ନୂଆଦିଲ୍ଲୀ, ୧୨|୦୨: ଟି୨୦ ବିଶ୍ୱକପ୍ ଚାଲିଥିବା ବେଳେ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟକା । ନାମିବ୍ୟା ଏବଂ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ଅସୁସ୍ଥ ହୋଇ ପଡିଛନ୍ତି ଅଭିଷେକ ଶର୍ମା । ତାଙ୍କ ପେଟରେ ସଂକ୍ରମଣ ହୋଇଯାଇଛି । ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେ ଡିସଚାର୍ଜ ହୋଇଛନ୍ତି । କିନ୍ତୁ ଭାରତୀୟ ଦଳର ଅଭ୍ୟାସ ସେସନ୍ସରୁ ନିଜକୁ ଦୂରେଇ ରଖିଛନ୍ତି । ଏପରିକି ତାଙ୍କୁ ବିଶ୍ରାମ ପାଇଁ କୁହାଯାଇଥିବା ଏବଂ ସେ ଠିକ୍ ହେବାକୁ ସମୟ ଲାଗିବ ବୋଲି କେହି କେହି କହୁଛନ୍ତି ।

ରିପୋର୍ଟ ଅନୁସାରେ, ରବିବାର ଅଭିଷେକଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହାପରେ ସୋମବାର ତାଙ୍କୁ ଦିଲ୍ଲୀସ୍ଥିତ ଏକ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି । ହେଲେ ତାଙ୍କ ଶରୀରରେ ଓଜନ ଦ୍ରୁତ ବେଗରେ ହ୍ରାସ ପାଇଛି । ଡିହାଇଡ୍ରେସନ କାରଣରୁ ସେ କ୍ଳାନ୍ତ ହୋଇଯାଇଛନ୍ତି ।

​​​​​​​ଏହି ଖବରଟି ପଢନ୍ତୁ...ଏୟାର ଇଣ୍ଡିଆ AI-171 ଦୁର୍ଘଟଣାରେ ଇଟାଲୀୟ ରିପୋର୍ଟର ଚାଞ୍ଚଲ୍ୟକର ଦାବି: ଜାଣିଶୁଣି ବନ୍ଦ କରାଯାଇଥିଲା ଫୁଏଲ ସ୍ୱିଚ୍?

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ପ୍ରଥମେ ଫେବ୍ରୁଆରୀ ୬ ତାରିଖରେ ଅଭିଷେକ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ । ସେ ଏପରି କିଛି ଖାଦ୍ୟ ଗ୍ରହଣ କରିଥିଲେ ଯାହା ତାଙ୍କ ଶରୀରରେ ସଂକ୍ରମଣ କରିଛି । ଶରୀର ଅସୁସ୍ଥ ସତ୍ତ୍ୱେ ସେ ଆମେରିକା ବିପକ୍ଷରେ ମୁକାବିଲା ଖେଳିଥିଲେ । ମ୍ୟାଚ୍ ପରେ ତାଙ୍କୁ ଡଗ୍ ଆଉଟରେ ଦେଖିବାକୁ ମିଳିନଥିଲା । ଖେଳାଳିଙ୍କ କରମର୍ଦନ ସମାରୋହରେ ମଧ୍ୟ ସେ ସାମିଲ ନଥିଲେ ।

କୁହାଯାଉଛି ଯେ, ପାଗ ପରିବର୍ତ୍ତନ ପାଇଁ ଅଭିଷେକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ପରେ ତାଙ୍କ ଶରୀରରୁ ଜଳୀୟ ଅଂଶ କମିଯାଇଥିଲା । ଫଳରେ ଓଜନ ମଧ୍ୟ ହ୍ରାସ ପାଇଛି । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ମେଡିକାଲ୍ ଟିମ୍ ଷ୍ଟାର୍ ଓପନରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ।

ସୂଚତନାଯୋଗ୍ୟ, ନାମିବ୍ୟା ବିପକ୍ଷ ମୁକାବିଲାରେ ଅଭିଷେକ ଖେଳିବା ସମ୍ଭାବନା କମ୍ ରହିଛି । ତାଙ୍କ ଜାଗାରେ ସଞ୍ଜୁ ସାମସନ ଖେଳିପାରନ୍ତି । ତେବେ ଫେବ୍ରୁଆରୀ ୧୫ରେ ପାକିସ୍ତାନ ବିପକ୍ଷ ମୁକାବିଲା ପୂର୍ବରୁ ସେ ଫିଟ୍ ହେବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।