ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ସେପ୍ଟେମ୍ବର ଗୁରୁବାର ତାଙ୍କର ୭୬ତମ ଜନ୍ମଦିନ ପାଳନ କରିଛନ୍ତି, ଯାହା ତାଙ୍କ ସାର୍ବଜନିକ ଜୀବନ ଓ ଜନସେବାର ୨୫ ବର୍ଷ ପୂରଣ ହେବାର ଏକ ଐତିହାସିକ ଅବସର ମଧ୍ୟ। ୨୦୦୧ ମସିହାରେ ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ସାମ୍ବିଧାନିକ ପଦବୀ ସମ୍ଭାଳିବାଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ରୂପେ ଲଗାତାର ସେବା ଦେବାର ଏହି ଅବସରରେ ଦେଶ ଓ ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବୈଶ୍ୱିକ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଜଭୁତ ବ୍ୟକ୍ତିତ୍ୱର ପ୍ରଭାବ ତାଙ୍କ ୭୬ତମ ଜନ୍ମ ଦିବସରେ ଦେଖିବାକୁ ମିଳୁଛି। ବିଶ୍ୱର ଶୀର୍ଷ ଶକ୍ତିଶାଳୀ ଦେଶଙ୍କ ରାଷ୍ଟ୍ରମୁଖ୍ୟ ଓ ବିଦେଶୀ ଦୂତାବାସ ସୋସିଆଲ ମିଡିଆ ଓ ବାର୍ତ୍ତା ଯୋଗେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ପଠାଇଥିବା ବିଶେଷ ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି ଯେ ‘ଆପଣ ଦେଶବାସୀ ଓ ବୈଶ୍ୱିକ ସ୍ତରରେ ସର୍ବାଧିକ ସମ୍ମାନୀତ ବ୍ୟକ୍ତି। ଭାରତ ଓ ଋଷିଆ ମଧ୍ୟରେ ବିଶେଷ ଓ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସମ୍ପର୍କକୁ ମଜଭୁତ କରିବାରେ ଆପଣଙ୍କ ବ୍ୟକ୍ତିଗତ ଯୋଗଦାନର ଯେତେବି ପ୍ରଶଂସା କରାଯାଏ ତାହା କମ୍ ହେବ’। ଏହି ଅବସରରେ ଭାରତ ସ୍ଥିତ ଋଷିଆ ଦୂତାବାସ ଇଂଷ୍ଟାଗ୍ରାମରେ ଏହି ବାର୍ତ୍ତାକୁ ‘ଦ୍ରୁଝୋବା-ଦୋସ୍ତି’ ହ୍ୟାସ୍ ଟ୍ୟାଗରେ ଟ୍ରେଣ୍ଡ କରାଇଛି।

ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଆମେରିକା ଦୂତାବାସ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଛି। ସେହିପରି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଏକ୍ସ ରେ ‘ମୋର ବନ୍ଧୁ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ବଧେଇ’ ବୋଲି ଉଲ୍ଲେଖ କରିଛନ୍ତି। ମେଲୋନୀ ପ୍ରଧାନମନ୍ତ୍ରୀଙ୍କ ଉତ୍ତସ୍ୱାସ୍ଥ୍ୟ ଓ ସଫଳତା କାମନା କରିଛନ୍ତି। ଭାରତରେ ଜାପାନ ରାଜଦୂତ ଓନୋ କେଇଚୀ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ବିକଶିତ ଭାରତ ଯାତ୍ରାକୁ ପ୍ରେରିତ କରିବ।

କେଇଚୀ ଆଗାମୀ ସମୟରେ ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ ତମ ବାର୍ଷିକିର ଉଲ୍ଲେଖ କରି କହିଛନ୍ତି ଯେ ଏହି ଭାଗିଦାରୀକୁ ନୂଆ ଉଚ୍ଚତାକୁ ପହଞ୍ଚାଇବାକୁ ଆମେ ସଂକଳ୍ପବଦ୍ଧ। ନେଦରଲ୍ୟାଣ୍ଡ ସାମ୍ରାଜ୍ୟର ଦୂତାବାସ ୨୦୨୬ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେଦରଲ୍ୟାଣ୍ଡ ଗସ୍ତ କାଳରେ ସ୍ୱାକ୍ଷରିତ ହୋଇଥିବା ରଣନୈତିକ ଭାଗିଦାରୀର ଉଲ୍ଲେଖ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଅଷ୍ଟ୍ରେଲିଆ ହାଇକମିସନ ମଧ୍ୟ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ବେଲଜିୟମ, ଭିଏତନାମ ଆଦି ଦେଶଙ୍କ ଦୂତାବାସମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଦେଶ ଭିତରେ ବିରୋଧୀ ଦଳମାନେ ରାଜନୈତିକ ମତପାର୍ଥକ୍ୟକୁ ଭୁଲି ଶୁଭେଚ୍ଛା ଜଣାଇବା ସହିତ ତାଙ୍କ ସୁସ୍ଥ ନିରାମୟ ଜୀବନ କାମନା କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସୋସିଆଲ ମିଡିଆ ଏକ୍ସ ରେଏକ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା କରିଛନ୍ତି। ସେହିପରି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ତାଙ୍କର ଦୀର୍ଘାୟୁ ଓ ଉତ୍ତମସ୍ୱାସ୍ଥ୍ୟ କାମନା କରିଛନ୍ତି।