କୋଲକାତା: ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର୍ ଓପନିଂ ବ୍ୟାଟର୍ ଅଭିଷେକ ଶର୍ମାଙ୍କୁ ବିସିସିଆଇ ପକ୍ଷରୁ କଡ଼ା ଦଣ୍ଡ ମିଳିଛି। ଗୁରୁବାର ରାତିରେ କୋଲକାତାର ଇଡେନ୍ ଗାର୍ଡେନ୍ସଠାରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଆଇପିଏଲ୍-୨୦୨୬ ର ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ମ୍ୟାଚ୍ ଫି'ର ୨୫ ପ୍ରତିଶତ ଜୋରିମାନା କରାଯିବା ସହ ଗୋଟିଏ 'ଡିମେରିଟ୍ ପଏଣ୍ଟ' ମଧ୍ୟ ଦିଆଯାଇଛି।

Also Read: Digital Census 2027: ୧୫ ବର୍ଷ ପରେ ପ୍ରଥମ ଥର Digital Survey, ଜାଣନ୍ତୁ କେଉଁ ୩୩ଟି ପ୍ରଶ୍ନର ଦେବାକୁ ହେବ ଉତ୍ତର

କାହିଁକି ମିଳିଲା ଦଣ୍ଡ?

ମ୍ୟାଚ୍ ରେଫରୀ ଦର୍ଶାଇଛନ୍ତି ଯେ, ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୧ ବଲରେ ୪୮ ରନ୍ ସଂଗ୍ରହ କରିଥିବା ଅଭିଷେକ ଆଇପିଏଲ୍ ଆଚରଣ ବିଧିର ଲେଭଲ୍-୧ ଅପରାଧ ତଥା 'ଆର୍ଟିକିଲ୍ ୨.୩' ଉଲ୍ଲଂଘନ କରିଛନ୍ତି। ଅଭିଷେକ ମଧ୍ୟ ନିଜର ଦୋଷ ସ୍ୱୀକାର କରିଛନ୍ତି।

ନିୟମ ଅନୁଯାୟୀ, 'ଆର୍ଟିକିଲ୍ ୨.୩' ଅଧୀନରେ ଷ୍ଟମ୍ପ ମାଇକ୍ କିମ୍ବା ଅନ୍ୟ କୌଣସି ଉପାୟରେ ଦର୍ଶକଙ୍କୁ ଶୁଭାଯାଉଥିବା ଭଳି ଅଶ୍ଳୀଳ ବା ଆପତ୍ତିଜନକ ଶବ୍ଦର ପ୍ରୟୋଗ କରିବା ଅପରାଧ ଅଟେ। ନିଜ ଖେଳ କିମ୍ବା ଭାଗ୍ୟକୁ ନେଇ ନିରାଶ ହୋଇ ପଡ଼ିଆ ମଧ୍ୟରେ ଗାଳିଗୁଲଜ କରିବା ମଧ୍ୟ ଏହି ନିୟମ ପରିସରଭୁକ୍ତ।

Also Read: Iran threatens US tech firms: ‘ମାଇକ୍ରୋସଫ୍ଟ ଏବଂ ଏନଭିଡିଆକୁ ଶେଷ କରି ଦେବୁ’, ଟ୍ରମ୍ପଙ୍କ ଧମକ ପରେ ଇରାନ ଦେଲା ଚ୍ୟାଲେଞ୍ଜ

ମ୍ୟାଚର ରୋମାଞ୍ଚ ଏବଂ ହାଇଦ୍ରାବାଦର ବିଶାଳ ସ୍କୋର୍

ଏହି ମ୍ୟାଚରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଅଭିଷେକ ଏବଂ ଟ୍ରାଭିସ୍ ହେଡ୍ ଏକ ବିସ୍ଫୋରକ ଆରମ୍ଭ ଦେଇଥିଲେ।

  •  ଉଭୟ ପ୍ରଥମ ୱିକେଟ୍ ପାଇଁ ୫.୩ ଓଭରରେ ୮୨ ରନ୍ ଯୋଡ଼ିଥିଲେ। ହେଡ୍ (୪୬ ରନ୍) ଙ୍କୁ କାର୍ତ୍ତିକ ତ୍ୟାଗୀ ଆଉଟ୍ କରିଥିବା ବେଳେ ୪ଟି ଚୌକା ଓ ୪ଟି ଛକା ମାରିଥିବା ଅଭିଷେକ ବ୍ଲେସିଂ ମୁଜାରବାନୀଙ୍କ ଶିକାର ହୋଇଥିଲେ।
  •  ପରେ ହେନରିକ୍ କ୍ଲାସେନ୍‌ଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ନୀତିଶ ରେଡ୍ଡୀଙ୍କ ବିସ୍ଫୋରକ ୩୯ ରନ୍ (୨୪ ବଲ୍) ବଳରେ ସନରାଇଜର୍ସ ୨୦ ଓଭରରେ ୮ ୱିକେଟ୍ ହରାଇ ୨୨୬ ରନର ବିଶାଳ ସ୍କୋର୍ ଛିଡ଼ା କରିଥିଲା।

କେକେଆର୍‌ର ବ୍ୟାଟିଂ ବିପର୍ଯ୍ୟୟ

୨୨୭ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା କେକେଆର୍ ପାଇଁ ଓପନର୍ ଫିନ୍ ଆଲେନ୍ ଏକ ଦମଦାର ଆରମ୍ଭ କରିଥିଲେ। ସେ ଡେଭିଡ୍ ପେନ୍‌ଙ୍କ ପ୍ରଥମ ଓଭରରେ ହିଁ ୨୪ ରନ୍ ସଂଗ୍ରହ କରିନେଇଥିଲେ। କିନ୍ତୁ ପରେ ହାଇଦ୍ରାବାଦ ବୋଲରମାନେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଅଭିଜ୍ଞ ବୋଲର ଜୟଦେବ ଉନାଦକତ ମାତ୍ର ୨୧ ରନ୍ ଦେଇ ୩ଟି ୱିକେଟ୍ ନେବା ଫଳରେ କେକେଆର୍ ମାତ୍ର ୧୬ ଓଭରରେ ୧୬୧ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।

Also Read: Digital Census: ଘରେ ବସି କର ଜନଗଣନା, ଅପିଲ କରୁଛନ୍ତି ସରକାର

ପଏଣ୍ଟ ଟେବୁଲ୍ ସ୍ଥିତି

ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଠାରୁ ନିଜର ପ୍ରଥମ ମ୍ୟାଚ୍ ହାରିଥିବା ହାଇଦ୍ରାବାଦ ଏହି ମ୍ୟାଚ୍ ଜିତି ଚଳିତ ସିଜିନରେ ନିଜର ଖାତା ଖୋଲିଛି ଏବଂ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ଲଗାତାର ଦୁଇଟି ମ୍ୟାଚ୍ ହାରି କେକେଆର୍ ନବମ ସ୍ଥାନକୁ ଖସି ଆସିଛି।