ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମା ଐତିହାସିକ ଏବଂ ରୋମାଞ୍ଚକର ପାଳି ଖେଳିଛନ୍ତି। ନିଜର ଆକ୍ରାମଣାତ୍ମକ ବ୍ୟାଟିଂ ବଳରେ ସେ ଆଫଗାନ ବୋଲରଙ୍କୁ ନିର୍ମମ ପ୍ରହାର କରି ମାତ୍ର ୩୦ ବଲ୍‌ରେ ନିଜର ଶତକ ପୂରଣ କରିଛନ୍ତି। ଏହାସହ ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସବୁଠାରୁ ଦ୍ରୁତତମ ଶତକ ହାସଲ କରିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି।

ଅଭିଷେକଙ୍କ ବିଶ୍ୱ ରେକର୍ଡ 
ଅଭିଷେକ ମୋଟ ୩୪ ବଲରୁ ୧୦୮ ରନ୍‌ର ଏକ ବିସ୍ଫୋରକ ପାଳି ଖେଳିଛନ୍ତି। ଏହି ପାଳିରେ ସେ ୯ଟି ଚୌକା ଏବଂ ୧୧ଟି ବିଶାଳ ଛକା ମାରିଛନ୍ତି । ପୂର୍ବରୁ ଫିନ୍ ଆଲେନ୍ (ନ୍ୟୁଜିଲାଣ୍ଡ) ଏବଂ ସିକନ୍ଦର ରାଜା (ଜିମ୍ବାୱେ) ୩୩ ବଲ୍‌ରେ ଶତକ ହାସଲ କରି ଏହି ରେକର୍ଡ ନିଜ ନାମରେ ରଖିଥିଲେ। ଅଭିଷେକ ମାତ୍ର ୩୦ ବଲରେ ଶତକ ମାରି ସେମାନଙ୍କୁ ପଛରେ ପକାଇ ଦେଇଛନ୍ତି।

ଭାରତ ପାଇଁ ଟି-୨୦ରେ ସବୁଠାରୁ ଦ୍ରୁତତମ ଶତକ ମାରିବାର ରେକର୍ଡ ପୂର୍ବରୁ ରୋହିତ ଶର୍ମା (୩୫ ବଲ୍)ଙ୍କ ନାମରେ ଥିଲା। ଅଭିଷେକ ଏହି ରେକର୍ଡକୁ ଭାଙ୍ଗି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଅଭିଷେକ ମାତ୍ର ୧୬ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ପାୱାରପ୍ଲେ’ରେ ଭାରତର ସର୍ବୋଚ୍ଚ ସ୍କୋର
ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ ପ୍ରଥମ ୬ ଓଭର (ପାୱାରପ୍ଲେ)ରେ ବିନା କୌଣସି ୱିକେଟ୍ ହରାଇ ୧୦୦ ରନ୍ ସଂଗ୍ରହ କରିଥିଲା। ଟି-୨୦ ଅନ୍ତର୍ଜାତୀୟ ଇତିହାସରେ ପାୱାରପ୍ଲେ ରେ ଏହା ଭାରତର ସବୁଠାରୁ ବଡ଼ ସ୍କୋର। 

ଟସ୍ ଜିତି ଆଫଗାନିସ୍ତାନ ପ୍ରଥମେ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ ବଳରେ ୧୦୮ ରନ୍‌ କରି ଆଉଟ ହୋଇଛନ୍ତି । ସେପଟେ ସଞ୍ଜୁ ସାମସନ ଏବଂ ଶ୍ରେୟସ ଆୟର ବ୍ୟାଟିଂ ଜାରି ରଖିଛନ୍ତି । ପୂର୍ବରୁ ଦୁଇଟି ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିବା ସହ ସିରିଜ୍‌ ନିଜ ନାଁରେ କରିସାରିଛି । ଆଜି ମ୍ୟାଚ୍‌ ଜିତିଲେ ସିରିଜ୍‌ କ୍ଲିନ ସୁଇପ୍‌ କରିବ ଟିମ୍‌ ଇଣ୍ଡିଆ ।