ନୂଆଦିଲ୍ଲୀ: ଆରବ ସାଗରରେ ଇଣ୍ଡିଆନ ନେଭି ୱାର ସିପ୍ ଓ ପାକିସ୍ତାନ ନୌସେନା ଜାହାଜ ମଧ୍ୟରେ ଧକ୍କା ଏବେ ସମୁଦ୍ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ଲଗାଇଛି। ମଙ୍ଗଳବାର ଅନ୍ତର୍ଜାତୀୟ ଜଳକ୍ଷେତ୍ରରେ ଓମାନ ଉପସାଗରରୁ ପାଖାପାଖି ୧୨୦ ନଟିକାଲ ମାଇଲ ଦୂରରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧପୋତ ଧକ୍କାକୁ ନେଇ ଭାରତ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରାଯାଇଛି। ଭାରତୀୟ ଅଧିକାରୀଙ୍କ ଅନୁସାରେ ପାକିସ୍ତାନୀ ନେଭି ସିପ୍ ପିଏନଏସ ହୁନାଇନ ଭାରତୀୟ ନୌସେନା ଜାହାଜର ଅତି ନିକଟକୁ ଆସି ଅସୁରକ୍ଷିତ ଢଙ୍ଗରେ ଧକ୍କା ଦେଇଥିଲା।

ତେବେ ସମୁଦ୍ରରେ ହୋଇଥିବା ଏହି ଦୁର୍ଘଟଣାରେ ପାକିସ୍ତାନ ନୌସେନା ଜାହାଜ ବେଶି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ପାକିସ୍ତାନ ନେଭି ନିଜ ଜାହାଜ ବନ୍ଦରକୁ ଫେରାଇ ନେଇଛି। ତେବେ ଏଥିରେ ଭାରତୀୟ ଜାହାଜର ସେପରି କୌଣସି କ୍ଷତି ହୋଇନଥିବା ବେଳେ ଏବେବି ପାଟ୍ରୋଲିଂ କାମରେ ନିୟୋଜିତ ଅଛି। ତେବେ ଏକ୍ସପର୍ଟଙ୍କ ଅନୁସାରେ ହାଇଟେକ୍ ରାଡାର ସିଷ୍ଟମ, କମ୍ୟୁନିକେସନ ଓ ନେଭିଗେସନ ସିଷ୍ଟମରେ ସଜ୍ଜିତ ଯୁଦ୍ଧ ଜାହାଜ ଏତେ ନିକଟତର ହେବା ଓ ଧକ୍କା ଲାଗିବା କୌଣସି ସାଧାରଣ କଥା ନୁହେଁ।

ପ୍ରାୟତଃ ଚୀନ୍ ପଡୋଶୀ ଦେଶ ଜାହାଜଙ୍କୁ ଡରେଇବାକୁ ଓ ହଇରାଣ କରିବାକୁ ଏପରି କାଣ୍ଡ କରିଥାଏ। ଚୀନ୍ ନୌସେନା ଜାହାଜ ନିଜ ଜଳ ସୀମା ବାହାରକୁ ଯାଇ ଅନ୍ୟ ଦେଶ ଜାହାଜଙ୍କ ସାମ୍ନାରେ ରାସ୍ତା କାଟିଥାଏ ଓ ନିଜେ ଧକ୍କା ଲାଗିବାର ବିପଦ ସୃଷ୍ଟି କରିବାର ଅଭିଯୋଗ କରିଥାଏ। ଏବେ ପ୍ରଶ୍ନ ଉଠୁଛି ସମୁଦ୍ରରେ ଏପରି ଦୁଷ୍ଟାମୀ ପାଇଁ କଣ ଚୀନ୍ ନୌସେନାଠୁ ପାକିସ୍ତାନ ପ୍ରେରଣା ନେଉଛି କି? ଏପରି ବି ଦାବି କରାଯାଉଛି ଯେ ପାକିସ୍ତାନ ଚୀନ ଠାରୁ ବହୁ ସଂଖ୍ୟାରେ ଯୁଦ୍ଧ ଜାହାଜ ଓ ବୁଡା ଜାହାଜ କିଣୁଛି। କେବଳ ଏତିକି ନୁହେଁ ପାକିସ୍ତାନ ଓ ଚୀନ୍ ସେନା ମିଳିତ ସମରାଭ୍ୟାସ ମଧ୍ୟ କରୁଛନ୍ତି। ଏଣୁ ଏଥିରେ ଏପରି ପ୍ରଶ୍ନ ଉଠିବା ଏବେ ସ୍ୱଭାବିକ୍। ସମୁଦ୍ରରେ ଚାପ ସୃଷ୍ଟି କରିବାର ରଣନୀତି ନିଜ ପଡୋଶୀ ମିତ୍ର ଚୀନ୍ ଠାରୁ ଶିଖୁଛି କି ବୋଲି ଏବେ ପ୍ରଶ୍ନ ଉଠୁଛି।