିନ୍ଦୁ ଧର୍ମବୀର ନେତା କଶ୍ୟପ ରେଡ୍ଡୀ ଆକ୍ରମଣ କରିଛନ୍ତି।

ବିତର୍କରେ ମୂର୍ତ୍ତି ୩ଟି ପ୍ରସଙ୍ଗ ଉଠାଇଥିଲେ। ଏଥିରେ ଅଯୋଧ୍ୟା ରାମମନ୍ଦିର ଲାଗି ଏକତ୍ରିତ ହେଉଥିବା ଦାନ ଚୋରି ପ୍ରସଙ୍ଗ ଥିଲା, ଯାହା ଏବେକା ସମୟରେ ବ୍ୟାପକ ରାଜନୈତିକ ବିବାଦକୁ ଜନ୍ମ ଦେଇଛି। ଏହା ଛଡା ମୂର୍ତ୍ତି ଲକ୍ଷ୍ନୌରେ ବିଜେପି ଜାତୀୟ ସଭାପତି ନୀତିନ ନବୀନଙ୍କ କାରକେଡ ଆଗରେ ହନୁମାନଜୀଙ୍କ ବେଶରେ ନୃତ୍ୟ କରୁଥିବା କଳାକାରଙ୍କ ବ୍ୟାପକ ରୂପେ ପ୍ରସାରିତ ଭିଡିଓର ମଧ୍ୟ ସମାଲୋଚନା କରିଥିଲେ। ଏହାକୁ ମୂର୍ତ୍ତି ଦେବତାଙ୍କ ଅପମାନ ବୋଲି କହିଥିଲେ। ସେହିପରି ସେ ‘ଦଶାବତାରମ’ ପୋଷ୍ଟରର କ୍ଲିପିଂ ମଧ୍ୟ ପ୍ରଦର୍ଶିତ କରିଥିଲେ, ଯେଉଁଥିରେ କୃଷ୍ଣଙ୍କ ମୁହଁକୁ ଡିଜିଟାଲ ଏଡିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୂପରେ ବଦଳାଇ ଦିଆଯାଇଥିଲା। ସେ ତର୍କ ଦେଇଥିଲେ ଯେ ଏପରି ଚିତ୍ରଣ ଧର୍ମର ରାଜନୈତିକ ଲାଭ ଉଦ୍ଦେଶ୍ୟରେ ଉପଯୋଗ।

ବିତର୍କରେ ଯେବେ ମୂର୍ତ୍ତି ପୋଷ୍ଟର ଉପରେ ତାଙ୍କ ଆପତ୍ତି ଦୋହରାଇଲେ ବିବାଦ ଆହୁରି ବଢି ଯାଇଥିଲା। ମୂର୍ତ୍ତି କହିଥିଲେ ଆପଣ ଭଗବାନ କୃଷ୍ଣଙ୍କ ମୁହଁକୁ କିପରି ବଦଳାଇ ପାରିବେ?ଏଥିରେ କଶ୍ୟପ ରେଡ୍ଡୀ ତାଙ୍କୁ ଚେତାବନୀ ଦେଇଥିଲେ ଏପରି କୁହନ୍ତୁ ନାହିଁ ଓ ତୁରନ୍ତ ପାଦରୁ ଚପଲ ବାହାର କରି ମୂର୍ତ୍ତିଙ୍କୁ ପିଟିବା ଆରମ୍ଭ କରିଥିଲେ। ଏଥିରେ ରେଡ୍ଡୀଙ୍କୁ ଷ୍ଟୁଡିଓରୁ ବାହାର କରିଦିଆଯାଇଥିଲା। ତା ପରେ ମଧ୍ୟ ବିତର୍କର ପ୍ରସାରଣ ଜାରି ଥିଲା।

ଏହି ଘଟଣାକୁ ଧାର୍ମିକ ଓ ନାଗରିକ ସମାଜର ପ୍ରତିଷ୍ଠିତ ବ୍ୟକ୍ତି ନିନ୍ଦା କରିଛନ୍ତି। କେତେକ ପୂଜାରୀ ଓ ନାଗରିକ ସମୂହ ହାଇଦ୍ରାବାଦ ବଶିରବାଗ୍ ପ୍ରେସ କ୍ଲବରେ ଏକତ୍ରୀତ ହୋଇ ଏହି ଘଟଣାକୁ ନିନ୍ଦା କରିବା ସହ ଟି.ଭି.ରମନ୍ନା ମୂର୍ତ୍ତିଙ୍କୁ ସେମାନଙ୍କ ସମର୍ଥନ ଜଣାଇଛନ୍ତି। ସାମ୍ବାଦିକଙ୍କୁ ସମ୍ବୋଧିତ କରି ମୂର୍ତ୍ତି କହିଛନ୍ତି ଯେ ‘ମୋର ଜନ୍ମ ହିନ୍ଦୁ ଧର୍ମରେ ହୋଇଛି ଓ ସାରା ଜୀବନ ହିନ୍ଦୁ ହିଁ ରହିବି’। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ସେହି କାର୍ଯ୍ୟ ଉପରେ ପ୍ରଶ୍ନ କରିବାରୁ ଚପଲରେ ମାଡ଼ ମରାଗଲା ଯାହାକୁ ସେ ଧର୍ମର ଅସମ୍ମାନ ବୋଲି ଭାବନ୍ତି। ସେ କହିଛନ୍ତି ଯେ ମୁଁ ଡରିବି ନାହିଁ ହିନ୍ଦୁ ଧର୍ମର ସମାବେଶୀ ମୂଲ୍ୟର ରକ୍ଷା ଲାଗି ବଳିଦାନ ଦେବାକୁ ମଧ୍ୟ ପ୍ରସ୍ତୁତ। ସେ ଏହା ବି କହିଛନ୍ତି ଯେ ରାଜନୀତିକୁ ଧାର୍ମିକ ବ୍ୟାପାରରୁ ଦୂରରେ ରଖିବା ଉଚିତ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଚନ୍ଦ୍ରକୁମାର କହିଛନ୍ତି ଯେ ମୂର୍ତ୍ତି ତାଙ୍କ ତର୍କକୁ ପ୍ରମାଣ ସହିତ ଉପସ୍ଥାପନ କରୁଥିଲେ। ଏଥିରେ ତାଙ୍କୁ ଚପଲରେ ମାଡ଼ ମରାଯିବା ବାସ୍ତବିକ ଚିନ୍ତାଜନକ ଓ ମୂର୍ତ୍ତିଙ୍କ ଲାଗି ସରକାର ସୁରକ୍ଷା ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ସେହିପରି ଅନ୍ନୟା କଲାକ୍ଷେତ୍ରମର ମୁଖ୍ୟ ବିଜୟଶଙ୍କର ସ୍ୱାମୀ କହିଛନ୍ତି ଯେ ହିନ୍ଦୁ ଧର୍ମରେ ଘୃଣାର କୌଣସି ସ୍ଥାନ ନାହିଁ। ଏଣୁ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସାମ୍ବାଦିକ ସମ୍ମିଳନୀରେ ମୂର୍ତ୍ତି ଅଭିଯୋଗ କରିଛନ୍ତି ଯେ ବିଶ୍ୱ ହିନ୍ଦୁ ପରିଷଦ( ଭିଏଚପି), ବଜରଙ୍ଗ ଦଳ ଓ ବିଜେପି ଅଯୋଧ୍ୟା ମନ୍ଦିର ଆନ୍ଦୋଳନକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ନିର୍ମୋହୀ ଆଖଡାକୁ ଆଡେଇ ଦେଇଛନ୍ତି। ସେମାନେ ରାମ ଜନ୍ମଭୂମି ନ୍ୟାସର ନ୍ୟାୟାଳୟ ଦ୍ୱାରା ନିଯୁକ୍ତ ମୁଖ୍ୟ ବାବା ଲାଲ ଦାସଙ୍କ ମଧ୍ୟ ସ୍ମରଣ କରିଛନ୍ତି, ଯାହାଙ୍କୁ ୧୯୯୩ରେ ରାମ ଜନ୍ମଭୂମି ନ୍ୟାସ ପାଣ୍ଠି ଗବନ ଅଭିଯୋଗରେ ହତ୍ୟା କରାଯାଇଥିଲା। ଲାଲ ଦାସଙ୍କ ହତ୍ୟା ଦୀର୍ଘ ସମୟରୁ ଆରଏସଏସ, ଭିଏଚପି ଓ ବିଜେପି ଦ୍ୱାରା ମନ୍ଦିର ଆନ୍ଦୋଳନ ସଞ୍ଚାଳନ ସମ୍ପର୍କିତ ମନେ କରାଯାଉଛି। ତେବେ କୋର୍ଟରେ ଏହା କେବେ ପ୍ରମାଣିତ ହୋଇ ପାରି ନାହିଁ।

ମୂର୍ତ୍ତି ଅଭିଯୋଗ କରିଛନ୍ତି ଯେ ସଂଘ ସମ୍ପର୍କିତ ସଙ୍ଗଠନମାନେ ଦୀର୍ଘ ଦଶନ୍ଧୀ ଧରି ‘ରାମ’ଙ୍କ ନାମରେ ଶହଶହ କୋଟି ଟଙ୍କା ଲୁଟ୍ କରିଛନ୍ତି। ମୂର୍ତ୍ତି ଏହି ଅସମାହିତ ମାମଲାକୁ ରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏବେକା ଦାନ ଚୋରି ସହ ଯୋଡିଛନ୍ତି, ଯେଉଁଥିରେ ୮ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ୨ ଜଣ ବରିଷ୍ଠ ଟ୍ରଷ୍ଟି ଇସ୍ତଫା ଦେଇଛନ୍ତି। ମୂର୍ତ୍ତି ରାମ ମନ୍ଦିର ଦାନ ଚୋରି ମାମଲାକୁ ଏକ ବିଶାଳ ଚୋରିର ଏକ କ୍ଷୁଦ୍ରତମ ଅଂଶ ବୋଲି କହିଛନ୍ତି ଓ ଶେଷରେ ଏହି ମାମଲାର ଯାଞ୍ଚକୁ ମଧ୍ୟ ଥଣ୍ଡା ବସ୍ତାରେ ବନ୍ଦ କରିଦିଆଯିବ ଓ ଦୋଷ ତଳିଆ କର୍ମଚାରୀଙ୍କ ଉପରେ ପକାଇ ଦିଆଯିବ ବୋଲି ଭବିଷ୍ୟବାଣି କରିଛନ୍ତି।